ଇଗ୍‌ନୋ ‌ଶେଷବର୍ଷ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର : ଜୁନ୍‌ ୧ରେ ଅନୁଷ୍ଠିତ ହେବାକୁ ଥିବା ଇଗ୍‌ନୋର ଶେଷ ବର୍ଷ(ଟର୍ମ ଏଣ୍ଡ) ପରୀକ୍ଷାକୁ ଲକ୍‌ଡାଉନ୍‌ ଯୋଗୁଁ ସ୍ଥଗିତ ରଖାଯାଇଛି। ପରୀକ୍ଷାର ୧୫ ଦିନ ପୂର୍ବରୁ ନୂତନ ପରୀକ୍ଷା ତାରିଖ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ର ନିର୍ଦେଶକ ଏସ୍‌ କେ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଦେଶର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଭୁବନେଶ୍ବର ଜୋନ୍‌ରେ ୨୧ଟି ଜିଲ୍ଲାର ୩୭ଟି ପରୀକ୍ଷା କେନ୍ଦ୍ରରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ପରୀକ୍ଷା ଦେବେ। କରୋନା ପରି ଏକ ମହାମାରୀ ସମୟରେ ଭୁବନେଶ୍ବରସ୍ଥିତ ଇଗ୍‌ନୋ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଡିଜିଟାଲ ମିଡିଆର ଭରପୁର ଉପଯୋଗ କରାଯାଇଛି। ସ୍ଥାନୀୟ ବିଶେଷଜ୍ଞଙ୍କ ସହାୟତାରେ ଅନ୍‌ଲାନ୍‌ରେ ମିଟିଂ, କାଉନସେଲିଂ ଆଦି ହେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନଦର୍ଶନ, ଜ୍ଞାନବାଣୀ, ଫେସ୍‌ବୁକ୍‌, ୟୁଟ୍ୟୁବ ମାଧ୍ୟମରେ ଅନେକ ଶିକ୍ଷା କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ବୋଲି ଇଗ୍‌ନୋ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଇଗ୍‌ନୋ କୁଳପତି ପ୍ରଫେସର ନାଗେଶ୍ବର ରାଓ ୱେବନର ସମ୍ମିଳନୀରେ କହିଥିଲେ ଯେ ପଢ଼ିବାକୁ ବିଦ୍ୟାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବା ଆବଶ୍ୟକ। ଲକ୍‌ଡାଉନ୍‌ ପାଇଁ ଆସାଇନ୍‌ମେଣ୍ଟ ଦାଖଲ, ପରୀକ୍ଷା ଫର୍ମ ପୂରଣ ଓ ପୁନଃ ନାମଲେଖା ଆଦିର ସମୟ ସୀମାକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍‌ଲାଇନ୍‌ରେ ପ୍ରୋଜେକ୍ଟ ଦାଖଲ ଲାଗି ଏକ ମୋଡା‌ଲିଟିଜ୍‌ ପ୍ରସ୍ତୁତ କରାଯାଉଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର