ବ୍ରହ୍ମପୁର ଆଇଜରରେ ହେବ କୋଭିଡ-୧୯ ନମୁନା ପରୀକ୍ଷା

ବ୍ରହ୍ମପୁର/ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ(ଆଇଜର)ରେ ମଧ୍ୟ କୋଭିଡ-୧୯ ପରୀକ୍ଷା ହେବ । ଏଥି ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଆଜି ଏହି ସୂଚନା ଦିଆଯାଇଛି । ଗଂଜାମ ଜିଲ୍ଲାରେ କରୋନା ଭାଇରସ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବ୍ରହ୍ମପୁରରେ ଦ୍ୱିତୀୟ କୋଭିଡ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।

 

ସୂଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏମକେସିଜି)ରେ ଗତ ଏପ୍ରିଲ ୧୨ ତାରିଖ ଠାରୁ କୋଭିଡ-୧୯ ପରୀକ୍ଷା ହୋଇ ଆସୁଛି । ଆରମ୍ଭରୁ ଏଠାରେ ଗୋଟିଏ ମେସିନ ସ୍ଥାପନ କରାଯାଇଥିବା ବେଳେ ରୋଗୀ ସଂଖ୍ୟା ବଢ଼ିବାରୁ ନିକଟରେ ଆଉ ଏକ ମେସିନରେ ପରୀକ୍ଷା କରାଯାଉଛି । ଏବେ ଜିଲ୍ଲାରୁ ଆହୁରି ପାଖାପାଖି ୭ ହଜାର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ୮ଟି ସ୍ଥାନରେ କୋଭିଡ-୧୯ ନମୁନା ପରୀକ୍ଷା ହେଉଛି । ଭୁବନେଶ୍ୱରରେ ଆଇସିଏମ୍‌ଆର, ଏମ୍ସ, ଆଇଏଲ୍‌ଏସ୍‌, ଆପଲୋ ହସ୍ପିଟାଲ, କଟକରେ ଏସ୍‌ସିବି, ବୁର୍ଲା ମେଡିକାଲ କଲେଜ, ରାଉରକେଲାରେ ଆଇଜିଏଚ ଓ ବ୍ରହ୍ମପୁରରେ ଏମ୍‌କେସିଜି ପରୀକ୍ଷା ହେଉଛି ।

ସମ୍ବନ୍ଧିତ ଖବର