ସମୁଦ୍ର କୂଳ ଲଙ୍ଘିବା ଘଟଣା : ଅନୁଧ୍ୟାନ କଲେ ଚେନ୍ନାଇ ବିଶେଷଜ୍ଞ ଦଳ

ମଙ୍ଗଳା ମୁହାଣ, ବେଳାମାର୍ଗରେ ନିର୍ମାଣ ହେବ ପ୍ରାଚୀର, ଖର୍ଚ୍ଚ ହେବ ୧୪ କୋଟି

ପୁରୀ : ପୁରୀ ବେଳାଭୂମିରେ ଅଶାନ୍ତ ସମୁଦ୍ର ଏବେ ଶାନ୍ତ ପଡ଼ିଛି ସତ, କିନ୍ତୁ ଲଙ୍ଘିଥିବା କୂଳ ପୂର୍ବଭଳି ଅସୁରକ୍ଷିତ ଅବସ୍ଥାରେ ରହିଛି। କିଛି ଦିନ ତଳେ ସମୁଦ୍ର ବାରମ୍ବାର କୂଳ ଲଙ୍ଘିବା ଯୋଗୁ ସ୍ୱର୍ଗଦ୍ୱାର ଓ ସମ୍ମୁଖ ବେଳାମାର୍ଗ ରାସ୍ତା ପାଇଁ ବିପଦ ସୃଷ୍ଟି ହୋଇଥିଲା।

ଆଜି ଚେନ୍ନାଇର ଏକ ବିଶେଷଜ୍ଞ ଟିମ୍‌ ଏଠାକୁ ଆସି ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିଠାରୁ ଷ୍ଟର୍ଲିନ୍‌ ହୋଟେଲ ନିକଟ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ବୁଲି ଦେଖିବା ସହ ୨୦୦୬ ମସିହାରେ ମଞ୍ଜୁର ହୋଇଥିବା ୧୪ କୋଟିର ପ୍ରକଳ୍ପ ଉପରେ ବିଚାରବିମର୍ଶ କରିଛନ୍ତି। ବେଳାଭୂମିରେ ସିନ୍ଥେଟିକ୍‌ ପ୍ରାଚୀର (ସି ଓ୍ଵାଲ) ନିର୍ମାଣ ପାଇଁ ଏଠାରେ ଅନୁକୂଳ ପରିବେଶ ଅଛି ନା ନାହିଁ ସେ ସଂପର୍କରେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିଛନ୍ତି। ଏହାବାଦ୍‌ ରାମଚଣ୍ଡୀ ଯାଇ ସେଠାର ବେଳାଭୂମି ସ୍ଥିତି ବୁଲି ଦେଖିଛନ୍ତି। ଦିନେ ଦୁଇ ଦିନ ଭିତରେ ଚେନ୍ନାଇରୁ ଅନ୍ୟ ଏକ ଟିମ୍‌ ଆସି ମାପଚୁପ କରିବା ପରେ କାମ କେବେଠୁ ଆରମ୍ଭ ହେବ ସ୍ଥିରୀକୃତ ହେବ।

ଆଜି ସକାଳ ସାଢ଼େ ୯ଟାରେ ଆଇସିଜେଡ୍‌ଏମ୍‌ପି (ସମନ୍ଵିତ ଉପକୂଳ ଜୋନ୍‌ ପରିଚାଳନା ପ୍ରକଳ୍ପ)ର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ନାୟକଙ୍କ ନେତୃତ୍ୱରେ ଚେନ୍ନାଇ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନ୍‌ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଅରୁଣ କୁମାର ଆଲୁଓ୍ଵାଲିଆ, ସତ୍ୟକିରନ୍‌ ରାଜୁ, ପି.କେ.ପାଣିଗ୍ରାହୀଙ୍କ ସମେତ ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ସହକାରୀ ଯନ୍ତ୍ରୀ ତପନ ମଜୁମଦାର, ଏସ୍‌ଡିଓ ଅନନ୍ତ କୁମାର ଶତପଥୀ ପ୍ରମୁଖ ସମୁଦ୍ର କୂଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସଂପର୍କରେ ପୁରୀ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି, ୨୦୦୬ ଓ ୨୦୧୬ ମସିହାରେ ସମୁଦ୍ର ଏହିଭଳି କୂଳ ଲଂଘିଥିଲା। ବେଳାଭୂମି ସହ ବେଳାମାର୍ଗ ରାସ୍ତାକୁ ବି ଧୋଇ ନେଇଥିଲା। ଅତୀତରେ ମଙ୍ଗଳା ମୁହାଣର ସଂଯୋଗ ଗତିପଥ ବନ୍ଦ ହୋଇ ଅନ୍ୟ ଏକ ମୁହାଣ ସୃଷ୍ଟି ହୋଇଥିଲା। ଏହି ସ୍ଥିତି ପରେ ସମନ୍ଵିତ ଉପକୂଳ ଜୋନ୍‌ ପରିଚାଳନା ପ୍ରକଳ୍ପ ଜରିଆରେ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ ହୋଟେଲ୍‌ କୋକୋପାମ୍‌ଠାରୁ ହୋଟେଲ୍‌ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରାଚୀର ନିର୍ମାଣ ଓ ମଙ୍ଗଳା ମୁହାଣରେ ସମୁଦ୍ରରେ ମଙ୍ଗଳା ନଦୀ ଜଳ ମିଶିବା ପାଇଁ ଦୁଇଟି ରିଟେନିଂ ଓ୍ଵାଲ୍‌ କରିବାକୁ ଯୋଜନା ରହିଛି। ଆଜି ଚେନ୍ନାଇର ଏହି ଟିମ୍‌ ମଙ୍ଗଳା ମୁହାଣଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ବେଳାମାର୍ଗ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରକଳ୍ପ ପାଇଁ ଏହା ଯୋଗ୍ୟ କି ନାହିଁ ସେ ସଂପର୍କରେ ଯାଞ୍ଚ କରିଛନ୍ତି। ଦିନେ ଦୁଇଦିନ ଭିତରେ ଅନ୍ୟ ଏକ ଟିମ୍‌ ଆସି ମାପଚୁପ କରିବ। ପରେ ପ୍ରକଳ୍ପ କାମ ଆରମ୍ଭ ହେବ। ତେବେ ଏହା ପଥର କି ସିନ୍ଥେଟିକ୍‌ ପ୍ରାଚୀର ହେବ ସେ ନେଇ କିଛି ସ୍ଥିର ହୋଇନାହିଁ। ସଂପୂର୍ଣ୍ଣ ଅନୁଧ୍ୟାନ ଶେଷ ପରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର