୨୧ରେ ଲୋକାର୍ପିତ ହେବ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ

ଖର୍ଚ୍ଚ ୨୯୪.୮୨ କୋଟି,  ରହିଛି ୨ଶହ ଶଯ୍ୟା, ଅତ୍ୟାଧୁନିକ ବ୍ୟବସ୍ଥା

ରାଉରକେଲା : ଆସନ୍ତା ୨୧ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି। ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଛି। ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ମଧ୍ୟ ରହିଛି। ଆସନ୍ତା ୨୧ ତାରିଖ ଉଦ୍‌ଘାଟନ ହେବା ପରେ କେବଳ ବର୍ହିବିଭାଗ କାର୍ଯ୍ୟକ୍ଷମ ହେବ। ପରବର୍ତ୍ତୀ ସମୟରେ ଅର୍ନ୍ତବିଭାଗ କାର୍ଯ୍ୟକ୍ଷମ ହେବ। ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଆହୁରି ସମୟ ଲାଗିପାରେ। କାରଣ ଆବଶ୍ୟକ ସଂଖ୍ୟକ ପାରା ମେଡିକାଲ କର୍ମଚାରୀ, ନର୍ସ, ଡାକ୍ତର, ବିଶେଷଜ୍ଞ ନିଯୁକ୍ତି ହୋଇ ନାହାନ୍ତି। ନିଯୁକ୍ତି ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ କେବେ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ।

ଜଣେ ଅଧିକାରୀଙ୍କ କହିବା ମୁତାବକ ରାଷ୍ଟ୍ରପତିଙ୍କ ଦ୍ବାରା ଉଦ୍‌ଘାଟନ ହେବା ପରେ ପ୍ରଥମ ପର୍ଯ୍ୟାୟରେ କେବଳ ବର୍ହିବିଭାଗ (ଓପିଡି) କାର୍ଯ୍ୟକ୍ଷମ ହେବ। ହସ୍ପିଟାଲ ପରିଚାଳନା ପାଇଁ ଟ୍ରଷ୍ଟ ଗଠନ କରାଯାଇଛି। ଟ୍ରଷ୍ଟ ଦ୍ବାରା ହସ୍ପିଟାଲ ଚାଲିବ। ଆଇଜିଏଚ୍‌ର ଡାକ୍ତରମାନେ ଓପିଡିରେ ରୋଗୀମାନଙ୍କୁ ଚିକିତ୍ସା କରିବେ। ଏଥିସହ ଆପୋଲୋ ସମେତ ଦେଶର ଅନ୍ୟାନ୍ୟ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ବର୍ହିବିଭାଗରେ ରୋଗୀ ଚିକିତ୍ସା କରିବେ। ସେପେଟ ତରବରିଆ ଭାବେ ହସ୍ପିଟାଲକୁ ଉଦ୍‌ଘାଟନ କରି ଦିଆଯାଉଥିବାରୁ ଇସ୍ପାତ ଶ୍ରମିକ ସଙ୍ଗଠନ ମହଲରେ ଅସନ୍ତୋଷ ଦେଖାଦେଇଛି। ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲେ ରାଉରକେଲାର ୮ ଲକ୍ଷ, ସୁନ୍ଦରଗଡ ଜିଲ୍ଲାର ପ୍ରାୟ ୩୫ ଲକ୍ଷ ଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବ। ଆଇଜିଏଚ୍‌ ଉପରେ ନିର୍ଭରଶୀଳ ସୁନ୍ଦରଗଡ ନୁହେଁ ଦେବଗଡ, ଝାରସୁଗୁଡା, କେନ୍ଦୁଝର, ବରଗଡ, ମୟୁରଭଞ୍ଜ ଆଦି ୬ଟି ଜିଲ୍ଲାବାସୀଙ୍କୁ ପୂର୍ବପରି ସମାନ ଦଶା ଭୋଗିବେ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ବ୍ରାହ୍ମଣୀ ପୋଲ, ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଘୋଷଣା କରିଥିଲେ। ଘୋ‌ଷଣା ମୁତାବକ କାମ ନ ହେବାରୁ ରାଜନୈତିକ ଦଳ ଏହି ଦୂଇଟି ପ୍ରକଳ୍ପ ଭବିଷ୍ୟତକୁ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଦଳରଗୁଡ଼ିକର ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଇଜିଏଚ୍‌ ‌ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକର୍ପିତ ହେବାକୁ ଯାଉଛି। ଆଗାମି ଦିନରେ ଦ୍ବିତୀୟ ପୋଲ ମଧ୍ୟ ଲୋକାର୍ପିତ ହେବ।

 

ଚିକିତ୍ସା ସୁବିଧା ଉପଲବ୍ଧ
ସ୍ନାୟୁଜନିତ ରୋଗ (ନ୍ୟୁରୋଲୋଜି), ସ୍ନାୟୁବିକ ଅସ୍ତ୍ରୋପଚାର ( ନ୍ୟୁରୋ ସର୍ଜରୀ), ଯକୃ୍ତଜନିତ ରୋଗ (ନେଫ୍ରୋଲୋଜି), ହୃଦରୋଗ (କାର୍ଡିଓଲୋଜି), ହୃ୍ଦରୋଗ ଅସ୍ତ୍ରୋପଚାର (କାର୍ଡିଓଲୋଜି-ଥୋରାସିସ୍‌ ସର୍ଜରୀ) । ଏଥିସହ ଏଣ୍ଡୋସ୍‌ସ୍ପୋପି, ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଲ୍ୟାବ୍‌, ସିଆର୍‌ଆର୍‌ଟି ମେସିନ୍‌ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍‌ ଥିଏଟର ରହିଛି। ‌ସେହିପରି ଆପତ୍ତିକାଳୀନ ସୁବିଧା, ଆଇସିୟୁ, ଏନ୍‌ଆଇସିୟୁ, ପିଆଇସିୟୁ ଆଦି ବିଭାଗ ରହିଛି। ଅନୁରୂପ ଭାବେ ୫୦୦ ଲୋକ ବସିବା ପାଇଁ ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଲକ, ୪ଟି ଲେକ୍‌ଚର ଥିଏଟର, ଲାଇବ୍ରେରୀ, ସମ୍ମିଳନୀ କକ୍ଷ ଆଦି ରହିଛି।

ଜୁଏଲ୍‌ଙ୍କୁ ଆମନ୍ତ୍ରଣ କଲେ ଧର୍ମେନ୍ଦ୍ର : ଆସନ୍ତା ୨୧ରେ ଲୋକାର୍ପିତ ହେବାକୁ ଯାଉଥିବା ୨୦୦ ଶଯ୍ୟା ବିଶିଷ୍ଟ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସଂକ୍ରାନ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଅବଗତ କରାଇଛନ୍ତି। ଲୋକାର୍ପିତ କାର୍ଯ୍ୟକ୍ରମକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଚିଠିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଗତ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଘୋଷଣା କରିଥିଲେ। ତାଙ୍କ ଘୋ‌ଷଣା ମୁତାବକ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌) କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର ଅର୍ଥରେ ନିର୍ମାଣଧୀନ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାମ ଶେଷ ହୋଇଛି। ଆସନ୍ତା ୨୧ରେ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରୁଥିବାରୁ ମୁଁ ବହୁତ ଖୁସି। ଆଗାମି ଦିନରେ ସ୍ମାର୍ଟସିଟି ରାଉରକେଲା, ସୁନ୍ଦରଗଡ ସମେତ ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାବାସୀ ବେଶ୍‌ ଉପକୃ୍ତ ହେବେ।

ବ୍ୟୟ ଅଟକଳ ୨୯୪.୮୨ କୋଟି : ସ୍ମାର୍ଟସିଟିରେ ଲୋକାର୍ପିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ବାବଦରେ ଖର୍ଚ୍ଚ ହୋଇଛି ୨୯୪ କୋଟି ୮୨ ଲକ୍ଷ। ମୁଖ୍ୟ ଠିକା ସଂସ୍ଥା ଏନ୍‌ବିସିସି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ମାଣ କାମ ନେଇଛି। ଏନ୍‌ବିସିସି ନିର୍ମାଣ କାମ ୟୁଆର୍‌ସି କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍‌କୁ ହସ୍ତାନ୍ତର କରିଛି। ଗତ ୨୦୧୮ ଅଗଷ୍ଟରେ ଏନ୍‌ବିସିକୁ ୱାର୍କ ଅର୍ଡର ମିଳିଥିଲା। ୨୦୧୯ ଜାନୁଆରୀରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଗତ ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରହିଥିଲା। କରୋନା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା। ୨୦୨୦ ସେପ୍ଟମ୍ବର ପରିବର୍ତ୍ତେ ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୨୧ ମାର୍ଚ୍ଚରେ ନିର୍ମାଣ କାମ ଶେଷ ହୋଇଛି। ୨୦୧୯ ଏପ୍ରିଲ ସୁପର ସ୍ପେଶିଆଲିଟି ହସ୍ପିଟାଲ କାମର ଅଗ୍ରଗତି ଓ ଆବଶ୍ୟକ ଅର୍ଥ ସଂକ୍ରାନ୍ତରେ ଜାଣିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ସେତ‌େବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରକଳ୍ପ ପାଇଁ ମୋଟ ୨୯୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସେଲ୍‌ ୯୮ କୋଟି ଠିକା ସଂସ୍ଥା ଏନ୍‌ବିସିସିକୁ ଦିଆଯାଇଛି। ଏଥିସହ ଇସ୍ପାତ ମନ୍ତ୍ରଣାଳୟ ୧୦୫ କୋଟି ୯୫ ଲକ୍ଷ ସେଲ୍‌କୁ ଦେଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଚିଠି ଲେଖି ଦିଲୀପ ରାୟଙ୍କୁ ଜଣାଇଥିଲେ।

ଲୋଡ଼ାଗଲା ସହରବାସୀଙ୍କ ମତାମତ : ସୁପର ସ୍ପେସିଆଲିଟି ହସ୍ପିଟାଲ ଏମ୍ସ, ପୋଷ୍ଟ ଗ୍ରାଜୁଏଟ୍‌ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି (ରବିବାର) ବୈଠକ ଭଞ୍ଜଭବନ ଆଦର୍ଶପାଠାଗାର ପରିସରରେ ଅନୁଷ୍ଠିତ ହେବ। ବୈଠକରେ ସିଆଇଟିୟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ସମେତ କିଛି ବରିଷ୍ଠ ଶ୍ରମିକ ନେତା ଉପସ୍ଥିତ ରହିବେ। ହସ୍ପିଟାଲରେ କ୍ୟାନସର, ମାନସିକ ରୋଗ ସମେତ ଅନ୍ୟାନ୍ୟ ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସହରବାସୀଙ୍କ ଆବଶ୍ୟକକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ କଲେଜ ‌ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଶସ୍ତା ରାଜନୈତିକ ଫାଇଦା ପାଇଁ ଲୋକମାନଙ୍କ ଆବଶ୍ୟକତାକୁ ଅଣଦେଖା କରି ଏକ ଟ୍ରଷ୍ଟ ଜରିଆରେ ଲୋକ ଦେଖାଣିଆ ହସ୍ପିଟାଲକୁ ରାଷ୍ଠ୍ରପତି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ତେଣୁ ବୈଠକରେ ଯୋଗ ଦେଇ ନିଜ ନିଜର ମତାମତ ରଖିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ବୈଠକରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ।

ସମ୍ବନ୍ଧିତ ଖବର