ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ନିଲମ୍ବିତ

୨୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ

ବଙ୍ଗୋମୁଣ୍ତା: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ପୁଲିସ ମହାନିର୍ଦେଶକ ସସପେଣ୍ଡ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ (ଆଇଆଇସି) ଆଲୋକ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏକ ମାମଲା ରଫାଦଫା କରିବାକୁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ।
ସୂଚନା ଅନୁସାରେ, ଆଇଆଇସି ଶ୍ରୀ ବେହେରା ଚାର୍ଜସିଟ୍ରୁ ନାଁ କାଟିବା ପାଇଁ ଚାନ୍ଦୋତରା ଏସ୍ବିଆଇ ଶାଖାରେ ପୂର୍ବରୁ କାର୍ଯ୍ୟରତ ଅଜିତ ଘଡ଼େଇଙ୍କୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦୨୦ ମସିହାରେ ବ୍ୟାଙ୍କ ଆକାଉଣ୍ଟରୁ ଶ୍ରୀ ଘଡ଼େଇଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୬ ଲକ୍ଷ ୪ଶହ ୩ଟଙ୍କା ଟ୍ରାନ୍ସଫର୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ, ତାଙ୍କ ପତ୍ନୀଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ଚାର୍ଜସିଟ୍ରୁ ତାଙ୍କ ପତ୍ନୀଙ୍କ ନାଁ କାଟିବା ପାଇଁ ଥାନାଧିକାରୀ ଏହି ଲାଞ୍ଚ ଟଙ୍କା ମାଗିଥିଲେ। ତେବେ, ଶ୍ରୀ ଘଡ଼େଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶ୍ରୀ ଘଡ଼େଇ ଥାନା ଭିତରେ ଆଇଆଇସି ଶ୍ରୀ ବେହେରାଙ୍କୁ ଭେଟି ୨୫ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହିତ ଥାନାଧିକାରୀ ଶ୍ରୀ ବେହେରାଙ୍କୁ ଗିରଫ କରିଥିଲେ। ବରଗଡ଼ ଭିଜିଲାନ୍ସ ଡିଏସ୍ପି ପୌଲସ୍ତି ଛତ୍ରିଆଙ୍କ ନେତୃତ୍ବରେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ୨୦୨୨ ବର୍ଷ ଆରମ୍ଭରେ ଛେଳି ଚୋରିକରି ମାଂସ ଭୋଜି କରିବାରେ ଏହି ଥାନା ବିବାଦୀୟ ହୋଇଥିଲା। ଏବେ ବର୍ଷର ଶେଷ ମାସରେ ଏହି ଥାନାର ଅଧିକାରୀ ଲାଞ୍ଚ ନେଇ ଗିରଫ ହେବା ଘଟଣା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।

ସମ୍ବନ୍ଧିତ ଖବର