ବିଚାର ବିଭାଗୀୟ କମିସନ୍‌ଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ

କଳିଙ୍ଗନଗର ଗୁଳିକାଣ୍ଡର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ବାମପନ୍ଥୀ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର: କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ୧୨ ବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବାମପନ୍ଥୀ ରାଜେନୈତିକ ଦଳ ଓ ସଂଗଠନ ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ସହ ଘଟଣାରେ ବିଚାର ବିଭାଗୀୟ କମିସନ୍‌ଙ୍କ ରିପୋର୍ଟକୁ ନିନ୍ଦା ଏବଂ ପ୍ରତ୍ୟାଖ୍ୟାନ କରି ଆଜି ଲୋୟର ପିଏମ୍‌ଜିରେ ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଗଣ ସମ୍ମିଳନୀ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବାମପନ୍ଥୀ ନେତା ରାଧାକାନ୍ତ ସେଠୀ, ପ୍ରମୋଦିନୀ ପ୍ରଧାନ, ଶିବରାମ, ନରେନ୍ଦ୍ର ମହାନ୍ତି, ଦେବରଞ୍ଜନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ। ଏଥିରେ ଉଦ୍‌ବୋଧନ ଦେଇ ନେତାମାନେ କହିଥିଲେ ଯେ ଟାଟା କମ୍ପାନିକୁ ଜମି ଦେବା ନେଇ କଳିଙ୍ଗନଗରରେ ସାଧାରଣ ଜନତାଙ୍କୁ ବଳି ଦିଆଯାଇଛି। ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟବାସିନ୍ଦାଙ୍କ ସହ ଆବଶ୍ୟକ ଆଲୋଚନା କରା ନ ଯାଇ ପ୍ରତିବାଦକାରୀଙ୍କ ମଧ୍ୟରୁ ୧୩ ଜଣ ନିରୀହ ଆଦିବାସୀଙ୍କୁ ପୁଲିସ ଲଗାଇ ରାଜ୍ୟ ସରକାର ହତ୍ୟା କରିଛନ୍ତି। ଏଭଳି ନିନ୍ଦନୀୟ ଘଟଣାକୁ ନେଇ ସାରା ରାଜ୍ୟ ତଥା ଦେଶରେ ପ୍ରତିବାଦ ସ୍ୱର ଉଠିବାରୁ ସରକାର ଲୋକଦେଖାଣିଆ ବିଚାର ବିଭାଗୀୟ କମିସନ ବସାଇଥିଲେ। କମିସନର ପି.କେ ମହାନ୍ତି ତାଙ୍କ ରିପୋର୍ଟରେ କଳିଙ୍ଗନଗର ହତ୍ୟାକୁ ଯଥାର୍ଥ ଦର୍ଶାଇଛନ୍ତି। ଏହା ଅତ୍ୟନ୍ତ ଅମାନବୀୟ ଘଟଣା। କଳିଙ୍ଗନଗରବାସୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ। ସମ୍ମିଳନୀରେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କମିସନ୍‌ଙ୍କ ରିପୋର୍ଟ ଉପସ୍ଥାପନ କରିଥିବାବେଳେ ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିରକା ଓ ଲିଙ୍ଗରାଜ ଆଜାଦ, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁ, ପ୍ରମିଳା ବେହେରା, ଶ୍ରୀକାନ୍ତ ମହାନ୍ତି, ବିଜୟ ସ୍ୱାଇଁ, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କମିସନଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ ସହ ଜନଆନ୍ଦୋଳନକାରୀଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ପାଇଁ ସମ୍ମେଳନରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

 

ସମ୍ବନ୍ଧିତ ଖବର