ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ଅଣଦେଖା

ବାଧକ ଜମି, ମିଳୁନି ବିକଳ୍ପ ଜାଗା

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟରେ ରହିଛି ସର୍ବପୁରାତନ ବ୍ରିଟିସ ଅମଳର ଏୟାର‌୍‌ଷ୍ଟ୍ରିପ୍‌। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶ ସରକାରଙ୍କ ଦ୍ବାରା ଏହି ଐତିହାସିକ ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯାଇଥିଲା। ଏହାକୁ ସବୁଦିନିଆ ବିମାନବନ୍ଦରରେ ପରିଣତ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ ନାମରେ ପରିଚିତ ଏହି ବିମାନବନ୍ଦରକୁ ପୂର୍ଣ୍ଣାଙ୍ଗ ରୂପ ଦେବାପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି। ଆବଶ୍ୟକ ଅନୁସାରେ ଜାଗା ନଥିବାରୁ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସବୁଦିନିଆ ବିମାନବନ୍ଦରରେ ପରିଣତ କରାଯାଇପାରୁ ନାହିଁ। ସେପଟେ ରାଜ୍ୟ ସରକାର ମାଲକାନଗିରିରେ ଫାଷ୍ଟଟ୍ରାକ୍‌ ମୋଡ୍‌ରେ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ପୂର୍ବରୁ ମାଲକାନଗିରି ଠାରେ ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ଅବହେଳା କରାଯାଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟିଦେଇ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ର ସଂପ୍ରସାରଣ କରନ୍ତୁ, ନହେଲେ ବିକଳ୍ପ ଜାଗା ଚିହ୍ନଟ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Facebook

ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟ ପାଇଁ ସମଗ୍ର ଦକ୍ଷିଣ ଓଡ଼ିଶାବାସୀ ରେଶମ ସହର ବ୍ରହ୍ମପୁର ଉପରେ ନିର୍ଭର କରିଥାନ୍ତି। ଏଠାରେ ସମସ୍ତ ପ୍ରକାର ସୁବିଧା ଥିଲେ ସୁଦ୍ଧା ବିମାନବନ୍ଦରଟିଏ ପ୍ରତିଷ୍ଠା ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଉଡ଼ାନ୍‌ ଯୋଜନାରେ ମଧ୍ୟ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ ସାମିଲ ହୋଇପାରିଲା ନାହିଁ। ଆବଶ୍ୟକ ଭିତ୍ତିଭୂମି ଓ ଜାଗା ନଥିବାରୁ ରଙ୍ଗେଇଲୁଣ୍ତା ବିମାନବନ୍ଦର ଏହି ତାଲିକାରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛି। ପ୍ରାୟ ୩୮ଏକର ଜମିରେ ତିଆରି ହୋଇଥିବା ଏୟାର୍‌ଷ୍ଟ୍ରିପ୍‌ରେ ଥିବା ୮୩୨ ମିଟର‌୍‌ ରନ୍‌ୱେକୁ ଦ୍ବିଗୁଣିତ କରି ୧୮ଶହ ମିଟର‌୍‌ କରିବାକୁ ଯୋଜନା ହୋଇଥିଲା। ହେଲେ, ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ କାମ ଆଗେଇ ପାରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏଠାରେ କେବଳ ଭିଭିଆଇପିଙ୍କ ହେଲିକପ୍ଟର୍‌, ଆର୍ମି ଏଡି କଲେଜର ଛୋଟ ବିମାନଗୁଡ଼ିକ ଅବତରଣ କରୁଛି।

ଦକ୍ଷିଣ ଓଡ଼ିଶାର ବାଣିଜ୍ୟିକ ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁର ସହରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରତିଦିନ ଏଠାରୁ ଶତାଧିକ ଲୋକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଭଳି ସହରକୁ ଯାତ୍ରା କରୁଛନ୍ତି। ନିକଟସ୍ଥ ବିମାନବନ୍ଦର କହିଲେ ୨୭୫ କିମି ଦୂର ବିଶାଖାପାଟଣା ଏବ˚ ୧୬୫କିମି ଦୂର ଭୁବନେଶ୍ବରରେ ରହିଛି। ଏଣୁ ଏହା ଉପରେ ପ୍ରାୟତଃ ସମସ୍ତେ ନିର୍ଭର କରନ୍ତି। ବ୍ରହ୍ମପୁର ମହାନଗରରେ ଆଇଜର୍‌ ସମେତ ଗୋଟିଏ ବିଶ୍ବବିଦ୍ୟାଳୟ, ୧୫ଟି ଇଞ୍ଜିନିୟରି˚ କଲେଜ, ଏୟାର୍‌ ଡିଫେନ୍ସ କଲେଜ, ଗୋଟିଏ ମେଡିକାଲ କଲେଜ, ନର୍ସି˚ କଲେଜ, ତିନୋଟି ଫାର୍ମାସୀ କଲେଜ, ଗୋଟିଏ ମତ୍ସ୍ୟବିଜ୍ଞାନ କଲେଜ, ଆଇଆର‌୍‌ଇ ଓ ଗୋପାଳପୁର ବନ୍ଦର ରହିଛି। ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଏଠାକୁ ପଢ଼ିବା ପାଇଁ ଆସୁଛନ୍ତି। ସେମାନଙ୍କ ଯାତାୟାତ ପାଇଁ ଏକ ବିମାନବନ୍ଦର ନିଶ୍ଚିତ ରୂପେ ସହାୟକ ହେବ। ଏଣୁ ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ୍‌ ଫୋରମ୍‌ ତରଫରୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର