ଆଇଆଇଏମ୍‌ ସମ୍ବଲପୁରର ତୃତୀୟ ଦୀକ୍ଷାନ୍ତ ସମାରୋହ

୩ ଜଣଙ୍କୁ ସ୍ବର୍ଣ୍ଣ ପଦକ, ୬୦ଙ୍କୁ ଡିଗ୍ରି

ସମ୍ବଲପୁର : ଆଇଆଇଏମ୍‌ ସମ୍ବଲପୁରର ତୃତୀୟ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଗୁଜରାଟ ସମବାୟ ଦୁଗ୍ଧ ବ୍ୟବସାୟ ପ୍ରତିଷ୍ଠାନ ଅମୁଲର ପରିଚାଳନା ନିର୍ଦେଶକ ଡ.ଆର୍‌.ଏସ୍‌.ସୋଢ଼ି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡ.କୁରିଏନଙ୍କର ୪ ସୂତ୍ରୀ ନୀତିବା‌ଣୀକୁ ଦୋହରାଇଥିଲେ।

ଡ. ସୋଢି କହିଥିଲେ ଯେ, ଆମର ପ୍ରଥମ କର୍ତ୍ତବ୍ୟ ଦେଶ ପାଇଁ, ଦ୍ବିତୀୟ କର୍ତ୍ତବ୍ୟ କୃଷକ ତଥା ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ, ତୃତୀୟରେ ନିଜ ଅନୁଷ୍ଠାନ ପାଇଁ ଓ ଚତୁର୍ଥ ତଥ‌ା ଶେଷ କର୍ତ୍ତବ୍ୟ ନିଜ ପାଇଁ ରହିବା ଆବଶ୍ୟକ।

ସମାରୋହ ପ୍ରାରମ୍ଭରେ ଆଇଆଇଏମ୍‌ ସମ୍ବଲପୁର ଅଧ୍ୟକ୍ଷ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଆରମ୍ଭ ଘୋଷଣା କରିଥିଲେ। ପରେ ନିର୍ଦେଶକ ପ୍ରଫେସର ମହାଦେଓ ଜୟଶ୍ବାଲଙ୍କ ଦ୍ବାରା ନିର୍ଦେଶକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।

ଅଧ୍ୟକ୍ଷ ଶ୍ରୀମତି ଭଟ୍ଟାଚାର୍ଯ୍ୟ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରି କହିଥିଲେ ବର୍ତ୍ତମାନ ଆମେ ଏଭଳି ଏକ ବିଶ୍ବରେ ରହିଛୁ ଯେ, ଯାହାର କୌଣସି ସ୍ଥିରତା ନାହିଁ ଓ ଦ୍ରୁତଗତିରେ ବଦଳୁଛି। କେବଳ ଏହା ନୁହେଁ ବରଂ ଆବଶ୍ୟକତାଠାରୁ ଅଧିକ ପରିମାଣର ପ୍ରାକୃତିକ ସମ୍ପଦର ବ୍ୟବହାର ଯୋଗୁଁ ଏହା ଆମର ଆଗାମୀ ପିଢ଼ି ପାଇଁ ବିପଦ ସୃଷ୍ଟି କରୁଛି। ଏହାସତ୍ତ୍ବେ ମଧ୍ୟ କ୍ୟାରିୟର ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ନିଜର ଦାୟିତ୍ବବୋଧକୁ ବଜାୟ ରଖିବା।

ସମାରୋହରେ ବୋର୍ଡ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବୋଷ୍ଠାନ୍‌ କନସଲଟିଂ ଗ୍ରୁପର ପରିଚାଳନା ନିର୍ଦେଶକ ଆଶିଷ ଗର୍ଗ, ଜେଏସ୍‌ଡବ୍ଲ୍ୟୁ ଏନର୍ଜି ଲିମିଟେଡ ନିର୍ଦେଶକ ଜ୍ୟୋତିକୁମାର ଅଗ୍ରୱାଲ, ଏୟାରଟେଲ ଭଭିପି ସୁଚେତା ମହାପାତ୍ର, ବଜାଜ ଏଲାଏନ୍ସ ଲାଇଫ ଇନସୁରାନ୍ସର ପରିଚାଳନା ନିର୍ଦେଶକ ଓ ସିଇଓ ତରୁଣ ସିଂ, କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ସିହ୍ନା, ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

ଏହି ଅବସରରେ ଅନୁଷ୍ଠାନର ୬୦ ଜଣଙ୍କୁ ମ୍ୟାନେଜମେଣ୍ଟ ଡିଗ୍ରି ପ୍ରଦାନ କରାଯାଇଥିବାବେଳେ ୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର