କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଅଣଦେଖା, ୧୦ ମାସ ହେଲା ନାହାନ୍ତି ସ୍ଥାୟୀ କୁଳପତି

କେଉଁଠି ପଡ଼ିଛି ଚୟନ କମିଟିର ସୁପାରିସ?

ଭୁବନେଶ୍ବର : କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା(ସିୟୁଓ)ରେ ସ୍ଥା‌ୟୀ କୁଳପତି ନାହାନ୍ତି। ପଢ଼ାଇବାକୁ ନିୟମିତ ପ୍ରଫେସର ନାହାନ୍ତି। ଅଣଶିକ୍ଷକ ପଦ ବି ଖାଲି ପଡ଼ିଛି। ନୂଆ ନିଯୁକ୍ତି ହେଉନି କି ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସୁଦୃଢ଼ କରାଯାଉନି। ବରଂ ୧୩ ବର୍ଷର ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ କମୁଛି। ଗୋଟିଏ ମାତ୍ର ୟୁଜି(ସ୍ନାତକ) ବିଷୟରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ହାତଗଣତି ପିଜି ବିଭାଗ ରହିଛି। କେନ୍ଦ୍ର ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ତାହାର ବିପରୀତ ଦେଖିବାକୁ ମିଳୁଛି। ନୂତନ ପାଠ୍ୟକ୍ରମ ଖୋଲୁ ନାହିଁ। ଗୋଟିଏ ପଟେ ଦେଶର ଅନ୍ୟାନ୍ୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହେଉଥିବା ବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ କାହିଁକି ଅଣଦେଖା କରାଯାଉଛି ତା‌ହା ଜଣାପଡ଼ୁ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। କିନ୍ତୁ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ଦିଗରେ ସେ ନିଜେ ପଦକ୍ଷେପ ନ ନେବା ପଛର କାରଣ ‌କ’ଣ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

Aglasem

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପାଖାପାଖି ବର୍ଷେ ହେଲା ଏଠାରେ ସ୍ଥାୟୀ କୁଳପତି ନାହାନ୍ତି। ୨୦୨୧ ଜୁଲାଇ ୨୮ରେ ସ୍ଥାୟୀ କୁଳପତି ଆଇ. ରାମବ୍ରହ୍ମମଙ୍କ ପରଲୋକ ପରେ ଏହି ପଦ ଖାଲି ପଡ଼ିଛି। ତା’ମାନେ ନୁହେଁ ଯେ ନିଯୁକ୍ତି ପ୍ରକ୍ରିୟା ହୋଇ ନାହିଁ। ବରଂ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରଫେସର ଏହି ପଦ ଲାଗି ଆବେଦନ କରିଥିଲେ। ଆବେଦନପତ୍ର ଗ୍ରହଣ ସରିବା ପରେ ତିନି ଜଣିଆ ଚୟନ କମିଟି ଗଠନ କରାଯାଇ ଆବେଦନକାରୀ ପ୍ରଫେସରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସରିଛି। କମିଟିର ସଦସ୍ୟମାନେ ଆବେଦନପତ୍ର ଯାଞ୍ଚ କରିବା ସହ ୫ ଜଣିଆ ସଂକ୍ଷିପ୍ତ ପ୍ରଫେସରଙ୍କ ନାମ ତାଲିକାକୁ ଶିକ୍ଷା ମନ୍ତ୍ରଣାଳୟ ନିକଟକୁ ପଠାଇ ସାରିଛନ୍ତି। ତେବେ ଏହି ତାଲିକା କେଉଁଠି ଅଟକିଛି ତାହା କେହି କହିପାରୁ ନାହାନ୍ତି। ଏଥର କୁଳପତି ଦୌଡ଼ରେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ଜଣେ ଓଡ଼ିଶା ଭିତରର ଏକ ବିଶ୍ବବିଦ୍ୟାଳୟର ପ୍ରଫେସର ହୋଇଥିବା ବେଳେ ଅନ୍ୟ ଜଣଙ୍କ ରାଜ୍ୟ ବାହାରେ କାର୍ଯ୍ୟରତ ଅଛନ୍ତି। ସିୟୁଓ ସମେତ ଦେଶର ଆଉ ୩ଟି ବିଶ୍ବବିଦ୍ୟାଳୟ କୁଳପତି ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁବାସ ସରକାର ମାର୍ଚ୍ଚ ମାସରେ ରାଜ୍ୟସଭାରେ କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ।

ସ୍ଥାୟୀ କୁଳପତି ନ ଥିବାରୁ ସିୟୁଓରେ ଶିକ୍ଷକ ଓ ଅଣଶିକ୍ଷକ ଚୟନ ପ୍ରକ୍ରିୟା ଆଗେଇପାରୁନି। ଅସ୍ଥାୟୀ କୁଳପତିଙ୍କର ନୂତନ ପ୍ରଫେସରଙ୍କୁ ନିଯୁକ୍ତି ଦେବାର କ୍ଷମତା ନାହିଁ। ଆର୍ଥିକ କ୍ଷମତା ବି ସଙ୍କୁଚିତ କରି ଦିଆଯାଇଛି। ଯାହାକି ଏବେ ବିଶ୍ବବିଦ୍ୟାଳୟ ବିକାଶରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ବିଶ୍ବବିଦ୍ୟାଳୟ ଲାଗି ଅନୁମୋଦିତ ୧୫୪ ନିୟମିତ ଶିକ୍ଷକ ପଦବି ମଧ୍ୟରୁ ୧୩୭ଟି ଖାଲି ପଡ଼ିଛି। ୧୪ଟି ବିଭାଗରେ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କୁ ପଢ଼ାଇବା ଲାଗି ମାତ୍ର ୧୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରୁ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ସମୟରେ ଅକ୍ଟୋବର ଭିତରେ ଖାଲି ପଦ ପୂରଣ କରାଯିବ ବୋଲି କହିଥିଲେ। ମାତ୍ର ସିୟୁଓ କ୍ଷେତ୍ରରେ ସେଭଳି କିଛି ଦେଖିବାକୁ ମିଳି ନାହିଁ। ଏଭଳି ସ୍ଥିତିରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ କିଭଳି ପାଠପଢ଼ା ହେଉଥିବ ତାହା ଅନୁମେୟ। ନିୟମିତ ଶିକ୍ଷକ ଅଭାବ ଥିବାରୁ ୬୦ରୁ ଅଧିକ ଚୁକ୍ତିଭିତ୍ତିକ ତଥା ଅତିଥି ଶିକ୍ଷକଙ୍କୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି।

ସମ୍ବନ୍ଧିତ ଖବର