ଆଇଆଇଟି ଭୁବନେଶ୍ବରର ଶିକ୍ଷା ବର୍ଷ ସମାପ୍ତ, ପ୍ରଥମ ବର୍ଷ ବିଳମ୍ବିତ

ଦ୍ବିତୀୟ ଲହରରେ ୧୨ ଜଣ କୋଭିଡ୍‌ ପଜିଟିଭ୍‌, ମାସ୍କ ଉପାଦେୟତା ନେଇ ଗବେଷଣା

ଭୁବନେଶ୍ବର : କରୋନା ମହାମାରୀ, ଲକ୍‌ଡାଉନ ସତ୍ତ୍ବେ ନିର୍ଧାରିତ ସମୟରେ ଶିକ୍ଷା ବର୍ଷ ସମାପ୍ତ କଲା ଆଇଆଇଟି ଭୁବନେଶ୍ବର। କେବଳ ପ୍ରଥମ ବର୍ଷ ବିଦ୍ୟାର୍ଥୀ ବିଳମ୍ବରେ ନାମ ଲେଖାଇଥିବାରୁ ତାଙ୍କ ଶିକ୍ଷା ବର୍ଷ ସମାପ୍ତ ହେବାକୁ ଏକ ମାସରୁ ଦେଢ ମାସ ଲାଗିବ ବୋଲି ଆଇଆଇଟି ପକ୍ଷରୁ କୁହାଯାଇଛି। ଏଠାରେ ୧୭ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଦ୍ବିତୀୟ ଲହରରେ ଏପ୍ରିଲ ମାସରେ ୭, ମେ’ ମାସରେ ୫ ଏବଂ ପ୍ରଥମ ଲହରରେ ୫ ଜଣ କୋଭିଡ୍‌ ଚିହ୍ନଟ ହୋଇଥିଲା। କୋଭିଡ୍‌ ମୁକାବିଲା ପାଇଁ ଆଇଆଇଟି ପକ୍ଷରୁ ମାସ୍କ, ଔଷଧର ଉପାଦେୟତା ନେଇ ଗବେଷଣା ଜାରି ରହିଛି।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଗତବର୍ଷ ମାର୍ଚ ମାସରେ ଲକ୍‌ଡାଉନ ଜାରି ସହିତ ଆଇଆଇଟି ଭୁବନେଶ୍ବର ଅନ୍‌ଲାଇନ କ୍ଲାସ ଆରମ୍ଭ ହୋଇଥିଲା। ମେ’ ମାସରେ ସେମିଷ୍ଟର ପରୀକ୍ଷା ହୋଇଥିଲା। ନିର୍ଦେଶକ ପ୍ରଫେସର ରଜତ କୁମାର କହିଛନ୍ତି, ଗତବର୍ଷ ଥିଓରି କ୍ଲାସ ଅନଲାଇଲ ହୋଇଥିଲେ ମଧ୍ୟ ପ୍ରାକ୍ଟିକାଲ କ୍ଲାସ ପାଇଁ ସମସ୍ୟା ହୋଇଥିଲା। ବିଜ୍ଞାନ, ଇଂଜିନିୟରିଂ ବିଦ୍ୟାର୍ଥୀଙ୍କ ପାଇଁ ଲ୍ୟାବ କୋର୍ସ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ କିଛି ବିଦ୍ୟାର୍ଥୀ ନିଜେ ଲ୍ୟାବରେ ରହି କ୍ଲାସ କରିଥିଲେ, ଆଉ କିଛି ବିଦ୍ୟାର୍ଥୀଙ୍କ ପାଇଁ ଲାଇଭ ଭିଡିଓ ପ୍ରସ୍ତୁତ କରାଯାଇ ଥିଲା। କରୋନା ନିୟନ୍ତ୍ରିତ ହେବା ସହିତ ୨୦୨୧ ଫେବ୍ରୁଆରିରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ କ୍ୟାମ୍ପସ ଆସି ଲ୍ୟାବ ସେସନ ସମାପ୍ତ କରିଛନ୍ତି। ମହାମାରୀର ଦ୍ବିତୀୟ ଲହର ଯୋଗୁଁ ବର୍ତ୍ତମାନ ପୁଣି ଲ୍ୟାବ ପ୍ରାକ୍ଟିକାଲକୁ ସ୍ଥଗିତ କରାଯାଇଛି। ଏହା ମଧ୍ୟ ନିର୍ଧାରିତ ସମୟରେ ସମ୍ପନ୍ନ କରାଯିବ। ପିଏଚଡି ପ୍ରୋଗ୍ରାମ, ରିସର୍ଚ କାର୍ଯ୍ୟକ୍ରମ, ସେମିନାର ସହିତ ଯୋଗ ମଧ୍ୟ ଅନଲାଇନରେ ପ୍ରତିଦିନ ହେଉଛି। ଏହାର ୯୦ ପ୍ରତିଶତ ବିଦ୍ୟାର୍ଥୀ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର