କୋଣାର୍କ : ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶର ଐତିହ୍ୟସ୍ଥଳୀଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ମାତ୍ର ପୂର୍ବ ଏସିଆର ଆକର୍ଷଣ କୋଣାର୍କ ସୂର୍ଯ୍ୟମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ବଙ୍ଗୋପସାଗର ଉପକୁଳ ଏବେ ସମ୍ପୂର୍ଣ୍ଣ ମୁକୁଳା ପଡ଼ିଛି। ମିଳିଥିବା ସୂଚନା ମୁତାବକ ସୂର୍ଯ୍ୟମନ୍ଦିରର ପୂର୍ବ ଦିଗରେ ଚନ୍ଦ୍ରଭାଗାଠାରେ ରହିଥିବା ବଙ୍ଗୋପସାଗରର ଉପକୁଳ ସମ୍ପୂର୍ଣ୍ଣ ମୁକୁଳା ପଡ଼ିଛି । ଚନ୍ଦ୍ରଭାଗାରୁ ଉଭୟ ପାର୍ଶ୍ବରେ ଦେବୀ ନଦୀ ମୁହାଣ ଓ ପୁରୀ ପର୍ଯ୍ୟନ୍ତ କୌଣସି ପାଟ୍ରୋଲିଂ ବ୍ୟବସ୍ଥା ନାହିଁ । ସାମୁଦ୍ରିକ ଥାନା କିମ୍ବା କୋଷ୍ଟ ଗାର୍ଡ଼ କେହି କେବେବି ସମୁଦ୍ର ମଧ୍ୟରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିନାହିଁ। ଫଳରେ ଜଳପଥଦେଇ କୋଣାର୍କକୁ ଅନୁପ୍ରବେଶକାରୀ ପ୍ରବେଶ କରିବାର ପଥ ଉନ୍ମୁକ୍ତ ରହିଛି।

Advertisment

publive-image

ଅନ୍ୟ ପକ୍ଷରେ ମନ୍ଦିରର ପାଇଁ ପ୍ରତ୍ୟେହ ଏକ ଘରୋଇ ସଂସ୍ଥାର ୩୦ ଜଣ ସୁରକ୍ଷା କର୍ମୀ ମୁତୟନ ହେଉଥିବାର ଜଣାପଡ଼ିଛି । ଏହି ୩୦ ଜଣ ସୁରକ୍ଷା କର୍ମୀ ତିନିଟି ପର୍ଯ୍ୟାୟରେ ଡ଼୍ୟୁଟି କରୁଥିବା ବେଳେ ପ୍ରତ୍ୟେକ ପର୍ଯ୍ୟାୟରେ ୮ରୁ ୧୦ ଜଣ ପାଳି କରି ଡ଼୍ୟୁଟି କରିଥାନ୍ତି। ମନ୍ଦିରର ସୁରକ୍ଷା ପାଇଁ ମୁତୟନ ହୋଇଥିବା ୩୦ ଜଣ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ସାପ୍ତାହିକ ଛୁଟି ବାବଦରେ ପ୍ରତିଦିନ ୪ ଜଣ ଅନୁପସ୍ଥିତ ରହିଥାନ୍ତି। ମନ୍ଦିରର ସୁରକ୍ଷା ଦାୟିତ୍ବରେ ପ୍ରତ୍ୟେହ ୧୮ ଜଣ ପୁରୁଷ ସୁରକ୍ଷା କର୍ମୀ , ୪ ଜଣ ମହିଳା ସୁରକ୍ଷା କର୍ମୀ ଓ ୮ ଜଣ ବନ୍ଧୁକ ଧାରୀ ସୁରକ୍ଷା କର୍ମୀ ରହିଛନ୍ତି । ପ୍ରତ୍ୟେହ ସକାଳ ୬ ଟାରୁ ଅପରାହ୍ନ ୨ଟା , ଅପରାହ୍ନ ୨ଟାରୁ ରାତ୍ରି ୧୦ ଟା ଓ ରାତ୍ରି ୧୦ ଟାରୁ ଭୋର ୬ଟା ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଏହି ସୁରକ୍ଷା କର୍ମୀ ଡ଼୍ୟୁଟି କରିଥାନ୍ତି। ପ୍ରଥମ ପର୍ଯ୍ୟାୟରେ ୮ ଜଣ ପୁରୁଷ , ୨ ଜଣ ମହିଳା ଓ ୩ ଜଣ ବନ୍ଧୁକଧାରୀ ସୁରକ୍ଷା କର୍ମୀ ମୁତୟନ ହେଉଥିବା ବେଳେ ଦ୍ବିତୀୟ ସିଫ୍ଟରେ ମଧ୍ୟ ଅନୁରୁପ ସୁରକ୍ଷାକର୍ମୀ ଡ଼୍ୟୁଟି କରିଥାନ୍ତି । ମାତ୍ର ରାତ୍ରିରେ ୫ ଜଣ ସୁରକ୍ଷା କର୍ମୀ ଓ ଦୁଇଜଣ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଡ଼୍ୟୁଟି କରିଥାନ୍ତି।

publive-image

ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ମନ୍ଦିର ମୁଖ୍ୟ ପ୍ରବେଶଦ୍ବାରରେ ଦୁଇଜଣ ମହିଳା ସୁରକ୍ଷାକର୍ମୀ, ୨ଜଣ ପୁରୁଷ ସୁରକ୍ଷାକର୍ମୀ ଓ ଜଣେ ବନ୍ଧୁକଧାରୀ ଜଗି ରହୁଥିବା ବେଳେ ଟିକେଟ୍‌ କାଉଣ୍ଟର ନିକଟରେ ଜଣେ ବନ୍ଧୁକଧାରୀ ଓ ଜଣେ ସୁରକ୍ଷାକର୍ମୀ ଜଗିଥାନ୍ତି। ଅବଶିଷ୍ଟ ୪ ଜଣ ସୁରକ୍ଷା କର୍ମୀ ୧୦ ଏକରରୁ ଅଧିକ ଅଞ୍ଚଳ ପରିମିତ ମନ୍ଦିର ପରିସରକୁ ଜଗୁଥିବା ବେଳେ ଜଣେ ବନ୍ଧୁକଧାରୀ ପାଟ୍ରୋଲିଂ ଦାୟିତ୍ବ ତୁଲାଇଥାନ୍ତି। ଅନ୍ୟପକ୍ଷରେ ମନ୍ଦିର ପ୍ରବେଶ ପଥରେ ଲଗେଜ୍‌ ସ୍କାନର୍‌ ଓ ମେଟାଲ୍‌ ଡିଟେକ୍ଟର ନଥିବାରୁ ୪୦ ଟଙ୍କା ଦେଇ ଟିକେଟ କରିବା ପରେ ମନ୍ଦିର ମଧ୍ୟକୁ ଯେକୌଣସି ‌ବ୍ୟକ୍ତି ଯେକୌଣସି ଜିନିଷ ନେଇ ପ୍ରବେଶ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ତେଣୁ କୋଣାର୍କ ସୂର୍ଯ୍ୟମନ୍ଦିର ଏବେ ବି ସପ୍ଟ ଟାର୍ଗେଟ ହୋଇରହିଛି। ଅନ୍ୟପକ୍ଷରେ ଏବେ ପର୍ଯ୍ୟଟନଋତୁର ଗହଳିକୁ ଦେଖି ଡିସେମ୍ବର ୨୫ରୁ ନୂଆବର୍ଷ ପର୍ଯ୍ୟନ୍ତ ଏକ ପ୍ଳାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ଏବେ ଗହଳି କମିବା ପରେ ୧୦ ଜଣ ମଧ୍ୟରେ ସୀମିତ ରହିଛି ବୋଲି ସ୍ଥାନୀୟ ଥାନା ଅଧିକାରୀ ରଂଜନ ମଲ୍ଲିକ କହିଛନ୍ତି।

ଏଣେ ୧୦ ଏକରରୁ ଅଧିକ ଅଞ୍ଚଳକୁ ଚାରି ପାଖରୁ ଜଗୁଥିବା ୪ ଜଣ ସୁରକ୍ଷା କର୍ମୀଙ୍କ ଦୃଷ୍ଟି ଆଢ଼ୁଆଳରେ ପର୍ଯ୍ୟଟକମାନେ ମନ୍ଦିରର ନିଷିଦ୍ଧାଞ୍ଚଳରେ ପଶି ଫଟୋ ଉଠାଉଥିବା ଦେଖାଯାଇଛି। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ଦିରର ସୁରକ୍ଷା ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ ପାଇଁ ଉପରସ୍ତରରୁ ନିର୍ଦ୍ଦେଶ ଥିବା ବେଳେ ଏଏସଆଇ ଏହାକୁ ଅଣଦେଖା କରୁଥିବାର ଶୁଣିବାକୁ ମିଳିଛି । ଏଦିଗରେ ପୁରୀ ଜିଲ୍ଲାପାଳ ଓ ସଂସ୍କୃତି ବିଭାଗ ଦୃଷ୍ଟି ଦେଇ ମନ୍ଦିରର ସୁରକ୍ଷା ପାଇଁ ଅଧିକ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ମୁତୟନ କରିବା ସହିତ ମୁଖ୍ୟ ପ୍ରବେଶପଥରେ ତୁରନ୍ତ ଲଗେଜ୍‌ ସ୍କାନର୍‌ ଓ ମେଟାଲ୍‌ ଡିଟେକ୍ଟର ଲଗାଇବା ପାଇଁ ଦାବି ହେଉଛି ।