ରେଳ ବିକାଶ କ୍ଷେତ୍ରରେ ପୁଣି ଦକ୍ଷିଣ ଓଡ଼ିଶାକୁ ଉପେକ୍ଷା

ପ୍ରସ୍ତାବରେ ଅଟକିଛି ୨ ରେଳଲାଇନ୍‌
ବ୍ରହ୍ମପୁର-ସମ୍ବଲପୁର ପ୍ରକଳ୍ପ ଲାଗି ଟୋକନ୍‌ ମନି ୧ ହଜାର ଟଙ୍କା
ମିଳେଇଗଲା ଶିତଳାପଲ୍ଲୀ ରେଳ ୱାଗନ୍‌ କରାଖାନା ପ୍ରସ୍ତାବ
ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଷ୍ଟେସନ୍‌ର ବିକାଶକୁ ଅଣଦେଖା

ବ୍ରହ୍ମପୁର : କେନ୍ଦ୍ର ବଜେଟ୍‌ରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୬୯୯୫.୫୮ କୋଟି ଟଙ୍କା ମିଳିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଅନୁଧ୍ୟାନ କରାଗଲେ ଗଞ୍ଜାମ, ଗଜପତି ସମେତ ସାମଗ୍ରିକ ଭାବେ ଦକ୍ଷିଣ ଓଡ଼ିଶା ରେଳ ବିକାଶ କ୍ଷେତ୍ରରେ ଉପେକ୍ଷିତ ହୋଇଛି।

ପ୍ରସ୍ତାବରେ ଲଟକିଥିବା ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର-ତାଳଚେର ଏବଂ ବ୍ରହ୍ମପୁର-ରାୟଗଡ଼ା ଦୁଇଟି ନୂତନ ରେଳ ପ୍ରକଳ୍ପକୁ ଏଥର ମଧ୍ୟ ସେମିତି ଲଟ୍‌କାଇ ଦିଆଯାଇଛି। ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ପ୍ରକଳ୍ପ ଲାଗି ଟୋକନ୍‌ ମନି ଆକାରରେ ମାତ୍ର ୧ ହଜାର ଟଙ୍କା ବଜେଟ୍‌ରେ ରଖାଯାଇଛି। ପ୍ରସ୍ତାବିତ ଶିତଳାପଲ୍ଲୀ ରେଳ ୱାଗନ୍‌ ମରାମତି କରାଖାନାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ପାରଳାଖେମୁଣ୍ଡି ରେଳଷ୍ଟେସନର ବିକାଶ ଲାଗି ବଜେଟ୍‌ରେ କୌଣସି ଯୋଜନା ନାହିଁ। ଅନ୍ୟପକ୍ଷରେ ବ୍ରହ୍ମପୁର ରେଳଷ୍ଟେସନ ସୌନ୍ଦର୍ଯ୍ୟୀକରଣ ଲାଗି ଦୀର୍ଘ ବର୍ଷ ତଳୁ ଯୋଜନା ହୋଇ ଅନୁମୋଦନ ମିଳିଥିଲେ ସୁଦ୍ଧା ଅନୁଦାନ ମଞ୍ଜୁର ହୋଇନାହିଁ।

ଦକ୍ଷିଣ ଓଡ଼ିଶାରେ ୩ଟି ନୂତନ ରେଳ ଲାଇନ୍‌ ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର-ସମ୍ବଲପୁର, ବ୍ରହ୍ମପୁର-ତାଳଚେର ଏବଂ ବ୍ରହ୍ମପୁର-ରାୟଗଡ଼ା ରେଳ ଲାଇନ ପ୍ରକଳ୍ପ। ବ୍ରହ୍ମପୁର-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ପାଇଁ ପୂର୍ବତଟ ରେଳପଥକୁ ଅନୁମତି ମିଳିଥିଲା। ସର୍ଭେ ପରେ ରେଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ ହୋଇଥିଲା। ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାରେ ବାରମ୍ବାର ବିଳମ୍ବ ହେବାରୁ ଗଞ୍ଜାମ, ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ୍‌ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜୋରଦାର ଆନ୍ଦୋଳନ କରିଥିଲେ। ପରେ ୨୦୨୦ ବଜେଟରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂତନ ରେଳପଥ ପାଇଁ ୨ହଜାର ୯୫୭କୋଟି ଟଙ୍କା ମଂଜୁର ହୋଇଥିଲା। ଏହି ପ୍ରକଳ୍ପରେ ସମୁଦାୟ ୧୬ଟି ନୂତନ ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି ।

ଓଡ଼ିଶା ରେଳବାଇ ଡେଭେଳ୍ପମେଣ୍ଟ ଇନଫ୍ରାଷ୍ଟ୍ରକଚର ଲିଃ(ଓରିଡ଼ିଲ) ଦ୍ବାରା ୨୪୧ କିମି ରେଳପଥର ସର୍ଭେ ପାଇଁ ଟେଣ୍ତର‌୍‌ ଆହ୍ବାନ କରିଥିଲା। ଗତବର୍ଷ ଅଗଷ୍ଟ ମାସରେ ସର୍ଭେ ଟେଣ୍ଡର୍‌ ପ୍ରକାଶ ପାଇଥିଲା। ପୁଣିଥରେ ଡିସେମ୍ବର ମାସରେ ପୁନଃଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ଇତିମଧ୍ୟରେ ଏହି ପ୍ରକଳ୍ପର ଡ୍ରୋନ୍‌ ସର୍ଭେ ସରିଛି। କିନ୍ତୁ କରୋନା କାରଣରୁ ଚୂଡ଼ାନ୍ତ ସର୍ଭେ ସରିନାହିଁ। ସର୍ଭେ ସରିବା ପରେ ନୀତି ଆୟୋଗରେ ଡିପିଆର୍‌ ଉପସ୍ଥାପନ କରାଯିବ। ଏହାପରେ ୨୦୨୨-୨୩ ବଜେଟ୍‌ରେ ଏହି ରେଳଲାଇନ୍‌ ଲାଗି ବ୍ୟୟ ବରାଦ୍‌ ଆସିପାରେ ବୋଲି କୁହାଯାଉଛି।
ସେହିପରି ଗୋପାଳପୁର-ରାୟଗଡ଼ା ନୂତନ ରେଳଲାଇନ ପ୍ରକଳ୍ପ ପାଇଁ ମଧ୍ୟ ଗତ ୨୦୧୩ରେ ସର୍ଭେ ହୋଇଥିଲା। ୧୮୦କିମି ଧାରଣା ବିଛାଇବା ପ୍ରସ୍ତାବ ରହିଥିଲା। କେନ୍ଦ୍ର ବଜେଟ୍‌ରେ ଏହି ରେଳଲାଇନ ଉପରେ କିଛି ସୂଚନା ନାହିଁ।

ଗୋପାଳପୁର-ତାଳଚେର ୨୯୩ କିମି ବ୍ରଡଗେଜ ରେଳପ୍ରକଳ୍ପ ଲାଗି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ପ୍ରସ୍ତାବ ଦେଇଥିଲେ। ଏହାକୁ ତତ୍‌କାଳୀନ କେନ୍ଦ୍ର ସରକାର ଗ୍ରହଣ ସେହି ବର୍ଷ ହିଁ ସର୍ଭେ କରାଇଥିଲେ। ଏହାପରେ ଗୋପାଳପୁର-ତାଳଚେର ନୂତନ ରେଳପଥ ଲାଗି ଆଉ ୨ଥର ସର୍ଭେ ସରିଛି। ୨୦୧୮-୧୯ରେ ଏହି ପ୍ରକଳ୍ପ ଲାଗି ୫ଲକ୍ଷ, ୨୦୧୯-୨୦ ରେ ୧୦ଲକ୍ଷ ଟୋକନ୍‌ ମନି ରହିଥିଲା। ଏହି ନୂତନ ପ୍ରକଳ୍ପ ମଧ୍ୟରେ ୨୨ଟି ସେଷ୍ଟନ୍‌ ନିର୍ମାଣ ପ୍ରସ୍ତାବରେ ରହିଛି। ଏହି ପ୍ରକଳ୍ପ ଗଞ୍ଜାମ, ଅନୁଗୁଳ, ଢ଼େଙ୍କାନାଳ, କଟକ ଓ ନୟାଗଡ଼କୁ ସଂଯୋଗ କରିବ। ବର୍ତ୍ତମାନ ବଜେଟ୍‌ରେ ଏହି ଦୁଇଟି‌ ରେଳ ପ୍ରକଳ୍ପ ଲାଗି ଟଙ୍କାଟିଏ ବ୍ୟୟ ‌ବରାଦ୍‌ ହୋଇନାହିଁ।

ବ୍ରହ୍ମପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କହିଛନ୍ତି, ଅବିଭକ୍ତ ଗଞ୍ଜାମ ତଥା ଗଜପତି ଜିଲ୍ଲାର ରେଳ ବିକାଶ ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ବର୍ତ୍ତମାନ ରେଳବିକାଶ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାକୁ ଅବହେଳା କରାଯାଇଛି ବୋଲି ସେ କହିଛନ୍ତି।

ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ୍‌ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଆଇନଜୀବୀ ବି.ଶଙ୍କର ପାତ୍ର କହିଛନ୍ତି, କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶା ପ୍ରତି କ୍ରମାଗତ ଅବହେଳା କରି ଚାଲିଛନ୍ତି। ଦୁଇ ଦୁଇଟି ରେଳପ୍ରକଳ୍ପ ପ୍ରସ୍ତାବରେ ବର୍ଷ ବର୍ଷ ହେଲା ଅଟକି ରହିଥିଲେ ବି ଚଳିତ ବ‌ଜେଟ୍‌ରେ କିଛି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର