ବଦଳିଲେ ବାଲିଆପାଳ ଥାନା ଆଇଆଇସି, ରେମୁଣା ଥାନା ଆଇଆଇସିଙ୍କୁ ମିଳିଲା ଦାୟିତ୍ବ

ବାଲିଆପାଳ : ଗତକାଲି ବାଲିଆପାଳ ଥାନା ଅଞ୍ଚଳରେ ଏକ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ  ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆଜି ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଥିବା ଜଣାଯାଇଛି। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଂଜିତ ସାହୁଙ୍କୁ ଅବସ୍ଥାପିତ କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ବାଲିଆପାଳ ଥାନାଠାରୁ ଏକ କିମି ଦୂର ଇଡ୍କୋ ଛକ ନିକଟରେ ଥିବା ରାଜଧାନୀ ଢାବାରେ କାର୍ଯ୍ୟ କରୁଥିବା କମର୍ଦ୍ଦା ଥାନା ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ନାବାଳକ ପୁଅ ବିଜୟ(୧୬)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ଗତକାଲି ମିଳିଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିରୁ ବିଜୟକୁ ମାରି ଟାଙ୍ଗି ଦିଆଯାଇଥିବା ସନ୍ଦେହ କରିଥିଲେ। ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ସକାଳ ୭ଟା ସମୟରେ ସାଦା ପୋଷାକରେ ସେଠାରେ ପହଞ୍ଚିଥିଲେ ମଧ୍ୟ ଘଟଣାକୁ ହାଲୁକା ଭାବରେ ନେଇଥିଲେ। ସେତେବେଳେ ଢାବାର ଅନ୍ୟ କର୍ମଚାରୀ ତଥା ଢାବା ମାଲିକ ଉପସ୍ଥିତ ଥିଲେ ମଧ୍ୟ ଆଇଆଇସି ଢାବା ମାଲିକ ସାହାବୁଦ୍ଦିନ ସାହାଙ୍କ ସହ କଥାବାର୍ତ୍ତା କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଘଟଣାସ୍ଥଳରେ ଦୁଇଜଣ କନେଷ୍ଟବଳ ରଖି ଶ୍ରୀ ଆଚାର୍ଯ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଏହି ଢାବାରେ ଦୀର୍ଘଦିନ ହେଲା ନିଶା କାରବାର ସାଙ୍ଗକୁ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲାବେଳେ କୌଣସି କାରଣରୁ ବିଜୟକୁ ହତ୍ୟାକରି ଟାଙ୍ଗି ଦିଆଯାଇଥିବା ଲୋକେ ଅଭିଯୋଗ କରିଥିଲେ। ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସଂପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କ୍ରମଶଃ ଲୋକଙ୍କ ଗହଳି ବଢ଼ିବା ସହ ସେଠାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଢାବା ଭଙ୍ଗାରୁଜା ଆରମ୍ଭ କରିବା ସହ ଆସବାବପତ୍ର ପୋଡ଼ିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଣିଥରେ ଆଇଆଇସି କିଛି ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ଆସବାବପତ୍ର ନ ଭାଙ୍ଗିବାକୁ ତାଗିଦ କରିଥିଲେ। ଏଥିରେ ଅସନ୍ତୋଷର ନିଆଁ ଆହୁରି ଜଳିଥିଲା। ପୁଲିସ ଢାବା ମାଲିକଠାରୁ ଟଙ୍କା ନେଇ ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗକରି ଲୋକେ ଆଇଆଇସିଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ ଏବଂ ଅଭିଯୁକ୍ତଙ୍କୁ କ’ଣ ପାଇଁ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଲୋକେ ଆଇଆଇସିଙ୍କ ପ୍ରତି ଆକ୍ରମଣାତ୍ମକ ହେଉଥିବା ଲକ୍ଷ୍ୟକରି ସେ ଘଟଣାସ୍ଥଳରୁ ଦୌଡ଼ି ଯାଇ ଏକ ବାଇକରେ ବସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପଛପଟୁ ଶହଶହ ପୁରୁଷ ଓ ମହିଳା ଠେଙ୍ଗାବାଡ଼ି ତଥା ଚପଲ ଧରି ଗୋଡ଼ାଇଥିଲେ। ଆଇଆଇସି ପଳାଇଯାଉଥିବା ବାଇକକୁ ଗୋଇଠା ମାରି ପକାଇଦେବା ସହ ତାଙ୍କୁ ଗଡ଼ାଇତଡ଼ାଇ ମାଡ଼ ମାରିଥିଲେ। ଶ୍ରୀ ଆଚାର୍ଯ୍ୟ ତଳେ ପଡ଼ିଯାଇ ପାଣି ପାଣି ଚିତ୍କାର କରିବାରୁ ସ୍ଥାନୀୟ କିଛି ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ନେଇ ଆସିଥିଲେ।

ସମ୍ବନ୍ଧିତ ଖବର