ଅନୁଗୁଳ: ଜୀବଜଗତ ତିଷ୍ଠି ରହିବା ପାଇଁ ପ୍ରକୃତି ଓ ପରିବେଶର ସଂରକ୍ଷଣ କରାଯିବା ଜରୁରୀ। ବିଭିନ୍ନ କାରଣରୁ ପରିବେଶ ନଷ୍ଟ ହେବାରେ ଲାଗିଛି। ଫଳରେ ଜୀବଜଗତ ବିପଦମୁହାଁ ହେଉଛି। କିନ୍ତୁ ସମାଜରେ ଅନେକ ଲୋକ ଓ ଅନୁଷ୍ଠାନ ପରିବେଶର ସୁରକ୍ଷା ପାଇଁ ଲଢ଼େଇ କରୁଛନ୍ତି। ସେମାନଙ୍କୁ ଚୟନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପୁରସ୍କୃତ କରାଯାଉଛି। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାରେ କାହାକୁ ଏଥିପାଇଁ ପୁରସ୍କାର ଦିଆଯାଇ ନାହିଁ।

Advertisment

ସୂଚନା ମୁତାବକ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ବନ ବିଭାଗ ପକ୍ଷରୁ ମନୋନୀତ କରାଯାଇ ପ୍ରତିବର୍ଷ ପୁରସ୍କୃତ କରାଯାଇଥାଏ। ବ୍ୟକ୍ତିମାନଙ୍କୁ ‘ପ୍ରକୃତି ବନ୍ଧୁ’ ଓ ଅନୁଷ୍ଠାନକୁ ‘ପ୍ରକୃତି ମିତ୍ର’ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥାଏ। ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ପ୍ରଥମେ ବନ ବିଭାଗ ନିକଟରେ ଆବେଦନ କରିଥା’ନ୍ତି। ପରେ ସେମାନଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ପରିବେଶ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ଜୁନ୍ ୫ ତାରିଖରେ ରାଜ୍ୟସ୍ତରୀୟ ପରିବେଶ ଦିବସ ଉତ୍ସବ ପାଳନବେଳେ ପୁରସ୍କୃତ କରାଯାଇଥାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଏ। ସେହିପରି ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାସ୍ତରୀୟ ପରିବେଶ ଦିବସ ପାଳନ ଅବସରରେ ୧୦ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥାଏ। ଏହି ପୁରସ୍କାର ପ୍ରତି ବ୍ଲକ୍‌ ସ୍ତରରେ ଦିଆଯିବାର ବ୍ୟବସ୍ଥା ରହିଛି।

ପୁରସ୍କାର ପାଇବା ପରେ ସେମାନଙ୍କୁ ପରିବେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥାଏ। ତେବେ ଚଳିତ ବର୍ଷ ପରିବେଶ ଦିବସରେ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇ ନଥିଲା। ଏହା ମଧ୍ୟରେ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁରସ୍କାର ପାଇଁ ଆବେଦନ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କ ନାମ ଘୋଷଣା କରାଯାଇ ନାହିଁ। ତେବେ ଏ ସମ୍ପର୍କରେ ଅନୁଗୁଳ ଡିଏଫ୍ଓ ନୀତୀଶ କୁମାରଙ୍କୁ ପଚାରିବାରୁ ଚଳିତ ବର୍ଷ ନିର୍ବାଚନ ଯୋଗୁଁ ଏହି ପୁରସ୍କାର ଦିଆ ହୋଇନି ଓ ଏଥିପାଇଁ ଚୟନ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି।