ଦେଶରେ ପ୍ରଥମ : ଅନଲାଇନରେ ହେବ ଆଇଆଇଏମ୍‌ ସମ୍ବଲପୁରର ପରୀକ୍ଷା, ୧୨ ବିଷୟରେ ଶହେ ବିଦ୍ୟାର୍ଥୀ ଦେବେ ପରୀକ୍ଷା

ସମ୍ବଲପୁର : ଲକ୍‌ଡାଉନ ଯୋଗୁ ଅନ୍‌ଲାଇନ୍‌ରେ ହେବ ଆଇଆଇଏମ୍‌ ସମ୍ବଲପୁରର ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ପରୀକ୍ଷା। ଅନ୍‌ଲାଇନ ପ୍ରୋକ୍ଟୋରିଂ ସିଷ୍ଟମରେ ପରୀକ୍ଷା କରିବାରେ ସମ୍ବଲପୁର ଏହାଫଳରେ ଦେଶର ପ୍ରଥମ ଆଇଆଇଏମ୍‌ ହେବ ବୋଲି ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ କହିଛନ୍ତି। ଜୁନ୍‌ ମାସରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଲକ୍‌ଡାଉନ୍‌ରେ କଲେଜ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ମେଡିକାଲ, ଇଂଜିନିୟରିଂ ସମେତ ସବୁ ବୈଷୟିକ ବିଷୟର ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଝୁଲୁଛି ବର୍ଷ ନଷ୍ଟ ହେବାର ଖଣ୍ଡା । ଆଇଆଇଏମ୍‌ ସମ୍ବଲପୁର ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନଙ୍କ ପରୀକ୍ଷା ମାର୍ଚ ଦ୍ବିତୀୟ ଏବଂ ତୃତୀୟ ସପ୍ତାହରେ ହୋଇଥାଏ। ଲକଡାଉନ୍‌ ଯୋଗୁଁ ସବୁ ବିଦ୍ୟାର୍ଥୀଙ୍କୁ ବାଧ୍ୟ ହୋଇ କଲେଜ ଏବଂ ଛାତ୍ରାବାସ ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ ଯେଉଁଭଳି କୋଭିଡ୍‌ ଏବଂ ଲକ୍‌ଡାଉନ୍‌ ସ୍ଥିତି ରହିଛି ଏହା କେବେ ସ୍ବାଭାବିକ ହେବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି। ଏହି ସ୍ଥିତିର ମୁକାବିଲା ପାଇଁ ଅନ୍‌ଲାଇନ୍‌ ପ୍ରୋକ୍ରୋରିଂ ପ୍ରକ୍ରିୟା ଗ୍ରହଣ କରାଯାଉଛି। ବିଦ୍ୟାର୍ଥୀମାନେ ଘରେ ବସି ଲାପ୍‌ଟପ୍‌ କିମ୍ବା କମ୍ପୁଟରରେ ପରୀକ୍ଷା ଦେବେ। ପ୍ରଥମ ବର୍ଷର ଶହେ ବିଦ୍ୟାର୍ଥୀ ୧୨ ବିଷୟର ପରୀକ୍ଷା ଦେବେ। ପରୀକ୍ଷା ସମୟରେ ବିଦ୍ୟାର୍ଥୀମାନେ କୌଣସି ବାହାରର ସହାୟତା ମଧ୍ୟ ନେଇ ପାରିବେ ନାହିଁ। ପରୀକ୍ଷା ସମୟରେ ବିଦ୍ୟାର୍ଥୀଙ୍କ ସାମାନ୍ୟ ଚଳପ୍ରଚଳ ଧରାପଡ଼ିଯିବ। ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ଉତ୍ତରଖାତା ମୂଲ୍ୟାୟନ ଆଇଆଇଏମ୍‌ ସମ୍ବଲପୁରର ଫେକଲ୍‌ଟିମାନେ ହିଁ କରିବେ। ତୃତୀୟ ପକ୍ଷ ଏହି ପରୀକ୍ଷା ପରିଚାଳନା କରିବେ। ଏଥିପାଇଁ କୋଟେସନ୍‌ ମଗାଯାଇଛି। ଅନ୍‌ଲାଇନ ପରୀକ୍ଷାରେ ବିଶେଷ ଖର୍ଚ ମଧ୍ୟ ହେବ ନାହିଁ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର