‘ଇଣ୍ଡିଆ ଟୁ‌ଡେ’ର ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ, ୯ମ ସ୍ଥାନରେ ଆଇଆଇଟି ଭୁବନେଶ୍ବର

ଭୁବ‌ନେଶ୍ବର : ଜାତୀୟସ୍ତରର ମାଗାଜିନ୍‌ ‘ଇଣ୍ଡିଆ ଟୁ‌ଡେ’ ପକ୍ଷରୁ ପ୍ରକାଶିତ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ମଧ୍ୟରେ ଆଇଆଇଟି ଭୁବନେଶ୍ବରକୁ ମିଳିଛି ସଫଳତା। ଦେଶର ଶ୍ରେଷ୍ଠ ସରକାରୀ ଇଞ୍ଜିନିୟରିଂ କଲେଜ ବର୍ଗରେ ଆଇଆଇଟି ୯ମ ସ୍ଥାନ ହାସଲ କରିଛି। ଗୁଣାତ୍ମକ ଶିକ୍ଷା ଓ ଗବେଷଣା, ଏକାଡେମିକ୍‌ ଏକ୍ସଲେନ୍ସ, ଭିତ୍ତିଭୂମି, ବ୍ୟକ୍ତିତ୍ବ ଓ ନେତୃତ୍ବ ବିକାଶ, ନିଯୁକ୍ତି ପରି ବିଭିନ୍ନ ବିଷୟକୁ ସର୍ଭେରେ ଗୁରୁତ୍ବ ଦିଆଯାଇଥିଲା। ସଫଳତା ପରେ ଆଇଆଇଟି ନିର୍ଦେଶକ ଆର ଭି ରାଜକୁମାର କହିଛନ୍ତି ଯେ ଆଗକୁ ବଢ଼ୁଥିବା ଶିକ୍ଷାନୁଷ୍ଠାନ ଭାବେ ଆଇଆଇଟି ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେଉଛି। ପ୍ରତି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ସେମାନଙ୍କ ଦକ୍ଷତା ବିକାଶ ସହ ନୂତନ ପାଠ୍ୟକ୍ରମ ଖୋଲାଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆଇଆଇଟି ଭୁବନେଶ୍ବର ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ବଢ଼ିବା ଖୁସି ଖବର। ଏହି ଧାରା ବଜାୟ ରଖିବା ସହ ଆଇଆଇଟିକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଆମେ ବଦ୍ଧପରିକର।
ମେ’ ୨୭ ତାରିଖରେ ପ୍ରକାଶିତ ହେବାକୁ ଥିବା ମାଗାଜିନ୍‌ ସଂସ୍କରଣରେ ଏସମ୍ପର୍କରେ ପ୍ରକାଶିତ ହେବ। ଗତବର୍ଷ ଏହି ତାଲିକାରେ ଆଇଆଇଟି ୧୦ମ ସ୍ଥାନରେ ରହିଥିଲା। ସୂଚନାଯୋଗ୍ୟ ଯେ ଏନ୍‌ଆଇଆରଏଫ୍‌ ରୢାଙ୍କିଙ୍ଗ୍‌ର ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ୧୭ତମ ସ୍ଥାନରେ ରହିଥିଲା। ଟାଇମ୍ସ ହାୟର ଏଜୁକେସନ ଏସିଆ ୟୁନିଭରସିଟି ରୢାଙ୍କିଙ୍ଗ୍‌-୨୦୧୯ରେ ଏହି ଶିକ୍ଷାନୁଷ୍ଠାନ ୧୩ତମ ସ୍ଥାନରେ ରହି ସମସ୍ତଙ୍କୁ ଚକିତ କରିଥିଲା।

ସମ୍ବନ୍ଧିତ ଖବର