ଜଗଦୀଶ ଓ ଜୟନ୍ତଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଭୁବନେଶ୍ବର : କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ‘ଇମ୍ଫା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୧’ ଘୋଷିତ ହୋଇଛି। ବରିଷ୍ଠ ଚିତ୍ରକର ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଚଳିତ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ‌ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ଏହି ପୁରସ୍କାର ପୂର୍ବରୁ କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିବା ବେଳେ ଚଳିତ ବର୍ଷଠାରୁ ଏଥିରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ନାମ ସଂଯୁକ୍ତ ହୋଇଛି।

ଏହାପୂର୍ବରୁ ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ମଧ୍ୟ ଘୋଷିତ ହୋଇଯାରିଛି। ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଚଳିତ ବର୍ଷ ଏହି ପୁରସ୍କାର ପାଇବେ ସ୍ବନାମଧନ୍ୟା କଥାକାର ପାରମିତା ଶତପଥୀ। ଅକ୍ଟୋବର ମାସରେ ହେବାକୁ ଥିବା ‘ଶାରଳା ପୁରସ୍କାର ପ୍ରଦାନ ଉତ୍ସବ’ରେ ଏହି ସମ୍ମାନ ସବୁ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର