ନୂଆ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତା: ଧର୍ମେନ୍ଦ୍ର

ଆଇଆଇଏମ୍ ସମ୍ବଲପୁରର ୭ମ ପ୍ରତିଷ୍ଠା ଦିବସ

ଶିକ୍ଷା ରାଷ୍ଟ୍ର ନିର୍ମାଣର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାଦାନ: ସୁବ୍ରତ ବାଗ୍‌ଚୀ

ସମ୍ବଲପୁର : ଆମ ଯୁବ ପିଢ଼ିକୁ ସମୟ ଅନୁଯାୟୀ ବିକଶିତ ଓ ଦକ୍ଷ କରିବା ଲକ୍ଷ୍ୟ ରଖି ‘ଜାତୀୟ ଶିକ୍ଷା ନୀତି -୨୦୨୦’ ପ୍ରସ୍ତୁତ କରାଯାଇଛି। ସମସ୍ତେ ପାଇପାରିବା ମୂଲ୍ୟରେ ଶିକ୍ଷାର ଉପଲବ୍‌ଧତା, ସମାନତା ଓ ଗୁଣବତ୍ତା ଏହି ଶିକ୍ଷାନୀତିର ଆଧାର। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଖିରେ ରଖି ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଓ ଉନ୍ନତି ଏହି ନୀତିର ମୂଳ ଉଦ୍ଦେଶ୍ୟ। ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନ ଏହି ଶିକ୍ଷା ନୀତି ବଳରେ ରାଷ୍ଟ୍ର ଗଠନରେ ସହାୟକ ହେବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗୁରୁବାର ଆଇଆଇଏମ୍‌ ସମ୍ବଲପୁରର ସପ୍ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀ ପ୍ରଧାନ କହିଲେ, ସମ୍ବଲପୁର ଓଡ଼ିଶାର ଦ୍ରୁତ ଅଭିବୃଦ୍ଧିଶୀଳ ସହର ମଧ୍ୟରୁ ଗୋଟିଏ। ଏହାର ଐତିହ୍ୟ ଓ ସଂସ୍କୃତି ଅତି ସମୃଦ୍ଧ। ବୀର ସୁରେନ୍ଦ୍ର ସାଏଙ୍କ ଭଳି ସ୍ବାଧୀନତା ସଂଗ୍ରାମୀ, ଗଂଗାଧରଙ୍କ ଭଳି ମହାନ୍ କବି, ଭୀମ ଭୋଇଙ୍କ ଭଳି ସନ୍ଥ ଏହି ମାଟିରୁ ଜନ୍ମ ହୋଇଛନ୍ତି। ତାଙ୍କ ଜୀବନରୁ ସମସ୍ତେ ପ୍ରେରଣା ନେବା ଉଚିତ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଲେ, ରାଷ୍ଟ୍ର ନିର୍ମାଣର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାଦ‌ାନ ଗୁଡ଼ିକ ମଧ୍ୟରେ ଶିକ୍ଷା ଅନ୍ୟତମ। ଦେଶ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ଥିବା ନେତୃତ୍ବ ସୃଷ୍ଟି ଦିଗରେ ଆଇଆଇଏମ୍‌ ସମ୍ବଲପୁର ସଫଳତାର ସହ ଆଗେଇ ଚାଲିଛି। ନୂତନତ୍ବ, ସଚ୍ଚୋଟପଣ ଓ ସହଭାଗିତାର ମନ୍ତ୍ର ନେଇ ଆଗକୁ ବଢ଼ୁଥିବା ଏହି ଅନୁଷ୍ଠାନ ନିଜ ଲକ୍ଷ୍ୟରେ ସଫଳ ହେଉ। ଗୋଟିଏ ଉଚ୍ଚ ଶିକ୍ଷାନୁଷ୍ଠାନର ସଫଳତା ପାଇଁ ଢାଞ୍ଚାଗତ ଭିତ୍ତିଭୂମି, ଡିଜିଟାଲ୍ ଭିତ୍ତିଭୂମି ସହ ବୌଦ୍ଧିକ ଓ ଭାବନାଗତ ଭିତ୍ତିଭୂମି ଜରୁରୀ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଫ୍ଲିପ୍‌କାର୍ଟର ମୁଖ୍ୟ କର୍ପୋରେଟ୍ ବ୍ୟାପାର ଅଧିକାରୀ ରଜନୀଶ କୁମାର କହିଲେ, କରୋନା ମହାମାରୀ ଅନେକ କିଛି ବଦଳାଇ ଦେଇଛି। କିଭଳି ବହୁ ବର୍ଷର ବ୍ୟବସାୟ ଗୋଟିଏ ବର୍ଷରେ ଭୁଶୁଡ଼ି ପଡ଼େ ଓ କିଭଳି ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସଂଘର୍ଷ କରୁଥିବା ଅନୁଷ୍ଠାନ ବି ବ‌ଞ୍ଚି ରହେ ତାହା ଏହି ମହାମାରୀ ଶିକ୍ଷା ଦେଇଛି।
ସଭାରେ ଅଧ୍ୟକ୍ଷତା କରି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେବ ପ୍ରସାଦ ଜୟସ୍ବାଲ ସୀମିତ ସମୟ ମଧ୍ୟରେ ଆଆଇଏମ୍ ସମ୍ବଲପୁର ହାସଲ କରିଥିବା ଉପଲବ୍‌ଧି ଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଅଲିମ୍ପିକ୍ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଏବଂ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌ଙ୍କୁ ସମ୍ମାନିତ କରାଯାଇଥିଲା।

ଶେଷରେ ପ୍ର. ମେର୍ଲିନ୍ ନନ୍ଦୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର