ପ୍ରତିଷ୍ଠା ହେବ ଗବେଷଣା ଓ ଉଦ୍ୟୋଗ ପାର୍କ

ଭୁବନେଶ୍ୱର ଆଇଆଇଟିକୁ ମିଳିଲା ଅନୁମତି

ଭୁବନେଶ୍ୱର : ଗବେଷଣା ଓ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଆଗକୁ ବଢ଼ୁଛି ଭୁବନେଶ୍ୱର ଆଇଆଇଟି। ଦୁଇ ବର୍ଷ ତଳେ ଆଇଆଇଟିର ସାମନ୍ତପୁରୀ କ୍ୟାମ୍ପସରେ ୪୦ ହଜାର ବର୍ଗଫୁଟ୍‌ ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଷ୍ଟାର୍ଟଅପ୍‌ କେନ୍ଦ୍ର ପ୍ରତି ଉଦ୍ୟେଗୀଙ୍କ ଆଗ୍ରହ ବଢ଼ୁଥିବା ବେଳେ ଏବେ ଆଇଆଇଟିରେ ଗବେଷଣା ଓ ଉଦ୍ୟୋଗ ପାର୍କ ପ୍ରତିଷ୍ଠା ଲାଗି ମିଳିଛି ଅନୁମତି। ରେଜିଷ୍ଟାର ଅଫ୍‌ କମ୍ପାନି(ଆର୍‌ଓସି) ପକ୍ଷରୁ ଅନୁମତି ଏବଂ ପ୍ରମାଣପତ୍ର ମିଳିଥିବା ନେଇ ଆଇଆଇଟି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନି ଭୁବନେଶ୍ୱରରେ ଥିବା ଆଇଆଇଟିର ସାମନ୍ତପୁରୀ କ୍ୟାମ୍ପସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଲିବ। ପରବର୍ତ୍ତୀ ସମୟରେ ଅରୁଗୁଳସ୍ଥିତ ଆଇଆଇଟି ସ୍ଥାୟୀ କ୍ୟାମ୍ପସକୁ ଏହା ସ୍ଥାନାନ୍ତର ହେବ। ଏଥିପାଇଁ କ୍ୟାମ୍ପସରେ ୭୦ ଏକର ପରିମିତ ଜାଗା ଚିହ୍ନଟ କରାଯାଇଛି। ସେଠାରେ ଏହି ପାର୍କ ପ୍ରତିଷ୍ଠା ହେବା ସହ ଛାତ୍ରଛାତ୍ରୀଙ୍କ ଗବେଷଣା ଲାଗି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଏହାଦ୍ୱାରା ଆଇଆଇଟି ଗବେଷଣା କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ଛୁଇଁବ ବୋଲି ଏହାର ନିର୍ଦେଶକ ପ୍ରଫେସର ଆର.ଭି. ରାଜକୁମାର କହିଛନ୍ତି।

ପାର୍କ ମାଧ୍ୟମରେ ଓଡ଼ିଶାରେ ଉଦ୍ୟୋଗର ବିକାଶ, ଗବେଷଣା ଏବଂ ଷ୍ଟାର୍ଟଅପ୍‌ କାର୍ଯ୍ୟକଳାପ ବ୍ୟାପକ ହୋଇପାରିବ। କେନ୍ଦ୍ର ସରକାରଙ୍କ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, ଦକ୍ଷତା ବିକାଶ ମନ୍ତ୍ରାଳୟ. ଆଇଟି ମନ୍ତ୍ରାଳୟ ପକ୍ଷରୁ ଯୁବପିଢ଼ୀଙ୍କ ଦକ୍ଷତା ବିକାଶ ଲାଗି ପ୍ରଚୁର ଅର୍ଥ ମିଳିବ। ଏବେ ଗବେଷଣା ଲାଗି ଆଇଆଇଟିକୁ ଯେତିକି ଅର୍ଥ ମିଳୁଛି ପରବର୍ତ୍ତୀ ସମୟରେ ତାହାର ଦୁଇ ଗୁଣ ବୃଦ୍ଧି ପାଇବ ବୋଲି କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଆଇଟି ନିର୍ଦେଶକ ପ୍ରଫେସର ରାଜକୁମାରଙ୍କ ଅଧ୍ୟକ୍ଷତାରେ ପାର୍କ ପରିଚାଳିତ ହେବ। ତାଙ୍କ ସହ ଆଇଆଇଟିର ଆର ଆଣ୍ଡ ଡି ବିଭାଗର ଡିନ୍‌ ପ୍ରଫେସର ଆର.କେ. ପଣ୍ଡା ଏବଂ ଷ୍ଟାର୍ଟଅପ୍‌ ସେଣ୍ଟରର ପିଆଇସି ଡ. ଏ ଶର୍ମା ଏହାର ନିର୍ଦେଶକ ରହିବେ।

ଏହି ପାର୍କକୁ ଅନୁମତି ମିଳିବା ପରେ ଆଇଆଇଟି ନିର୍ଦେଶକ ପ୍ରଫେସର ରାଜକୁମାର କହିଛନ୍ତି ଯେ ଓଡ଼ିଶା ସମେତ ବାହାର ରାଜ୍ୟରେ ଉଦ୍ୟୋଗ ଏବଂ ନୂତନ ଉଦ୍ଭାବନ କ୍ଷେତ୍ରରେ ଏହା ବେଶ୍‌ ସହାୟକ ହେବ। ବର୍ତ୍ତମାନ ସମୟରେ ଅନେକ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ବିଜ୍ଞାନ ଏବଂ କୃଷି ସମ୍ପର୍କିତ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି। ଆଇଆଇଟି ପରିସର ଓ ବାହାରେ ଅନେକ ମେଧାବୀ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନଙ୍କୁ ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟୋଗୀ କ୍ଷେତ୍ରରେ ଉଚିତ ମାର୍କ ଦେଖାଇବାର ଆବଶ୍ୟକତା ରହିଛି। ସେମାନଙ୍କ ମାର୍ଗଦର୍ଶନ ଦେଖାଇବାରେ ଏହା ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର