ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କର ଲଗେଜ ଯାଞ୍ଚ ପାଇଁ ‘ଇନ୍‌ ଲାଇନ୍‌ ବ୍ୟାଗେଜ ସ୍କ୍ରିନିଂ ’ (ଆଇଏଲ୍‌ବିଏସ୍‌) ସିଷ୍ଟମ ଲାଗିବ। ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି (ବିସିଏଏସ୍‌)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ବଡ଼ ବିମାନ ବନ୍ଦରରେ ଆଇଏଲ୍‌ବିଏସ୍‌ ସିଷ୍ଟମ ଲାଗିଥିବାବେଳେ ଭୁବନେଶ୍ବର ସମେତ ଅନ୍ୟ କିଛି ‌ବ୍ୟସ୍ତବହୁଳ ବିମାନବନ୍ଦରରେ ଏହା ଖୁବ୍‌ ଶୀଘ୍ର ଲାଗିବ। ଉଲ୍ଲେଖଯୋଗ୍ୟ, ବିସିଏଏସ୍‌ ପକ୍ଷରୁ ବିମାନବନ୍ଦରଗୁଡ଼ିକର ସୁରକ୍ଷା ନିୟମ ଓ ଷ୍ଟାଣ୍ଡାର୍ଡର ନିୟମିତ ବ୍ୟବଧା‌ନରେ ତଦାରଖ କରାଯାଇଥାଏ। ଭୁବନେଶ୍ବର ବିମାନବନ୍ଦର ସମେତ ଦେଶର ଅନ୍ୟ କିଛି ବିମାନବନ୍ଦରରେ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀଙ୍କର ଲଗେଜଗୁଡ଼ିକୁ ଏୟାରଲାଇନ୍ସ କାଉଣ୍ଟର ବଦଳରେ ଅଲଗା ରଖାଯାଇଥିବା ଏକ୍ସ-ରେ ମେସିନ୍‌ରେ ଯାଞ୍ଚ କରାଯାଇଥାଏ। ଯାଞ୍ଚ ପରେ ଲଗେଜ୍‌ଗୁଡ଼ିକୁ ବିମାନବନ୍ଦରରେ ନିୟୋଜିତ କର୍ମଚାରୀମାନେ ଟ୍ୟାଗ ସହ ସିଲ ଲଗାଇବା ପରେ ଯାତ୍ରୀମାନେ ନିଜେ ଏୟାରଲାଇନ୍ସ କାଉଣ୍ଟରକୁ ଲଗେଜ ଆଣିଥାନ୍ତି। ତା’ପରେ ଲଗେଜଗୁଡ଼ିକୁ ପଞ୍ଜୀକୃତ ଲଗେଜ ବିମାନରେ ଲୋଡ୍‌ କରି ଯାତ୍ରୀଙ୍କୁ ବୋର୍ଡିଂ ପାସ ଦିଆଯାଇଥାଏ। ଏକ୍ସ-ରେ ମେସିନରୁ କାଉଣ୍ଟର ପର୍ଯ୍ୟନ୍ତ ଦୂରତାରେ ଯେତେବେଳେ ଯାତ୍ରୀଙ୍କ ଦ୍ବାରା ଲଗେଜ ଅଣାଯାଉଛି ସେତେବେଳେ ଲଗେଜରେ ଯାତ୍ରୀଙ୍କ ଦ୍ବାରା କିଛି ପ୍ରତିବନ୍ଧକ ସାମଗ୍ରୀ ରଖାଯିବା ଭଳି ସୁରକ୍ଷା ଉଲ୍ଲଂଘନର ଆଶଙ୍କା ରହିଥାଏ। ଏଭଳି ଆଶଙ୍କାକୁ ଦୂର କରିବାପାଇଁ ଆଇଏଲ୍‌ବିଏସ୍‌ ସିଷ୍ଟମ ଲଗାଯିବାର ବିକଳ୍ପ ରହିଛି। ଆଇଏଲ୍‌ବିଏସ୍‌ ସିଷ୍ଟମ ଲାଗିବା ପରେ ଏକ୍ସରେ ସ୍କାନରର ଆବଶ୍ୟକତା ପଡ଼ିବ ନାହିଁ।