ବ୍ରହ୍ମପୁର : ମାତ୍ର ପାଞ୍ଚମାସ ତଳେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଏବେ ଚର୍ଚ୍ଚାରେ। ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁ, ବାସ୍ତବରେ ଘଟଣା ନା ଦୁର୍ଘଟଣା ? ବିଭିନ୍ନ ମହଲରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲେ ହେଁ ଏହା ଉପରୁ ରହସ୍ୟ ଉଠିନାହିଁ।

Advertisment

ଗତକାଲି ରାତି ୮ଟା ପରେ ଭଞ୍ଜନଗର ଥାନା ଶାଳୁଆପଲ୍ଲୀର ବନ ବିଭାଗ ଡାକବଙ୍ଗଳାରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ରୁଦ୍ଧଦ୍ବାର ବୈଠକକୁ ବସିଥିଲା। ଏଠାରେ ଭୋଜିଭାତ ବି ଆୟୋଜିତ ହୋଇଥିଲା। ତେବେ କାହିଁକି ଏହି ଗୁପ୍ତ ବୈଠକ ଡକାଯାଇଥିଲା, ଏଂସକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳିନି। ତେବେ, ଗତକାଲି ଭଞ୍ଜନଗର ଏସଡିପିଓ ହଠାତ୍‌ ନିଜ ଆଡ଼ୁ ‘ସମ୍ବାଦ’ ପାଖରେ ଘଟଣା ସଂପର୍କରେ ପ୍ରତିକ୍ରିୟା ରଖିଥିଲେ। ଆଉ ଦେବ୍‌ଙ୍କ ଭଉଣୀ ତାଙ୍କୁ ଫୋନ୍ କରି କ୍ବାର୍ଟରକୁ ଯିବାକୁ କହିଥିଲେ ବୋଲି ସ୍ପଷ୍ଟୀକରଣ ଦେଇଥିଲେ। ଏହାର କିଛି ସମୟ ପରେ ଏସ୍‌ଡିପିଓ ନିଜ ଆଡ଼ୁ ତାଙ୍କ ଓ ଦେବ୍‌ଙ୍କ ସାନଭଉଣୀ କୃଷ୍ଣପ୍ରିୟାଙ୍କ ଭିତରେ ହୋଇଥିବା ମାତ୍ର ଅଳ୍ପ ସମୟର ଅଡ଼ିଓ ବାର୍ତ୍ତାଳାପର କ୍ଲପ୍‌କୁ ଭାଇରାଲ୍ କରିଥିବା କୁହାଯାଉଛି। ଏଥିରେ କୃଷ୍ଣପ୍ରିୟା କହୁଛନ୍ତି, ତାଙ୍କ ଭାଇ ମାନସିକ ଅଶାନ୍ତିରେ ଅଛନ୍ତି ଓ ରିଭଲଭର୍ ଧରି ବୁଲୁଛନ୍ତି। କାଳେ ସେ ଆତ୍ମହତ୍ୟା କରିଦେବ, ଏଥିପାଇଁ କାହାକୁ ପଠାଇ ତାଙ୍କୁ ଅଟକାଇବା ପାଇଁ ସେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଅନୁସନ୍ଧାନରୁ ହସ୍ତଗତ ହୋଇଥିବା ତଥ୍ୟାନୁସାରେ, ଦେବ୍‌ଙ୍କ ସାନଭଉଣୀ ଅନ୍ୟ ଜାତିରେ ବିବାହ କରିଥିବାରୁ ପରିବାର ସହିତ ତାଙ୍କର ସଂପର୍କ କଟିଯାଇଥିଲା। ‌ଫଳରେ ଦେବ୍‌ କିଭଳି ମାନସିକ ଅବସାଦରେ ଥିବା ଭଉଣୀ ଜାଣିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ପତ୍ନୀ କହୁଛନ୍ତି, ଦେବ୍‌ଙ୍କ ମାନସିକ ଅବସ୍ଥା ଭଲ ଥିଲା। ସେ ଛୁଟିରେ ଆସିବାକୁ ଚାହୁଁଥିଲେ। ଫଳରେ କିଏ ମିଛ କହୁଛି ଓ କିଏ ସତ କହୁଛି, ଏହା ନିଶ୍ଚିତ ଭାବେ ତଦନ୍ତସାପେକ୍ଷ।

ଇତ୍ୟବସରରେ ‘ ସମ୍ବାଦ’କୁ ଶବ ବ୍ୟବଚ୍ଛେଦର ପ୍ରାଥମିକ ତଥ୍ୟ ହସ୍ତଗତ ହୋଇଛି। ବ୍ରହ୍ମପୁର ବଡ଼ ମେଡିକାଲ୍ ଏଫଏମଟି ବିଭାଗର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁସା‌ରେ ଗୁଳିଟି ଦେବ୍‌ଙ୍କ ବାମପଟ ଜଂଘରେ ପଶି ଡାହାଣ ପଟ ପିଚା ଦେଇ ବାହାରିଛି। ଅତି ନିକଟରୁ ଗୋଟିଏ ରାଉଣ୍ଡ୍ ଗୁଳି ହୋଇଥିବାରୁ ମୁଖ୍ୟ ଧମନୀ(ଭେନ୍‌) ନଷ୍ଟ ହୋଇଛି। ଅତ୍ୟଧିକ ରକ୍ତସ୍ରାବ କାରଣରୁ ହିଁ ତାଙ୍କର ମୃତ୍ୟୁ ହୋଇଛି।