ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ଭଦ୍ରକର ଦେବାଂଶୀ ମିଶ୍ର | ଆଇଆଇଟି ଗୌହାଟୀରେ ସିଭିଲ ଇଂଜିନିୟରିଂ ପାଠ ପଢ଼ୁଥିବା ଦେବାଁଶୀ ୫୫ ହଜାର ଟଙ୍କାରେ ଏହି ନିଲାମ ଜିତିଛନ୍ତି | ଅନଲାଇନ୍ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବେଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍ ଫର୍ମସ୍’ରେ ଆବେଦନ କରିଥିଲେ । ଆଉ ଶେଷରେ ଦେବାଂଶୀ ସର୍ବାଧିକ ମୂଲ୍ୟ ଦେଇ ଏହି ଶାଢ଼ିକୁ ହାତେଇଛନ୍ତି ବୋଲି ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍ ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶିକା ଅନୀତା ସାବତ ଓ ଅମ୍ରିତା ସାବତ ସୂଚନା ଦେଇଛନ୍ତି | ସେମାନେ କହିଛନ୍ତି ଯେ ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯାଇଛି ।
”ପିଲାଦିନରୁ ମୋର ଗଣିତ ପ୍ରତି ଖୁବ ଦୁର୍ବଳତା ରହିଆସିଥିଲା | ସାନବେଳୁ ଗଣିତ ମୋର ପ୍ରିୟ ବିଷୟ ରହିଆସିଥିଲା | ତେବେ ଆଗକୁ ଯାଇ ଯେତେବେଳେ ଇଂଜିନିୟରିଂ କଲି ସେତେବେଳେ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ବାବଦରେ ଜାଣିବାକୁ ପାଇଥିଲି | ଆଉ ସେଥିପାଇଁ ସେ ନିଲାମରେ ଭାଗ ନେଇଥିଲେ | ତେବେ ନିଲାମରେ ଜିତିଵି ବୋଲି ଆଶା କରିନଥିଲେ ଓ ‘ଶ୍ରୀଗଣିତ ଶାଢ଼ି’ ଜିତିଥିବାର ଜାଣିବା ପରେ ବହୁତ ଖୁସି ଲାଗୁଛି |
ଏଠାରେ ସୂଚନା ଥାଉ କି ଅଗଷ୍ଟ ୨୦୧୯ ରେ ମୁମ୍ବାଇରେ ‘ଉତ୍କଳ ଅମ୍ରିତା’ ଦ୍ୱାରା ଆୟୋଜିତ ପ୍ରଦର୍ଶନ ପରେ ସେଠାରେ କିଛି ଦିନ ରହି ଅମ୍ରିତା, ବିଦ୍ୟା ବାଲାନଙ୍କ ଟିମ ସହ ହ୍ଵାଟ୍ସଆପ ଓ ଇନ୍ସଟାଗ୍ରାମ ମାଧ୍ୟମରେ ଯୋଗାଯୋଗ କରିଥିଲେ | ଏହା ଜାଣିବା ପରେ ଟିମ୍ ସଦସ୍ୟଙ୍କୁ ନଭେମ୍ବରରେ ଶାଢ଼ିର ଫଟୋ ପଠାଯାଇଥିଲା | ବିଦ୍ୟା ଶାଢ଼ିଟିର ଫଟୋ ଦେଖି ଖୁସି ବ୍ୟକ୍ତ କରିଥିବା ବେଳେ ଏହାକୁ ସେ ତାଙ୍କର ମୁକ୍ତିଲାଭ କରିଥିବା ଥିବା ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ପ୍ରମୋସନ ବେଳେ ପିନ୍ଧିବେ ବୋଲି କହିଥିଲେ। ନିଷ୍ପତ୍ତି ମୁତାବକ ଶାଢ଼ି ଯୋଗାଇ ଦିଆଯାଇଥିଲା। ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏଥିସହ ଚୁକ୍ତି ମୁତାବକ ଶାଢ଼ିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ। ଶାଢ଼ିଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ। ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା।
ବିଦ୍ୟା ଏହି ଶାଢ଼ିଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ି ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ସାବତ ଏକ୍ସପୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ସୂଚନା ଥାଉ କି ସୋନପୁର ବୀରମହାରାଜପୁରସ୍ଥିତ ଟିକିରାପଡ଼ା ଗ୍ରାମର ଭାଗବତ ମେହେର ୨୦୧୬ରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଁ ଆବେଦନ କରିବାକୁ ତିଆରି କରିଥିଲେ । ପ୍ରଫୁଲ୍ଲ ମେହେର ଏହାର ଚକ୍ ଓ ବ୍ଲାକ୍ବୋର୍ଡ ଡିଜାଇନ୍ କରିଥିବା ବେଳେ ସୋନପୁର କେନ୍ଦୁପଲ୍ଲୀର ବୃନ୍ଦାବନ ମେହେର ଗ୍ରାଫ ତିଆରି କରିଥିଲେ। କେନ୍ଦୁପଲ୍ଲୀର ଗଙ୍ଗା ମେହେର ବାନ୍ଧ ତିଆରିରେ ସହଯୋଗ କରିଥିଲେ। ତେବେ ଶ୍ରୀ ମେହେର ଏହି ଡିଜାଇନ୍ରେ ୪ଟି ଶାଢ଼ି ପ୍ରସ୍ତୁତ କରିଥିଲେ। ପ୍ରଥମ ଶାଢ଼ିଟି ଓଲଟା ହୋଇଯାଇଥିବାରୁ ଖରାପ ହୋଇଯାଇଥିଲା। ଦ୍ବିତୀୟ ଶାଢ଼ି ପୁରସ୍କାର ପାଇଁ ଆବେଦନ କରିଥିଲେ। ତୃତୀୟ ଶାଢ଼ି କଳାଭୂମିକୁ ଦେଇଥିଲେ। ୪ର୍ଥ ଶାଢ଼ିଟି ସେ ବିକ୍ରି କରିଥିଲେ।