ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବା ସହିତ ପ୍ରାୟ ୭୦ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି। ଏହି ଅବସରରେ ଆଇଆଇଏମ୍‌ ସମ୍ବଲପୁର ପରିସରରେ ସମବେତ ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜୀବୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଶିଳାନ୍ୟାସ ଓ ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ଶିକ୍ଷା, ରେଳ, ରାସ୍ତା, ବିଜୁଳି, ପେଟ୍ରୋଲିୟମ୍‌ ଆଦି ସଂପର୍କିତ ବହୁ ବଡ଼ ବଡ଼ ପ୍ରକଳ୍ପ ସାମିଲ ରହିଛି। ଏହାର ଭରପୂର ଲାଭ ଓଡ଼ିଶାର ଗରିବ, ଶ୍ରମିକ, କର୍ମଚାରୀ, ବ୍ୟବସାୟୀ, ଚାଷୀଙ୍କ ସହ ସମାଜର ସମସ୍ତ ବର୍ଗର ଲୋକଙ୍କୁ ମିଳିପାରିବ। ଓଡ଼ିଶାର ବିକାଶ ସହ ଯୁବପିଢ଼ିଙ୍କ ପାଇଁ ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଶିକ୍ଷାକ୍ଷେତ୍ରରେ ଅନେକ ସୁଧାର ଅଣାଯାଇଛି। ଆଇଆଇଏମ୍‌ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନ ଓଡ଼ିଶା ମାଟିକୁ ଆହୁରି ସଶକ୍ତ କରୁଛି। ୩ ବର୍ଷ ତଳେ କରୋନା ସମୟରେ ଆଇଆଇଏମ୍‌ କ୍ୟାମ୍ପସ୍‌ର ଶିଳାନ୍ୟାସ କରିଥିଲି। ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖି ମୁଁ ଜାଣିପାରୁଛି କ୍ୟାମ୍ପସ୍‌ କେତେ ସୁନ୍ଦର ହୋଇଛି। ଓଡ଼ିଶା ସମେତ ରାଜ୍ୟଗୁଡ଼ିକର ବିକାଶ ହେଲେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ। ଗତ କିଛି ବର୍ଷରେ ଆମେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ କରିଆସିଛୁ। ଓଡ଼ିଶା ଆଜି ପେଟ୍ରୋଲିୟମ୍‌ ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ ହାସଲ କରୁଛି। ୧୦ ବର୍ଷରେ ୧୨ଗୁଣରୁ ଅଧିକ ରେଳ ପ୍ରକଳ୍ପ ଓଡ଼ିଶାକୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଓଡ଼ିଶାର ଗାଁରେ ୫୦ ହଜାର କିଲୋମିଟର ରାସ୍ତା ତିଆରି କରାଯାଇଛି। ରାଜ୍ୟରେ ୪୦୦୦ କିମିରୁ ଅଧିକ ନୂଆ ଜାତୀୟ ରାଜପଥ ତିଆରି କରାଯାଇଛି। ଏହା ଦ୍ବାରା ଓଡ଼ିଶା-ଝାଡ଼ଖଣ୍ଡ ଦୂରତା ବି କମିବ। ସୁବର୍ଣ୍ଣପୁର ରେଳ ପ୍ରକଳ୍ପ ଦ୍ବାରା ଭଗବାନ ଜଗନ୍ନାଥଙ୍କ ଦର୍ଶନ ସୁବିଧା ହୋଇଯିବ ବୋଲି ସେ କହିଥିଲେ। ଶସ୍ତା ବିଜୁଳି ଯେମିତି ସମସ୍ତେ ପାଇବେ, ସେଥିପାଇଁ ଆମେ ସବୁବେଳେ ପ୍ରୟାସ କରିଆସିଛୁ। ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର ଯେଉଁ ଶିଳାନ୍ୟାସ କରାଗଲା, ତାର ଲକ୍ଷ୍ୟ ବି ସମାନ ରହିଛି। କୋଇଲା ଉତ୍ପାଦନ କ୍ଷେତ୍ରରେ ନୂଆ ଖନନ ନୀତି ଅଣାଯାଇଛି। ଯାହାର ଲାଭ ସିଧାସଳଖ ଓଡ଼ିଶାର ଲୋକଙ୍କୁ ମିଳିପାରିଛି। ଇତିମଧ୍ୟରେ ଓଡ଼ିଶାକୁ ୨୫ ହଜାର କୋଟି ଟଙ୍କାର ଲାଭାଂଶ ଦିଆସରିଛି। ସେହି ଲାଭାଂଶ କୋଇଲା ଉତ୍ପାଦନ ହେଉଥିବା ଅଞ୍ଚଳଗୁଡ଼ିକରେ ବିନିଯୋଗ କରାଯାଉଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ଜଣେ ନିଷ୍ଠାବାନ ବ୍ୟକ୍ତିତ୍ବ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ରାଷ୍ଟ୍ରସେବାରେ ନିଜର ଜୀବନ ବିନିଯୋଗ କରୁଥିବା ଲୋକଙ୍କୁ ରାଷ୍ଟ୍ର କେବେ ଭୁଲେ ନାହିଁ। ଆଦରଣୀୟ ଆଡଭାନୀଙ୍କ ମାର୍ଗଦର୍ଶନ ମୋତେ ସବୁବେଳେ ମିଳୁଥିଲା‌ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କ ପକ୍ଷରୁ ଆଡ଼ଭାନୀଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ କହି ଅଭିଭାଷଣ ଆରମ୍ଭ କରିଥିଲେ। ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଓଡ଼ିଶା ସବୁଠୁ ଆଗରେ ରହିଥିବା କହିଥିଲେ। ଓଡ଼ିଶାରେ ପାଖାପାଖି ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଆଇଆଇଏମ୍‌ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଶ୍ବର ବିଭିନ୍ନ ମର୍ଯ୍ୟାଦାଜନକ ଶିଳ୍ପାନୁଷ୍ଠାନରେ ଉଚ୍ଚ ପଦପଦବିରେ ଅବସ୍ଥାପିତ ହେଉଛନ୍ତି। ସେମାନେ ନିଜ କ୍ୟାରିଅରର ବିକାଶ ଲାଗି ଧ୍ୟାନ ଦେବା ସହ ନିଜ ରାଜ୍ୟର ବିକାଶ ଲାଗି ପ୍ରୟାସୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଆଇଆଇଏମ୍‌ର ନବନିର୍ମିତ କ୍ୟାମ୍ପସ୍‌ ଉଦ୍‌ଘାଟନ ସମାରୋହରେ ସ୍ବାଗତ ଅଭିଭାଷଣ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ସବୁବେଳେ ପୂର୍ବ ଭାରତର ବିକାଶକୁ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି। ନିକଟରେ ଆଗତ କେନ୍ଦ୍ର ବଜେଟ୍‌ରେ ସର୍ବାଧିକ ୧ ଲକ୍ଷ ୨୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୨୦୧୪ ତୁଳନାରେ ୫୦ ଭାଗ ବୃଦ୍ଧି ହୋଇଛି। ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି। ଝିଅମାନଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକଭାବେ ବୃଦ୍ଧି ପାଉଛି। ସମାରୋହରେ ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ରେଂଗାଲି ବିଧାୟକ ନାଉରୀ ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ ୪୦୧.୯୪ କୋଟି ଟଙ୍କା ବିନିଯୋଗରେ ୨୦୦ ଏକରରେ ପରିବ୍ୟାପ୍ତ ଆଇଆଇଏମ୍‌ର ୩୨ଟି କୋଠା ବିଶିଷ୍ଟ କ୍ୟାମ୍ପସକୁ ଏନବିସିସି ପକ୍ଷରୁ ନିର୍ମାଣ କରାଯାଇଛି। ଆଞ୍ଚଳିକ ସମ୍ବଲପୁରୀ କଳାକୁ ଆଇଆଇଏମ୍‌ କ୍ୟାମ୍ପସ୍ କୋଠାଗୁଡ଼ିକରେ ସ୍ଥାନ ଦିଆଯାଇଛି।