ସମ୍ବଲପୁର : ସୋମବାର ଆଇଆଇଏମ୍ ସମ୍ବଲପୁରର ଏମ୍ବିଏ ଷଷ୍ଠ ବ୍ୟାଚ୍ ଓ ପିଏଚ୍ଡି ଦ୍ବିତୀୟ ବ୍ୟାଚ୍ର ଅନୁସ୍ଥାପନ ସମାରୋହ ଆରମ୍ଭ ହୋଇଛି। ଅନ୍ଲାଇନ୍ ମାଧ୍ୟମରେ ହୋଇଥିବା ଏହି ଅନୁସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି ସଚିବ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଏବଂ ଉବର ଇଣ୍ଡିଆ ଓ ସାଉଥ୍ ଏସିଆର ସଭାପତି ପ୍ରଭଜିତ୍ ସିଂହ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଆଇଆଇଏମ୍ ସମ୍ବଲପୁରର ମୂଳ ଲକ୍ଷ୍ୟ ମଧ୍ୟରୁ ଅନ୍ତର୍ଭୁକ୍ତୀକରଣ ହେଉଛି ବୋଲି ଆଇଆଇଏମ୍ ସମ୍ବଲପୁର ନିର୍ଦେଶକ ପ୍ରଫେସର ମହାଦେବ ଜୟଶ୍ବାଲ କହିଥିଲେ। ଲିଙ୍ଗ, ସାମାଜିକ ଅର୍ଥନୈତିକ ଶ୍ରେଣୀ, ସମୃଦ୍ଧ ଶିଳ୍ପ ଅଭିଜ୍ଞତା ସହ ବିବିଧ ପାଠ୍ୟକ୍ରମ ପୃଷ୍ଠଭୂମି ଦୃଷ୍ଟିରୁ ଆଇଆଇଏମ୍ ସମ୍ବଲପୁର ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଛାତ୍ରମାନଙ୍କଠାରୁ ଦାୟିତ୍ବବାନ୍ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଆଇଆଇଏମ୍ ସମ୍ବଲପୁର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଫେସର ଜୟଶ୍ବାଲ ତାଙ୍କ ବକ୍ତବ୍ୟରେ କହିଥିଲେ।
ଏହି ନୂତନ ଏମ୍ବିଏ ବ୍ୟାଚ୍ରେ ସମ୍ପୂର୍ଣ୍ଣ ୧୬୮ଟି ଆସନ ପୂରଣ ହୋଇଛି। ଯେଉଁଥିରେ ୪୦ ପ୍ରତିଶତ ଛାତ୍ରୀ ରହିଛନ୍ତି। ୭୨ ପ୍ରତିଶତ ଛାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମ ସାରି ଏଠାକୁ ଆସିଥିବା ସମୟରେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ପୂର୍ବରୁ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସୋମବାରର ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ୩ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିଲେ। ୫ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଅନୁସ୍ଥାପନ କାର୍ଯ୍ୟକ୍ରମରେ ବଜାଜ୍ ଆଲିଆଞ୍ଜ୍ ସିଇଓ ତରୁଣ ଚୌଗ, ଆଦାନୀ ଧମାରା ବନ୍ଦରର ସିଇଓ ସୁବ୍ରତ ତ୍ରିପାଠୀ, କେନ୍ଦ୍ର ସରକାରଙ୍କ ଡିଏଆର୍ପିଜି ଅତିରିକ୍ତ ସଚିବ ଭି.ଶ୍ରୀନିବାସ, ଆଇଏଫ୍ସିଏଲ୍ର ପରିଚାଳନା ନିର୍ଦେଶକ ଡ.ଇ.ଶଙ୍କର ରାଓ, ଜେଏସ୍ଡବ୍ଲ୍ୟୁ ନିର୍ଦେଶକ(ଅର୍ଥ) ଜ୍ୟୋତି କୁମାର ଅଗ୍ରୱାଲ, ଆଇବିଏମ୍ ଉପାଧ୍ୟକ୍ଷ ପ୍ରତିଭା ମହାପାତ୍ର, ଆଦିତ୍ୟ ବିର୍ଲା ଗ୍ରୁପ୍ର ସଭାପତି ଉମେଶ ଅଧିକାରୀ, ମର୍ସର ମେଟିର ସିଇଓ ସିଦ୍ଧାର୍ଥ ଗୁପ୍ତା, ଡିଏସ୍ଏମ୍ ରୋୟାଲ୍ ଏଚ୍ଆର୍ ମୁଖ୍ୟ ଦିନେଶ ମୁରୁଗେସନ୍, ଆଇଆଇଏମ୍ ଅହମ୍ମଦାବାଦର ପ୍ରଫେସର ଏମ୍.ଆର୍ ଦୀକ୍ଷିତ, ଆଇଆଇଏମ୍ ଲକ୍ଷ୍ନୌର ପ୍ରଫେସର ସବ୍ୟସାଚୀ ସିହ୍ନା, ଇନ୍ଫୋସିସ୍ର ରଶ୍ମି ସ୍ବାଇଁ, କେପିଏମ୍ଜି ଇଣ୍ଡିଆର ପ୍ରସାଦ ଉନ୍ନିକ୍ରିଷ୍ଣନ୍ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/iim-sambalpur.jpg)