ଲୋକାର୍ପଣ ପୂର୍ବରୁ ଆଇଜିଏଚ୍‌ ବିବାଦ: ଆଇଜିଏଚ୍ ସୁପର ସ୍ପେସିଆଲିଟି ହସ୍ପିଟାଲ, ପ୍ରଧାନମନ୍ତ୍ରୀଙ୍କ ମେଡିକାଲ କଲେଜ ଘୋଷଣା ଗଲା କୁଆଡ଼େ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ ମନ୍ତ୍ରୀ, ଆନ୍ଦୋଳନ ପାଇଁ କଂଗ୍ରେସର ଧମକ; ରାଜନୀତି ପୂରାଅନି: ବିଜେପି

ଭୁବନେଶ୍ବର/ରାଉରକେଲା: ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ଏକ ମେଡିକାଲ କଲେଜରେ ପରିଣତ କରାଯିବ। ରାଉରକେଲାରେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ପୂରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଅନେକ ଆଶା ଦେଖାଇଥିଲା। କିନ୍ତୁ ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ କିଭଳି ଉଦ୍‌ଘାଟନ କରାଯାଉଛି? କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ବଦଳାଇଲେ?

ଆସନ୍ତା ୨୧ ତାରିଖ ଦିନ ରାଷ୍ଟ୍ରପତିଙ୍କ ଦ୍ବାରା ରାଉରକେଲାରେ ପ୍ରସ୍ତାବିତ ଆଇଜିଏଚ୍ ସୁପର ସ୍ପେସିଆଲିଟି ହସ୍ପିଟାଲ ଲୋକାର୍ପଣ ଉତ୍ସବ ପୂର୍ବରୁ ଏଭଳି ପ୍ରଶ୍ନ ଉଠାଇ ସବୁ ପ୍ରମୁଖ ରାଜନୈତିକ ଦଳ ଏକ ବଡ଼ ବିବାଦ ଛିଡ଼ା କରିସାରିଲେଣି। ସବୁଠାରୁ ବଡ଼ କଥା ହେଲା, ନିଜେ ଓଡ଼ିଶା ସରକାର ଏହାକୁ ବିରୋଧ କରିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ସଂକ୍ରାନ୍ତରେ ଏକ କଡ଼ା ଚିଠି ଲେଖିଛନ୍ତି। ଶ୍ରୀ ପ୍ରଧାନଙ୍କର ହସ୍ତକ୍ଷେପ ଲୋଡି ରାଜ୍ୟ ସରକାର ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଏହାକୁ ଗମ୍ଭୀରତାର ସହିତ ବିଚାର କରି ମେଡି଼କାଲ କଲେଜ ଦାବି ପୂରଣ କରାଯାଉ। କେବଳ ସେତିକି ନୁହେଁ,ରାଉରକେଲାରେ ନାଗରିକ ସୁରକ୍ଷା କମିଟି, ଜିଲ୍ଲା କଂଗ୍ରେସ ଓ ଶ୍ରମିକ ସଙ୍ଗଠନମାନେ ତରବରିଆ ଭାବେ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୭୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କଲେଜ ପରିବର୍ତ୍ତେ କେବଳ ୨୦୦ ଶଯ୍ୟା ହସ୍ପିଟାଲ କାହିଁକି? ପୁଣି ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ କାର୍ଡିଓଲୋଜି ଆଦି ବିଭାଗ ଖୋଲାଯାଇଥିଲେ ହେଁ ଅଦ୍ୟାବଧି କୌଣସି ଡାକ୍ତର, ନର୍ସ ବା ବିଶେଷଜ୍ଞ କାହିଁକି

ନିଯୁକ୍ତି ଦିଆଯାଇନାହିଁ? ପ୍ରତିବାଦରେ ଆସନ୍ତା ୧୯ରେ ସହରର ରିଂ ରୋଡରେ ହ୍ୟୁମାନ୍‌ ଚେନ୍‌ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନିଜ ମତ ରଖିଛନ୍ତି। ଇସ୍ପାତ ମନ୍ତ୍ରୀ ଶ୍ରୀ ମଲ୍ଲିକ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଓଡ଼ିଶାକୁ ଏହି କାରଖାନାର ଅବଦାନ ଅନେକ। ଇସ୍ପାତ ଜେନେରାଲ ହସ୍୍ପିଟାଲ ଏହି ଅଞ୍ଚଳର ଲୋକଙ୍କ ପାଇଁ ଉଚ୍ଚମାନର ଚିକିତ୍ସା ସୁବିଧା ଆଣିପାରିଛି। ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ସହ ଏହାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ତାରିଖରେ ଯେଉଁ ନିମନ୍ତ୍ରଣ ପତ୍ର ମିଳିଛି, ସେଥିପାଇଁ ଧନ୍ୟବାଦ। ହେଲେ ଏକଥା ସତ ଯେ ୨୦୧୫ ଏପ୍ରିଲ ୨ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ଏହାକୁ ମେଡିକାଲ କଲେଜରେ ପରିଣତ କଥା ଘୋଷଣା କରିଥିଲା। ଏହାକୁ ସ୍ବାଗତ କରିବା ସହିତ ସରକାର ଉତ୍ସାହିତ ଥିଲେ। ଏହାକୁ ଇସ୍ପାତ ମନ୍ତ୍ରାଳୟ ଅଧୀନସ୍ଥ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ସଂପାଦନ ପାଇଁ ଦାୟିତ୍ବି ଦିଆଯାଇଥିଲା। ୨୦୧୫ ମସିହାରେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ରାଉରକେଲା ସାଂସଦଙ୍କୁ ଆଶ୍ବାସନା ଦେଇଥିଲେ ଯେ ଖୁବ୍ ଶୀଘ୍ର ମେଡିକାଲ କଲେଜ ଆରମ୍ଭ ହେବ। କିନ୍ତୁ ଏମିତି ନ କରି ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ ହେଲା। ଘୋଷଣାର ୬ବର୍ଷ ପରେ ବି ଏହାକୁ ମେଡିକାଲ କଲେଜରେ ପରିଣତ କରାଯାଇପାରିଲା ନାହିଁ? ରାଜ୍ୟ ସରକାର ଏଇଥିପାଇଁ ବିଚଳିତ ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବହେଳା କରିଆସିଛନ୍ତି।

ଶ୍ରୀ ମଲ୍ଲିକ ଆହୁରି ଲେଖିଛନ୍ତି ଯେ ରାଉରକେଲା ଓ ସୁନ୍ଦରଗଡ ଆଦିବାସୀ ବହୁଳ ଅଞ୍ଚଳ ଅଟେ। ଏଠାରୁ ବହୁ ପରିମାଣରେ ଲୁହା ପଥର, ଖଣି, କୋଇଲା, ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ଉନ୍ନତିରେ ସହାୟକ ହୋଇଛି। ରାଉରକେଲା ଇସ୍ପାତ କାରଖାନା ଯେଉଁ ସୁନାମ ଅର୍ଜିଛି, ସେଥିରେ ରାଉରକେଲା ଓ ସୁନ୍ଦରଗଡ଼ ଅଞ୍ଚଳବାସୀଙ୍କର ବହୁତ ଅବଦାନ ରହିଛି। ହେଲେ ଏବେ ମେଡିକାଲ କଲେଜ ନ ହେବା ସେମାନଙ୍କୁ ଦୁଃଖିତ କରିଛି। ରାଜ୍ୟ ସରକାର ମଧ୍ୟ ନିରାଶ ହୋଇଛନ୍ତି। ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଲାଗି ଶ୍ରୀ ମଲ୍ଲିକ କେନ୍ଦ୍ରମନ୍ତ୍ରୀଙ୍କର ସହଯୋଗ ଲୋଡ଼ିଛନ୍ତି।

ସେପଟେ ଜିଲ୍ଲା କଂଗ୍ରେସର ସଭାପତି ଜର୍ଜ ତିର୍କୀ କହିଛନ୍ତି, ଗତ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ରାଉରକେଲାରେ ୭୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ପିଜି ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନିର୍ମାଣ କାମ ଆରମ୍ଭ ନ ହେବାରୁ ତତ୍କାଳୀନ ବିଜେପି ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ। ତେବେ ହସ୍ପିଟାଲ ପରିଚାଳନା ପାଇଁ ବିଧିବଦ୍ଧ ଭାବେ ସରକାରଙ୍କ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଏହାର ପରିଚାଳନା ଏକ ଟ୍ରଷ୍ଟ ଜରିଆରେ କରାଯିବାର କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାବାସୀଙ୍କ ବୃ୍ହତ ସ୍ବାର୍ଥ ଦୃଷ୍ଟିରୁ ହସ୍ପିଟାଲକୁ ରାଜ୍ୟର ଦ୍ବିତୀୟ ଏମ୍‌ସ ଶାଖା କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅସମ୍ପୂର୍ଣ୍ଣ ଏବଂ ଅସ୍ପଷ୍ଟ ପ୍ରକଳ୍ପକୁ ତରବରିଆ ଭାବେ ଲୋକାର୍ପଣ କରି ରାଷ୍ଟ୍ରପତି ତାଙ୍କର ମର୍ଯ୍ୟାଦା ହାନି କରିବା ଉଚିତ ନୁହେଁ ବୋଲି ଶ୍ରୀ ତିର୍କୀ କହିଛନ୍ତି। ଅନ୍ୟଥା ହସ୍ପିଟାଲର ‌ଘରୋଇକରଣ ଓ ରୋଗୀ ଶୋଷଣ ବିରୋଧରେ କଂଗ୍ରେସ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି।

ଅନୁରୂପ ଭାବେ ଇସ୍ପାତ ଶ୍ରମିକ ସଙ୍ଗଠନର ସିଆଇଟିୟୁ, ରାଉରକେଲା ଶ୍ରମିକ ସଂଘ, ରାଉରକେଲା ମଜଦୁର ସଭା, ଗାଙ୍ଗପୁର ମଜଦୁର ମଞ୍ଚ, ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ଓ ଏସ୍‌ୟୁସିଆଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେପଟେ ବିଜେପି ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ନେଇ ରାଜନୀତି କରା ନଯାଉ ବୋଲି କହିଛି। କେନ୍ଦ୍ର ସରକାର ଓ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏହି ହସ୍ପିଟାଲକୁ ଠିକ୍‌ ସମୟରେ ଶେଷ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ନିଶ୍ଚିତ ଲୋକାଭିମୁଖୀ ନିଷ୍ପତ୍ତି ଗ୍ରହଣ କରିବେ। ଜନତାଙ୍କ ବୃହତ୍ତର ସ୍ବାର୍ଥ ଓ ଉନ୍ନତ ସ୍ବାସ୍ଥ୍ୟସେବାରେ ସେଲ୍‌ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ କହିଛନ୍ତି। ସେମାନେ ଉଭୟ କଂଗ୍ରେସ ଓ ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି ଯେ ଗତ ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସର ମନମୋହନ ସିଂହ ସରକାର ରାଉରକେଲା ପାଇଁ କଣ କରିଛନ୍ତି ତାର ଜବାବ ଦିଅନ୍ତୁ। ସୁନ୍ଦରଗଡରେ ଏନ୍‌ଟିପିସି ଦ୍ବାରା କରାଯାଉଥିବା ହସ୍ପିଟାଲ ପରିଚାଳନା ପାଇଁ ବିଜେଡି ସରକାର ଏମ୍‌ଓୟୁରେ ହସ୍ତାକ୍ଷର କରିଥିଲେ। କିନ୍ତୁ ବର୍ତ୍ତମାନ ଏଥିରେ ପଛଘୁଞ୍ଚା କାହିଁକି ଦେଉଛନ୍ତି? ଆର୍‌ଜିଏଚ୍‌କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଭଳି କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଧୂଆଁବାଣ ହୋଇ ରହିଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର