ଭୁବନେଶ୍ୱର : ଆଇଆଇଟି, ଭୁବନେଶ୍ୱରରେ ଖୋଲାଯିବ ଉତ୍କର୍ଷ କେନ୍ଦ୍ର। ଆଇଆଇଟିର ଗବେଷଣା ଓ ଔଦ୍ୟୋଗିକ ପାର୍କରେ ବିଶ୍ୱସ୍ତରୀୟ ଇନ୍‌କ୍ୟୁବେସନ୍‌ କେନ୍ଦ୍ର, ପରୀକ୍ଷାଗାର ସ୍ଥାପନ କରାଯିବା ସହିତ ଏ ନେଇ ଉଚ୍ଚମାନର ପାଠ୍ୟକ୍ରମମାନ ରହିବ। ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୭.୫ କୋଟି ଟଙ୍କାର ନିବେଶ କରାଯିବ।

Advertisment

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨ୟ ଷ୍ଟାର୍ଟ-ଅପ୍‌ ପରିଷଦ ବୈଠକରେ ଏହି ଉତ୍କର୍ଷ କେନ୍ଦ୍ର ସଂପର୍କିତ ନିଷ୍ପତ୍ତି ନିଆଯାଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସୁସ୍ମିତା ବାଗ୍‌ଚୀ ୨.୫ କୋଟି ପ୍ରଦାନ କରିବେ। ଓଡ଼ିଶା ସରକାର ଆହୁରି ୨.୫ କୋଟି ଏବଂ ଏସ୍‌ଟିପିଆଇ ପକ୍ଷରୁ ୨.୫ କୋଟି ଟଙ୍କାର ସହାୟତା ଦିଆଯିବ। ଏହି କେନ୍ଦ୍ର ନିମନ୍ତେ ଏସ୍‌ଟିପିଆଇର ମହାନିର୍ଦେଶକ ଓମ୍‌କାର ରାଏ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଇଆଇଟି ନିର୍ଦେଶକ ପ୍ରଫେସର ଆର.ଭି. ରାଜାକୁମାର ଏହି କେନ୍ଦ୍ରକୁ ବିଶ୍ୱସ୍ତରୀୟ କରିବାକୁ କହିଥିଲେ।

ସୂଚନାନୁସାରେ ରାଜ୍ୟରେ ୩୪ଟି କ୍ଷେତ୍ରରେ ମୋଟ ୧୩୦ଟି ଷ୍ଟାର୍ଟ-ଅପ୍‌କୁ ସ୍ୱୀକୃତି ଦିଆଯିବା ସହିତ ସେଗୁଡ଼ିକୁ ଓଡ଼ିଶା ଷ୍ଟାର୍ଟ-ଅପ୍‌ ପ୍ରୟାସରେ ସାମିଲ କରାଯାଇଛି। ଷ୍ଟାର୍ଟ-ଅପ୍‌ ଆବେଦନ ପ୍ରସ୍ତାବଗୁଡ଼ିକୁ ମୂଲ୍ୟାୟନ ପାଇଁ ୫ଟି ସଂସ୍ଥା ମନୋନୀତ  ହୋଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛନ୍ତି ଭୁବନେଶ୍ୱରର ଆଇଆଇଟି, ଏସ୍‌ଟିପିଆଇ, ଆଇଏମ୍‌ଏମ୍‌ଟି, ଏନ୍‌ଆଇଏଫ୍‌ଟି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ରାଉରକେଲା ଏନ୍‌ଆଇଟି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ସ୍ୱତନ୍ତ୍ର ସଚିବ ଅଶୋକ ମୀନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।