ପୁରୀ : ‘ଗୋଟିଏ ଜାତିର ସଂସ୍କୃତି ମଣିଷର ଆତ୍ମାରେ ଥାଏ’। ପାଥରପୁରୀ ହଷ୍ଟେଲ୍ ମଧ୍ୟରେ ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିର ନିମ୍ନଭାଗରେ ଲେଖାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତି ଆମ ସଂସ୍କୃତି ମନସ୍କ ମାନସିକତାକୁ ବ୍ୟକ୍ତ କରୁଛି। ମାତ୍ର ବାସ୍ତବରେ ସଂସ୍କୃତି ଓ ମହାପୁରୁଷଙ୍କ ପ୍ରତି ଆମର କେତେ ସମ୍ମାନ ଅଛି, ତାହା ସେଇ ପ୍ରତିମୂର୍ତ୍ତି ସ୍ଥଳରୁ ହିଁ ଜଳଜଳ ବାରି ହୋଇପଡ଼ୁଛି। କେବଳ ରୀବନ୍ଦ୍ରନାଥ ଟାଗୋର ନୁହଁନ୍ତି, ବରଂ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା କରିଚାଲିଛି ପ୍ରଶାସନ। କେବଳ ଉତ୍କଳ ଦିବସ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଜନ୍ମଦିନ ଓ ଶ୍ରାଦ୍ଧବାର୍ଷିକ ଆସିଲେ ପ୍ରଶାସନର ଦରଦ ଉଚ୍ଛୁଳି ପଡ଼େ। ଅନ୍ୟ ସମୟରେ ଏଥିରେ ପ୍ରଶାସନ ପକ୍ଷରୁ ସଫେଇ ତ ଦୂରର କଥା ରଙ୍ଗ ଟିକିଏ ମାରିବାକୁ ବି ଆନ୍ତରିକତା ନଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ହିଁ ଛକର ପରିଚୟ। ୧୯୯୨ରୁ ସ୍ଥାପିତ ହୋଇଥିବା ଏହି ପ୍ରତିମୂର୍ତ୍ତିରୁ ବକଳ ବକଳ ହୋଇ ରଙ୍ଗ ଉତୁରି ଯାଇଥିଲେ ସୁଦ୍ଧା ଏହାକୁ ମରାମତି କରାଯାଉନାହିଁ। ପୂର୍ବରୁ ଏହି ସ୍ଥାନରେ ଜଳ ଫୁଆରା ନିର୍ମିତ ହୋଇଥିଲା। ଜଳ ଓ ଆଲୁଅମାଳା ମଧ୍ୟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସେହି ସ୍ଥାନର ଶୋଭାକୁ ଦ୍ବିଗୁଣିତ କରୁଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଅଚଳ ହୋଇଯାଇଥିଲେ ହେଁ ଏହାକୁ ଆଉ ସଜଡ଼ା ଯାଉନାହିଁ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ସ୍ଥଳ ମିନି ଉଦ୍ୟାନ ଏବେ ବଣବୁଦାରେ ପରିଣତ ହୋଇଛି। ସୁସଜ୍ଜିତ ବୃକ୍ଷରାଜି ଏବେ କଣ୍ଟାବଣ ପାଲଟିଯାଇଛି। ଜିଲ୍ଲାପାଳ ଏବଂ ପୌରସଂସ୍ଥାର ଅଧିକାରୀମାନେ ଯାତାୟତ ବାଟରେ ପଡ଼ୁଥିଲେ ବି ଏହାକୁ ସୁଧାରିବା ପାଇଁ ଆନ୍ତରିକତା ପ୍ରକାଶ ପାଉନାହିଁ। ପାଥରପୁରୀ ହଷ୍ଟେଲ୍ ପରିସରରେ ଥିବା ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ଅବସ୍ଥା ଆହୁରି ତଦ୍ରୂପ। ଦୀର୍ଘଦିନ ହେବ ହଷ୍ଟେଲ୍କୁ ନେଇ ବିବାଦ ଚାଲିଥିବା ବେଳେ ଏହି ଅଡ଼ୁଆରେ ମହାପୁରୁଷ ବି ଫସିଯାଇଛନ୍ତି। ପ୍ରତିମୂର୍ତ୍ତି ସ୍ଥଳ ଜଙ୍ଗଲରେ ପରିଣତ ହୋଇଥିବା ବେଳେ ପ୍ରତିମୂର୍ତ୍ତି ବାହାରକୁ ଦୃଶ୍ୟମାନ ହେଉନାହିଁ। ଆଚାର୍ଯ୍ୟ ହରିହର ଛକରେ ‘ଭଲ ମଣିଷ ହୁଅ’ ଭଳି ସବୁଠୁ ମୂଲ୍ୟବାନ ବାର୍ତ୍ତାବାଣ୍ଟୁଥିବା ଆଚାର୍ଯ୍ୟ ହରିହରଙ୍କ ପାଦରୁ ମୁଣ୍ଡ ଯାଏଁ ଧୂଳି ଚରିଗଲାଣି। ଷ୍ଟେସନ ରୋଡ୍ ନିକଟରେ ସ୍ଥାପିତ ଜୟୀ ରାଜଗୁରୁଙ୍କ ସମ୍ମୁଖ ଭାଗ ଅଘୋଷିତ ଗାଡ଼ି ଷ୍ଟାଣ୍ଡ୍ ପାଲଟିଛି। ପୁରୀ ଭଳି ପର୍ଯ୍ୟଟନ ସହରକୁ ଯେବେ ପର୍ଯ୍ୟଟକମାନେ ଆସନ୍ତି, କିଛି ପର୍ଯ୍ୟଟକ ମହାପୁରୁଷଙ୍କ ପାଖରେ ଅଟକି ଯାଆନ୍ତି। ମାତ୍ର ଯୁଗସ୍ରଷ୍ଟାଙ୍କ ବେକରେ ଶୁଖିଲା ଫୁଲମାଳ ଝୁଲୁଥିଲେ ବି ଏହାକୁ କଢ଼ାଯାଏ ନାହିଁ। ପ୍ରତିମୂର୍ତ୍ତି ଧୂଳିଧୂସର ହେଉଥିଲେ ସୁଦ୍ଧା କେବେ ଧୁଆଯାଏ ନାହିଁ। ରଙ୍ଗ ଛାଡ଼ିଗଲେ ବି ରଙ୍ଗ ଲଗାଇବା ପାଇଁ ଉଦ୍ୟମ ହୁଏ ନାହିଁ। ନା କୌଣସି ସଂସ୍ଥାକୁ ଏହାର ଦାୟିତ୍ବ ଦିଆଯାଉଛି ନା ପ୍ରଶାସନ ପକ୍ଷରୁ ଏନେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ପ୍ରତିମୂର୍ତ୍ତି ସ୍ଥାପନ କରି ଯତ୍ନ ନନେବା କୌଣସି ଅପମାନଠାରୁ କମ୍ ନୁହେଁ ବୋଲି ସଂସ୍କୃତିପ୍ରେମୀମାନେ କହିଛନ୍ତି।