ମହଙ୍ଗା ପଡ଼ିଲାଣି ଚାଷୀଙ୍କୁ ଅଣଦେଖା; ତଣ୍ଟିରେ କଣ୍ଟା ହୋଇ ଲାଗିଲେଣି ଚାଷୀ

୨୦୨୪ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ; ପଦ୍ମପୁରରେ ଏସିଡ୍ ଟେଷ୍ଟ

ଭୁବନେଶ୍ବର : ଚାଷୀର ଆୟ ଦୁଇଗୁଣ କରାଯିବା ପ୍ରସଙ୍ଗଟି ଘୋଷଣାରେ ରହିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ନେଇ ବିଧାନସଭାରେ ଗୃହୀତ ସର୍ବସମ୍ମତ ପ୍ରସ୍ତାବ ଆଜି ବି ପ୍ରଭାବହୀନ। କେନ୍ଦ୍ର ଏହାକୁ ଗ୍ରହଣ କରିବାକୁ ନାରାଜ; ରାଜ୍ୟ ଚାପ ସୃଷ୍ଟି କରିବାରେ ମଧ୍ୟ ବିଫଳ। ତା’ଠାରୁ ଆହୁରି ବଡ଼ କଥା ହେଲା, ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ଧାର୍ଯ୍ୟ କରୁଛି, ସେତିକି ମଧ୍ୟ ଚାଷୀ ପାଉନାହାନ୍ତି। ଟୋକନ୍‌ ଅବଧି ପୂରଣ ହୋଇଗଲା ବୋଲି ଗତବର୍ଷ ୨ଲକ୍ଷ ୬୨ ହଜାର ୯୪୮ ଜଣ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ।

ଏମିତି ପୁଳା ପୁଳା ଚାଷୀ ସମସ୍ୟା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବେକରେ ମାଳ ହୋଇ ଓହଳିଲାଣି। କିଛି ବର୍ଷ ତଳେ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍‌ ପ୍ରସଙ୍ଗକୁ ନେଇ ଚାଲିଥିବା ଆନ୍ଦୋଳନକୁ ସରକାର ଅଣଦେଖା କରିଥିଲେ। ଏବେ କିନ୍ତୁ ତାର ପରିଣାମ ଭୀଷଣ ହେଲାଣି। ଚାଷୀ ଅସନ୍ତୋଷ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତଣ୍ଟିରେ ଯାଇ ଅଟକିଲେଣି। ସ୍ଥିତି ଏତେ ଗମ୍ଭୀର ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଚାଷୀ ପ୍ରସଙ୍ଗ ନିର୍ଣ୍ଣାୟକ ହେବ, ଏହାକୁ କେହି ଏଡ଼ାଇ ଦେଇପାରୁନାହାନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଲକ୍ଷ୍ୟ କରି ହଠାତ୍ ବିଜେଡି ଓ ବିଜେପି ଚାଷୀ ସମସ୍ୟାକୁ ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଗତ ସାଢ଼େ ତିନିବର୍ଷ ଧରି ଉଭୟ ଦଳ କୋଳାକୋଳିରେ ଥିଲେ। ଏବେ ନିର୍ବାଚନ ମନସ୍କ ହୋଇ ଯେବେ ରଣନୀତି ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଲୋକଙ୍କ ନଜର ହଟାଇବା ପାଇଁ ଚାଷୀ ପ୍ରସଙ୍ଗରୁ ପରସ୍ପର ବିରୋଧରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ରାଜରାସ୍ତାକୁ ଓହ୍ଲାଇଛି ବିଜେପି, ରାଜଧାନୀରେ ୧୧ ଦିନ ଧରି ଧାରଣା
ବରଗଡ଼ରେ ୬ଦିନ ଧରି ବିଜେଡି ଚଳାଇଛି କେନ୍ଦ୍ର ବିରୋଧୀ କାର୍ଯ୍ୟକ୍ରମ
ବିଧାନସଭାରେ ଚାଷୀଙ୍କ ପାଇଁ ଲଢ଼ୁଛି କଂଗ୍ରେସ

ପଦ୍ମପୁର ଉପନିର୍ବାଚନକୁ ଲକ୍ଷ୍ୟ ରଖି ଚାଷୀଙ୍କ ସମସ୍ୟାକୁ ଧରି ରାସ୍ତାକୁ ଓହ୍ଲାଇଛି ବିଜେପି। ପଦ୍ମପୁରକୁ ଯାଇନଥିବା ବିଜେପିର ପ୍ରମୁଖ ଟିମ୍‌ ଆଜିକୁ ୧୧ଦିନ ହେଲାଣି ଲୋୟର ପିଏମ୍‌ଜି ଛକରେ ତମ୍ବୁଟାଣି ବସିଛନ୍ତି। ପ୍ରତିଦିନ ଦଳର ଜଣେ ପ୍ରମୁଖ ନେତା ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାର ଲମ୍ବା ତାଲିକା ଧରାଉଛନ୍ତି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରତି ଦିନ ଚାଷୀ ରାଜଧାନୀକୁ ଆସୁଛନ୍ତି। ଭୁବନେଶ୍ବର ସମାବେଶରୁ ବାର୍ତ୍ତା ଧରି ଏହି ଚାଷୀମାନେ ପ୍ରତି ଗାଁ ଯାଏ ପହଞ୍ଚିବେ। ଏହାସହିତ ଡିସେମ୍ବର ପ୍ରଥମ ସପ୍ତାହରେ ୫୦ ହଜାର ଚାଷୀଙ୍କୁ ରାଜଧାନୀରେ ଏକାଠି କରି ବିଜେପି ପ୍ରମାଣ କରିବ ଯେ ରାଜ୍ୟ ସରକାର ଚାଷୀ ବିରୋଧୀ। ପଦ୍ମପୁରରେ ଦଳର ଚାଷୀ ନେତା ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ଭୁବନେଶ୍ବର ଆନ୍ଦୋଳନର ବାର୍ତ୍ତାକୁ ଏବେ ପଦ୍ମପୁର ଯାଏ ପହଞ୍ଚାଯାଉଛି ଓ ସେଠାରେ ମଧ୍ୟ ଚାଷୀମାନେ ନିର୍ଣ୍ଣାୟକ ସାଜିବେ ବୋଲି ଦଳ ଦାବି କରିଛି।

ଏହି ପ୍ରସଙ୍ଗରେ କେବଳ ଯେ ବିଜେପି କାର୍ଯ୍ୟକ୍ରମ କରୁଛି ତା’ ନୁହେଁ। ବିଜୁ ଜନତା ଦଳ ମଧ୍ୟ ବୁଝିସାରିଲେଣି ଯେ ଚାଷୀ ଅସନ୍ତୋଷକୁ ବିଜେପି ମୁହାଁ କରିବାକୁ ପଡ଼ିବ। ପଦ୍ମପୁର ଉପନିର୍ବାଚନରେ ଚାଷୀ ଭୋଟ ବ୍ୟାଙ୍କ ରାଜନୀତିର ଉଷ୍ମତାକୁ ଦଳ ମାପିବା ପରେ ବିଜେଡି ବରଗଡ ଜିଲ୍ଲାରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିଜେଡି ନେତାମାନେ ଅନୁରୂପ କୌଶଳ ଆପଣାଇଛନ୍ତି। ଆଜିକୁ ୬ଦିନ ହେଲାଣି, ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି ବିଜେଡି ନେତା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ଟାଳଟୁଳ ନୀତିକୁ ବିଜେଡି ଅସ୍ତ୍ର କରି ଆଗକୁ ବଢ଼ୁଛି।

କେବଳ କାର୍ଯ୍ୟକ୍ରମରେ ଦୁଇଦଳ ଅଟକିନାହାନ୍ତି। ବିଧାନସଭାରେ ବିଜେପି ଓ ବିଜେଡି ପ୍ରଥମ ଦିନ ଚାଷୀ ପ୍ରସଙ୍ଗରେ ହୋ-ହଲ୍ଲା କରିଥିଲେ, ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲେ। ଫସଲ ବୀମା ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ଘେରିଥିଲା, ମୁଖ୍ୟମନ୍ତ୍ରୀ ନିଜେ ଚିଠି ଲେଖିଥିଲେ। ପାଦେ ଆଗକୁ ଯାଇ ଚାଷୀକୁ ମନାଇବା ପାଇଁ ରାଜ୍ୟ ସରକାର ବର୍ଷେ ପରେ ହଠାତ୍ ୧୨ଟି ଜିଲ୍ଲାକୁ ମରୁଡ଼ି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏମିତି କେତେ କ’ଣ। ବିଜେପି ମଧ୍ୟ ଏହାର ଜବାବ ଦେବା ଲାଗି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ପଦ୍ମପୁର ଟାଣିଆଣି ରାଜ୍ୟ ସରକାର ଅସତ୍ୟ କହୁଛନ୍ତି, ଏକଥା ପ୍ରମାଣ କରିବାକୁ ଚେଷ୍ଟା କରିଛି।

ବିଜେଡି-ବିଜେପି ଭଳି କଂଗ୍ରେସ ଏତେ ଆଗୁଆ ନ ଥିଲେ ହେଁ ଦଳ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିର କୁମ୍ଭୀର କାନ୍ଦଣାକୁ ଧରାଇବାକୁ ଚେଷ୍ଟା କରିଥିଲା। କଂଗ୍ରେସ ମୁଲତବୀ ପ୍ରସଙ୍ଗ ଆଲୋଚନା ଆଳରେ ଚାଷୀଙ୍କ ପାଇଁ ଓକିଲାତି କରିଛି। ତୁରନ୍ତ ଚାଷୀ ସ୍ବାର୍ଥ ପାଇଁ ଆଲୋଚନା ଲାଗି ଦଳ ଦାବି କରିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସମୁଦାୟ ଘଟଣାକୁ ଭିନ୍ନ ଦୃଷ୍ଟିରୁ ବିଚାର କରୁଛନ୍ତି। ଏହି ମହଲର ଯୁକ୍ତି ହେଉଛି, ଓଡ଼ିଶା ଲୋକେ ଚାଷ ଉପରେ ମୁଖ୍ୟତଃ ନିର୍ଭରଶୀଳ। ହେଲେ ଚାଷୀ ଓ ଚାଷକୁ କ୍ରମାଗତ ଭାବେ ଯେଭଳି ଅବହେଳା କରାଯାଇଛି, ତାହାର ମୂଲ୍ୟ ଏବେ ଓଡ଼ିଶାକୁ ଭୋଗିବାକୁ ପଡ଼ୁଛି। ଧାନରେ ସିନା ଆଗୁଆ, ବର୍ଷର ଅଧା ସମୟ ପରିବା ପାଇଁ ମଧ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। ଉଭୟ କେନ୍ଦ୍ର ଓ ରାଜ୍ୟର କାହାର ଦୋଷକୁ ନୀଚ୍ଚା ଦେଖାଯାଇପାରିବ ନାହିଁ। ଧାନ ବିହନ ଠାରୁ ଆରମ୍ଭକରି ସାର, କୀଟନାଶକ ଯୋଗାଣ ଏସବୁ ଠିକ୍ ସମୟରେ କେବେ ବି ଯୋଗାଣ ହୋଇପାରୁନାହିଁ। ଋଣ ଟଙ୍କା ବଣ୍ଟନ କେଳେଙ୍କାରୀ ସମବାୟ ବିଭାଗ ମୁଣ୍ଡରେ ଟିକା ଭଳି ଲାଗିଛି। ଚାଷୀର ଉତ୍ପାଦନ ଠାରୁ ବଳି ପଡ଼ିଲାଣି ବିକ୍ରି ସମସ୍ୟା। ବୋନସ୍‌ କଥା ଛାଡ଼, ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନି। ଓଡ଼ିଶାର ଏମିତି କେଉଁ ଚାଷୀ ନାହିଁ, ଯାହା ଠାରୁ କଟ୍‌ନି, ଛଟ୍‌ନି ଆଳରେ ମିଲର ଶହେ ଦୁଇଶହ ଟଙ୍କା କାଟିଦେଇନି। ସରକାର ଏହା ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ନାହିଁ। ଏମ୍‌ଏସ୍‌ପି ବାହାରେ ଥିବା ଚାଷର ସ୍ଥିତି ଆହୁରି ଗମ୍ଭୀର। ଓଡ଼ିଶାରେ କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟି ଆଦିର ବୈଜ୍ଞାନିକ ଓ ବିଶେଷଜ୍ଞ ମାନଙ୍କ ସିଦ୍ଧାନ୍ତ ସିଂହଭାଗ ଚାଷୀଙ୍କ ପାଇଁ ସ୍ବପ୍ନ। ଖାଦ୍ୟ ପ୍ରକ୍ରିୟାକରଣ, ବଜାର, ଶୀତଳଭଣ୍ଡାର କଥା ନ କହିବା ଭଲ। ରାଜ୍ୟ ସରକାର ଗତ ୧୦ବର୍ଷ ଭିତରେ କୃଷି ବଜେଟ୍‌ କରି ୧ଲକ୍ଷ ୩୫ ହଜାର କୋଟି ଖର୍ଚ୍ଚ କରିବା ପରେ ବି ଚାଷୀର ଜମିକୁ ଠିକ୍ ସମୟରେ ପାଣି ମୁନ୍ଦେ ନ ମିଳିବା ଯେମିତି ଗୋଟିଏ ବଡ ପ୍ରଶ୍ନ, କାଳିଆ, ପିଏମ୍‌ କିଷାନ୍‌ର ପ୍ରଭାବ ଚାଷ ଉପରେ ବିଶେଷ ପଡ଼ୁନଥିବା ମଧ୍ୟ ଚିନ୍ତାର ବିଷୟ।

Agriculture Post

ଗୋଟିଏ ପଟେ ମରୁ଼ଡ଼ି, ବନ୍ୟା, ବାତ୍ୟା ଚାଷୀର ସ୍ଥିତିକୁ ସଙ୍ଗିନ୍ କରିଥିବା ବେଳେ ଅନ୍ୟପଟରେ ଶିଳ୍ପ, ଖଣି, ଭିତ୍ତିଭୂମି, ଆବାସିକ ଓ ବାଣିଜ୍ୟିକ ଭଳି ଅଣକୃଷି କାର୍ଯ୍ୟକଳାପ ପାଇଁ ଚାଷ ଜମି ଦ୍ରୁତ ଗତିରେ ହ୍ରାସ ପାଇବା ଏ କ୍ଷେତ୍ରରେ ଆହୁରି ଏକ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି। ସରକାର ଅବିଚାରିତ ଭାବେ କିସମ ପରିବର୍ତ୍ତନକୁ ଅନୁମତି ଦେଉଛନ୍ତି।

ସ୍ବାଭାବିକ ଭାବେ ଏତେ ଗୁଡ଼ିଏ ସମସ୍ୟା ଭିତରେ ଚାଷୀ ଛନ୍ଦି ହେବା ଦ୍ବାରା ଯେଉଁ ଅସନ୍ତୋଷ ଏହି ମହଲରେ ସୃଷ୍ଟି ହୋଇଥିଲା, ତାହା ଏବେ ସଙ୍ଗିନ୍ ରୂପ ନେବାକୁ ବସିଛି। ଏବଂ ରାଜନୈତିକ ଦଳର ନେତାମାନେ ଚାଷୀ ଅସନ୍ତୋଷକୁ ଧରି ରାଜନୀତିର ରୁଟିସେକିବା ଆରମ୍ଭ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ପଦ୍ମପୁର ଉପନିର୍ବାଚନରେ ଏହି ପ୍ରସଙ୍ଗର ଭିତ୍ତି ପଡ଼ିଛି। ଆଗକୁ ରାଜ୍ୟର ପ୍ରାୟ ୧୩୦ ନିର୍ବାଚନମଣ୍ଡଳୀରେ ବଡ଼ ପ୍ରସଙ୍ଗ ଭାବେ ଉଭା ହେବ, ଏହା ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି।

ସମ୍ବନ୍ଧିତ ଖବର