ଭଣ୍ଡାରୀପୋଖରୀ: ମାଈଁଙ୍କ ସହ ପରକୀୟା ସଂପର୍କ ରଖିଥିଲେ ସ୍ବାମୀ। ଏହାକୁ ବିରୋଧ କରି ଆସୁଥିଲେ ସ୍ତ୍ରୀ। କିନ୍ତୁ ଏହା ତାଙ୍କ ପାଇଁ କାଳ ହେଲା। ଗତକାଲି ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଲା ସ୍ବାମୀ। ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଛି। ଏଭଳି ଘଟଣା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତର ନୂଆପୋଖରୀ ଗାଁରେ ଘଟିଥିବାର ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ଭାଇ ସନ୍ତୋଷ ସାହୁ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବାର ଖବର ମିଳିଥିଲା। ଉକ୍ତ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ଜଣାଯାଇଥିଲା।
ତେବେ ମହିଳାଙ୍କ ପରିଚୟ ମିଳିଛି। ତାଙ୍କ ନାମ ରାଧାରାଣୀ ମହାନ୍ତି। ତାଙ୍କର ବୟସ ୨୭ ବର୍ଷ ବୋଲି କୁହାଯାଉଛି। ସେ ସେହି ଗ୍ରାମର ନାରାୟଣ ମହାନ୍ତି(୩୬)ଙ୍କୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଏକ ଝିଅ ବି ଅଛି। ନାରାୟଣ ତାଙ୍କ ମାଈଁଙ୍କ ସହ ଅନୈତିକ ସଂପର୍କ ରଖି ଆସୁଥିଲେ। ଏହାକୁ ବିରୋଧ କରି ଆସୁଥିଲେ ସ୍ତ୍ରୀ ରାଧାରାଣୀ। ଅବଶେଷରେ ଗତ ରାତିରେ ଦୁହେଁ କୋଲକାତା ଯିବା ନାଆଁରେ ଘରୁ ବାହାରି ଥିଲେ। ହେଲେ ଗାଁ ମୁଣ୍ଡରେ ରାଧାରାଣୀଙ୍କୁ ଗଳାକାଟି ହତ୍ୟା କରିବା ପରେ ନାରାୟଣ ଫେରାର ହୋଇଯାଇଛନ୍ତି। ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।