ସୁନ୍ଦରଗଡ଼: ୨୦୧୩ ଅଗଷ୍ଟ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା ଏମ୍‌ସିଏଲ୍‌ କୁଲଡ଼ା କୋଇଲାଖଣିର ବର୍ଜ୍ୟ ପାହାଡ଼ (ଡମ୍ପିଂୟାର୍ଡ)। ୨ ଲକ୍ଷ କ୍ୟୁବିକ୍‌ ମିଟର ବର୍ଜ୍ୟର ଏକ ବିରାଟ ଅଂଶ ଘଣ୍ଟା ପ୍ରତି ପ୍ରାୟ ଶହେ କିଲୋମିଟର ବେଗରେ ଦେଢ଼ଶହ ମିଟର ପର୍ଯ୍ୟନ୍ତ ମାଡ଼ି ଆସିଥିଲା। ଏହା ଦ୍ବାରା ବ୍ୟାପକ କ୍ଷୟକ୍ଷତି ସହ ୧୨ ଜଣଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର ‌ହୋଇଥିଲା। ୨୦ ଜଣ ନିଖୋଜଙ୍କ ଏ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ତାହାର ପୁନରାବୃତ୍ତି ଆଶଙ୍କା ସୃଷ୍ଟି ହୋଇଛି ଏମ୍‌ସିଏଲ୍‌ର ଗର୍ଜନବାହାଲ ଖୋଲାମୁହଁ କୋଇଲାଖଣିରେ।

Advertisment

ବର୍ଷେ ହେଲା, ଗର୍ଜନବାହାଲ ଖଣି ବର୍ଜ୍ୟ ପାହାଡ଼ ଫାଟି ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ିଯିବା ସମ୍ଭାବନା ଦେଖାଦେଇଛି। କିନ୍ତୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଦେଇଛନ୍ତି। କେବଳ ଚାରିକଡ଼େ ଲାଲପତାକା ପୋତି ଦାୟିତ୍ବ ସାରି ଦେଇଥିବାବେଳେ ସମ୍ଭାବ୍ୟ ଦୁର୍ଘଟଣା ରୋକିବାକୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ୨୦୨୨ ଡିସେମ୍ବର ୧୮ ତାରିଖରେ କୁଲଡ଼ାଖଣି ବର୍ଜ୍ୟପାହାଡ଼ ଆରପାର୍ଶ୍ବ ଗର୍ଜନବାହାଲ ଖଣି ବର୍ଜ୍ୟ ପାହାଡ଼ର ଗୋଟିଏ ପଟ ଧସି ଉପର ଅଂଶ ଦବି ଯାଇଥିଲା। ସେହି କାରଣରୁ ତଳେ ପ୍ରାୟ ୫୦ ମିଟର ଲମ୍ବ ଓ ୨ ଶହ ମିଟର ଓସାର ଅଞ୍ଚଳରେ ଭୂଇଁଫାଟି ବିରାଟ ବିରାଟ ଆଁ କରିଥିଲା। ଫାଟ ଗର୍ଜନବାହାଲ ଖଣି ଏମ୍‌ଟିକେ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଦେଖା ଯାଇଥିଲା। ବର୍ଜ୍ୟଗଦାର ଉପର ଅଂଶରେ ପ୍ରାୟ ୨ ହଜାର କ୍ୟୁବିକ୍‌ ମିଟର ବର୍ଜ୍ୟବସ୍ତୁ ଧସିଥିଲା।

ଫଳରେ ସେଦିନ ଭୋରରୁ ଗର୍ଜନବାହାଲ ଖଣି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। କୁଲଡ଼ା ଦୁର୍ଘଟଣା ସମୟରେ ଲୋକଙ୍କ ଉପସ୍ଥିତି କମ୍‌ ଥିବାରୁ କମ୍‌ ଜୀବନହାନି ହୋଇଥିଲା। କିନ୍ତୁ ଗର୍ଜନବାହାଲ ବର୍ଜ୍ୟପାହାଡ଼ ପାଦଦେଶରେ ହିଁ ଖଣି ଚାଲୁଥିବା ଓ ସେଥିରେ ୨୪ ଘଣ୍ଟା ଶତାଧିକ କର୍ମଚାରୀ, ଶ୍ରମିକ କାମ କରୁଥିବାରୁ ସେଭଳି କିଛି ଅଘଟଣ ଘଟି‌ଲେ ବହୁ କ୍ଷୟକ୍ଷତି ଶହ ଶତାଧିକ ଜୀବନ ଯିବା ନିଶ୍ଚିତ ବୋଲି କୁହାଯାଉଛି। ମାତ୍ର ଏହାକୁ ହାଲୁକା ଭାବେ ନେଇଛନ୍ତି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ। ଅଭିଯୋଗ ପରେ ସେତେବେଳେ ଏମ୍‌ଟିକେ କାର୍ଯ୍ୟାଳୟରେ ସୁଦୃଢ଼ ସୁରକ୍ଷା ପ୍ରାଚୀର ନିର୍ମାଣ ସହ ଏକ୍ସାଭେସନ(ୱାର୍କସପ୍‌)କୁ ଖଣି ବାହାରକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ। କିନ୍ତୁ ବ‌ର୍ଷେ ପରେ ବି କିଛି ହୋଇନାହିଁ। ଅନ୍ୟପଟେ ଖଣି ସୁରକ୍ଷା ନିର୍ଦେଶକଙ୍କ ମାର୍ଗଦର୍ଶିକାକୁ ଏଠାରେ ଆଦୌ ପାଳନ କରାଯାଉ ନଥିବା ଅଭିଯୋଗ ହେଉଛି।