କ୍ୟାମ୍ପସ୍‌କୁ ଫେରିଲେ ଆଇଆଇଏମ୍‌ ଛାତ୍ରଛାତ୍ରୀ, ୧୪ ଦିନ ସଂଗରୋଧରେ ରହିବେ

ସମ୍ବଲପୁର : ପୁଣି ଥରେ ଚଳଚଞ୍ଚଳ ହୋଇଛି ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ୍‌। ପ୍ରାୟ ୧୧ ମାସର ବ୍ୟବଧାନ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ଥିତ କ୍ୟାମ୍ପସ୍‌କୁ ଫେରିଛନ୍ତି ଛାତ୍ରଛାତ୍ରୀ। ସରକାରଙ୍କ ସମସ୍ତ ନିୟମାବଳୀର ଅନୁପାଳନ କରି ପୁଣିଥରେ କ୍ଲାସ୍‌ରୁମ୍ ପାଠପଢ଼ାର ଉପକ୍ରମ ସ୍ବରୂପ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଡକା ଯାଇଥିବା ଆଇଆଇଏମ୍ ପକ୍ଷରୁ କହାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତିଷ୍ଠାନର ପ୍ରଥମ ଓ ଦ୍ୱିତୀୟ ବର୍ଷ ଏମ୍‌ବିଏ ଛାତ୍ରଛାତ୍ରୀ ମାନେ ପର୍ଯ୍ୟାୟ କ୍ରମେ କ୍ୟାମ୍ପସ୍‍ରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଘରେ ଇଂଟରନେଟ ଏବଂ ଭିତ୍ତିଭୂମିଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ କ୍ୟାମ୍ପସ୍‍କୁ ଆସିବାକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଯେଉଁ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକଙ୍କ ସ୍ବାସ୍ଥ୍ୟ ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଆଇଆଇଏମ୍ କର୍ତ୍ତୃପକ୍ଷ କିଛି ନିୟମାବଳୀ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ୍‌ ଆଗମନ ସତ୍ତ୍ବେ କିଛି ଦିନ ପାଇଁ ଅନ୍‌ଲାଇନ୍ କ୍ଲାସ୍‌ ଜାରି ରହିବ। ଏହି ସମୟରେ ବାହାରୁ ଆସିଥିବା ଛାତ୍ରଛାତ୍ରୀ ମାନେ କ୍ବାରାଣ୍ଟିନ୍‌ରେ ରହିବେ ଓ ପରସ୍ପର ସହ ମିଳାମିଶା କରିବେ ନାହିଁ। ସବୁ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ପହଞ୍ଚି କ୍ବାରାଣ୍ଟିନ୍ ‌ଅବଧି ଶେଷ କରିବା ପରେ ଯାଇ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ ହେବ। ଆଇଆଇଏମ୍‌ ‍ଗୁଡିକ ମଧ୍ୟରେ ସମ୍ବଲପୁର ପ୍ରଥମେ ଫ୍ଲିପ୍‍ଡ କ୍ଲାସରୁମ୍‍ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ସୁରୁଖୁରୁରେ ପରୀକ୍ଷା ଏବଂ ନାମଲେଖା ପ୍ରକ୍ରିୟାକୁ ଅଫ୍‍ଲାଇନରୁ ଅନ୍‍ଲାଇନରେ ରୂପାନ୍ତରିତ କରି ପ୍ରଶଂସିତ ହୋଇଥିଲା।

କ୍ୟାମ୍ପସ୍‍ ପୁଣି ଖୋଲାଯିବା ସମ୍ପର୍କରେ ପ୍ରକାଶକରି ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି, ‘ଆମେ କ୍ୟାମ୍ପସ୍‍ ପର୍ଯ୍ୟାୟକ୍ରମେ ଖୋଲିବୁ ଓ ଛାତ୍ରଛାତ୍ରୀ ମାନେ ଏକାଧିକ ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରିବେ। ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀର କଡ଼ାକଡ଼ି ଅନୁପାଳନକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ଛାତ୍ରଛାତ୍ରୀ କ୍ୟାମ୍ପସ୍‍ରେ ପ୍ରବେଶ କରିବା ପୂର୍ବରୁ ୧୪ ଦିନର ସେମାନଙ୍କର ଭ୍ରମଣ ଓ ଅବସ୍ଥିତି ସମ୍ପର୍କିତ ବିସ୍ତୃତ ତଥ୍ୟ ଆମେ ସଂଗ୍ରହ କରୁଛୁ । ଛାତ୍ରଛାତ୍ରୀ କ୍ୟାମ୍ପସ୍‍ରେ ପହଞ୍ଚିବା ସମୟରେ ସେମାନଙ୍କୁ କୋଭିଡ ୧୯ ନେଗେଟିଭ ପ୍ରମାଣପତ୍ର ନିଶ୍ଚିତ ଦାଖଲ କରିବାକୁ ହେବ, ଯାହା ତିନିଦିନରୁ ପୁରୁଣା ହୋଇ ନଥିବ। ସେମାନଙ୍କୁ କ୍ୱାରାଣ୍ଟାଇନ ଅବଧି ଶେଷରେ ପୁଣିଥରେ କୋଭିଡ ୧୯ ପରୀକ୍ଷା କରାଇବାକୁ ହେବ, ଯାହାର ସୁବିଧା ଜିଲ୍ଲା ପ୍ରଶାସନ ସହାୟତାରେ ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯିବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‍ରେ ପହଞ୍ଚିବା ମାତ୍ରେ ପୃଥକ ପ୍ରକୋଷ୍ଠରେ ୧୪ ଦିନ ପାଇଁ ସଂଗରୋଧରେ ରହିବାକୁ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ମାର୍ଟଫୋନ୍‍ରେ ଆରୋଗ୍ୟ ସେତୁ ଆପ୍‍ ରହିବ। ହଷ୍ଟେଲ ପ୍ରକୋଷ୍ଠ ବାହାରେ ମାସ୍କ ପିନ୍ଧିବା, କ୍ୟାମ୍ପସ୍‍ରେ ପହଞ୍ଚିବା ମାତ୍ରେ ଶରୀର ତାପମାତ୍ରା ମାପ, ସର୍ବସାଧାରଣ ସ୍ଥଳଗୁଡିକରେ ସାମାଜିକ ଦୂରତା ରଖିବା, ହାତ ଧୋଇବା ଓ ଅନ୍ୟ ସମସ୍ତ ମୌଳିକ ସର୍ତ୍ତାବଳୀ ଅନୁସରଣକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କୁ କୌଣସି ସ୍ୱାସ୍ଥ୍ୟ ଜନିତ ଜରୁରୀ କାରଣ ବ୍ୟତୀତ ଅନ୍ୟ କୌଣସି ପରିସ୍ଥିତିରେ ଏବେ ହଷ୍ଟେଲ ପରିସର ଛାଡିବାକୁ ଅନୁମତି ଦିଆଯିବ ନାହିଁ। କ୍ୟାମ୍ପସ୍‍ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ସଂଗରୋଧରେ ରହିବାକୁ ହେବ। ଡାଇନିଂ ହଲ୍‍ରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବ୍ୟାଚ୍‍ ହିସାବରେ ଖାଇବା ସମୟ ନିର୍ଦ୍ଧାରଣ କରାଯିବ। ସବୁ ସମୟରେ ପ୍ରତିଷ୍ଠାନର ସମସ୍ତ ଚଟାଣ ଓ କାନ୍ଥ ଗୁଡ଼ିକୁ ପରିଷ୍କାର ଓ ସଂକ୍ରମଣମୁକ୍ତ ରଖାଯିବ। କୋଭିଡ ୧୯ର ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ କ୍ଷେତ୍ରରେ ଶଯ୍ୟା, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଥାଇ ଦୁଇଟି ପ୍ରକୋଷ୍ଠ କ୍ୟାମ୍ପସ ପରିସରରେ ଏକ ପୃଥକ କୋଠାରେ ଉପଲବ୍ଧ ରହିବ। ଜଣେ ଡାକ୍ତର ନିୟମିତ ଭାବରେ ହଷ୍ଟେଲ ପରିଦର୍ଶନ କରିବେ ବୋଲି ପ୍ର. ଜୟସ୍ବାଲ ସୂଚନା ଦେଇଛନ୍ତି।

କ୍ୟାମ୍ପସ୍‍ରେ ଶାରୀରିକ ଭାବେ ଛାତ୍ରଛାତ୍ରୀ ଉପସ୍ଥିତ ରହିଲେ ମଧ୍ୟ ଅନ୍‍ଲାଇନ ପଦ୍ଧତିରେ କ୍ଲାସରେ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ସରକାରୀ ନିୟାମବଳୀ ଉପରେ ନିର୍ଭର କରି ପରବର୍ତ୍ତୀ ସମୟରେ କ୍ଲାସ୍‍ ରୁମ୍‌ ପାଠପଢ଼ା ଆରମ୍ଭ କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କୁ ଫଳପ୍ରଦ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଗମ କରିବା ସକାଶେ ଆଇଆଇଏମ୍ ସମ୍ବଲପୁର ବିବିଧ ଡିଜିଟାଲ ମାଧ୍ୟମ ଓ ପଦ୍ଧତିରେ ଅନ୍‍ଲାଇନ କ୍ଲାସ ପରିଚାଳନା କରୁଛି। ଫ୍ଲି୍‍ପ୍‍ଡ କ୍ଲାସରୁମ୍‍ ଚିନ୍ତାଧାରାକୁ ଆଗେଇ ନେଇ ମୁଡଲ୍‍ ଭଳି ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସଫ୍ଟୱେର୍‍କୁ ଉପଯୋଗ କରାଯାଉଛି, ଯେଉଁଥିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଣ୍ଡଳୀର ସଦସ୍ୟଗଣ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ନିୟମିତ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରୁଛନ୍ତି। ପୁନଶ୍ଚ ପ୍ରତିଷ୍ଠାନରେ ସ୍ମାର୍ଟ ବୋର୍ଡ ଥାଇ ସ୍ମାର୍ଟ କ୍ଲାସରୁମ୍‍ ବ୍ୟବସ୍ଥା କରାଯାଇଛି, ଯାହା ସହାୟତାରେ ଛାତ୍ରଛାତ୍ରୀ ଲଗ୍‍ଇନ କରି ନୋଟ୍‍, ପ୍ରେଜେଣ୍ଟେସନ ଏବଂ ପାଠ୍ୟକ୍ରମ ସୂଚୀ ଆଦି ପାଇପାରିବେ। ଆଇଆଇଏମ୍ ସମ୍ବଲପୁରର ସମସ୍ତ ପରୀକ୍ଷା କ୍ଷେତ୍ରରେ ବର୍ଣ୍ଣନାମୂଳକ ପରୀକ୍ଷା, ଅନ୍‍ଲାଇନ ପ୍ରୋକ୍ଟରିଂ ବ୍ୟବସ୍ଥା ଏବଂ କୁଇଜ୍ ତଥା ମଲ୍‍ଟିପଲ ଚଏସ୍‍ ପରୀକ୍ଷାକୁ ଏଲ୍‌ଏମ୍‌ଏସ୍‍ ବ୍ୟବହାର ଦ୍ୱାରା ପରିଚାଳନା କରା ଯାଉଥିବା ଅନୁଷ୍ଠାନ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର