ରାଉରକେଲା: ଆସନ୍ତା ୨୧ରେ ରାଉରକେଲାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲ। ପ୍ରାୟ ୨୯୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଯାଇଛି ବିବାଦ। ନାଗରିକ ସୁରକ୍ଷା କମିଟି, ଜିଲ୍ଲା କଂଗ୍ରେସ ଓ ଶ୍ରମିକ ସଙ୍ଗଠନମାନେ ତରବରିଆ ଭାବେ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୭୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କଲେଜ ପରିବର୍ତ୍ତେ କେବଳ ୨୦୦ ଶଯ୍ୟା ହସ୍ପିଟାଲ କାହିଁକି ? ପୁଣି ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ କାର୍ଡିଓଲୋଜି ଆଦି ବିଭାଗ ଖୋଲାଯାଇଥିଲେ ହେଁ ଅଦ୍ୟାବଧି କୌଣସି ଡାକ୍ତର, ନର୍ସ ବା ବିଶେଷଜ୍ଞ ନିଯୁକ୍ତି ନ ହେବାକୁ ନେଇ ପ୍ରଶ୍ନ ଉଠାଇଛି ନାଗରିକ ସୁରକ୍ଷା କମିଟି। ପ୍ରତିବାଦରେ ଆସନ୍ତା ୧୯ରେ ସହରର ରିଂ ରୋଡରେ ହ୍ୟୁମାନ୍ ଚେନ୍ କରାଯିବାକୁ ଦୁଇଦିନ ତଳେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି। ଏସବୁ ବାଦବିବାଦ ଭିତରେ ଆଜି ଉଭୟ କଂଗ୍ରେସ ଓ ବିଜେପି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ହସ୍ପିଟାଲ ସଂକ୍ରାନ୍ତରେ ନିଜ ନିଜର ମତ ରଖିଛନ୍ତି। ଜିଲ୍ଲା କଂଗ୍ରେସର ସଭାପତି ଜର୍ଜ ତିର୍କୀ କହିଛନ୍ତି, ଗତ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ରାଉରକେଲାରେ ୭୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ପିଜି ମେଡିକାଲ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷା ପାଇଁ ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନିର୍ମାଣ କାମ ଆରମ୍ଭ ନ ହେବାରୁ ତତ୍କାଳୀନ ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦମନ୍ତ୍ରୀ ଦିଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ। ତେବେ ହସ୍ପିଟାଲ ପରିଚାଳନା ପାଇଁ ବିଧିବଦ୍ଧ ଭାବେ ସରକାରଙ୍କ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଏହାର ପରିଚାଳନା ଏକ ଟ୍ରଷ୍ଟ ଜରିଆରେ କରାଯିବାର କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାବାସୀଙ୍କ ବୃ୍ହତ ସ୍ବାର୍ଥ ଦୃଷ୍ଟିରୁ ହସ୍ପିଟାଲକୁ ରାଜ୍ୟର ଦ୍ବିତୀୟ ଏମ୍ସ ଶାଖା କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅସମ୍ପୂର୍ଣ୍ଣ ଏବଂ ଅସ୍ପଷ୍ଟ ପ୍ରକଳ୍ପକୁ ତରବରିଆ ଭାବେ ଲୋକାର୍ପଣ କରି ରାଷ୍ଟ୍ରପତି ତାଙ୍କର ମର୍ଯ୍ୟାଦା ହାନି କରିବା ଉଚିତ ନୁହେଁ ବୋଲି ଶ୍ରୀ ତିର୍କ କହିଛନ୍ତି। ଅନ୍ୟଥା ହସ୍ପିଟାଲର ଘରୋଇକରଣ ଓ ରୋଗୀ ଶୋଷଣ ବିରୋଧରେ କଂଗ୍ରେସ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ଇସ୍ପାତ ଶ୍ରମିକ ସଙ୍ଗଠନର ସିଆଇଟିୟୁ, ରାଉରକେଲା ଶ୍ରମିକ ସଂଘ, ରାଉରକେଲା ମଜଦୁର ସଭା, ଗାଙ୍ଗପୁର ମଜଦୁର ମଞ୍ଚ, ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ଓ ଏସ୍ୟୁସିଆଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେପଟେ ବିଜେପି ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ନେଇ ରାଜନୀତି କରା ନଯାଉ ବୋଲି କହିଛି। କେନ୍ଦ୍ର ସରକାର ଓ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏହି ହସ୍ପିଟାଲକୁ ଠିକ୍ ସମୟରେ ଶେଷ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ନିଶ୍ଚିତ ଲୋକାଭିମୁଖୀ ନିଷ୍ପତ୍ତି ଗ୍ରହଣ କରିବେ।
ଜନତାଙ୍କ ବୃହତ୍ତର ସ୍ବାର୍ଥ ଓ ଉନ୍ନତ ସ୍ବାସ୍ଥ୍ୟସେବାରେ ସେଲ୍ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ କହିଛନ୍ତି। ସେମାନେ ଉଭୟ କଂଗ୍ରେସ ଓ ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି ଯେ ଗତ ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସର ମନମୋହନ ସିଂହ ସରକାର ରାଉରକେଲା ପାଇଁ କ’ଣ କରିଛନ୍ତି ତା’ର ଜବାବ ଦିଅନ୍ତୁ। ସୁନ୍ଦରଗଡରେ ଏନ୍ଟିପିସି ଦ୍ବାରା କରାଯାଉଥିବା ହସ୍ପିଟାଲ ପରିଚାଳନା ପାଇଁ ବିଜେଡି ସରକାର ଏମ୍ଓୟୁରେ ହସ୍ତାକ୍ଷର କରିଥିଲେ। କିନ୍ତୁ ବର୍ତ୍ତମାନ ଏଥିରେ ପଛଘୁଞ୍ଚା କାର୍ହିକି ଦେଉଛନ୍ତି? ଆର୍ଜିଏଚ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଭଳି କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଧୂଆଁବାଣ ହୋଇ ରହିଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏସବୁ ବିବାଦ ଭିତରେ ଆସନ୍ତା ୨୧ରେ ଲୋକାର୍ପିତ ହେବାକୁ ଯାଉଥିବା ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ କେତେଦୂର କାର୍ଯ୍ୟକ୍ଷମ ହେଉଛି ତା’ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/54h56fh456sfh4f5s6h456sfh456fs4hf5s6ffhhfhhf.jpg)