ବେତନଟୀ ସଦର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲ ଅଞ୍ଚଳ ଅଧୀନ ପାଟୁଳିପୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ତଥା ବୈଶିଙ୍ଗା-ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଏକାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ବେତନଟୀ ଅଞ୍ଚଳରେ ଲଗାତାର କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରି ପାଖାପଖି ରହୁଥିବାବେଳେ ଇଟାଭାଟିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହୋଉଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟି ନଆଁ ଝାସ ଓ ଧୂଆଁ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଞ୍ଚଳରେ ବେଆଇନ ଭାବେ ବ୍ୟବସାୟୀମାନେ ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପଟେ ତହସିଲ ପ୍ରଶାସନର ଉଦାସୀନତା ଯୋଗୁଁ ବେଧଡ଼କ ଈଟାପୋଡ଼ା ଯୋଗୁଁ ବିପୁଳ ରାଜସ୍ବହାନି ସହ ଲଘୁଖଣିଜ ଦ୍ରବ୍ୟ ଆଇନ ସହ ରାଜସ୍ବ ଆଇନ ଖୋଲାଖୋଲି ଉଲ୍ଲଂଘନ ହେବାରେ ଲାଗିଛି।

Advertisment

ସରକାରଙ୍କ ରାଜସ୍ବ ଆଇନ ଯେତେ କୋଠର ହେଉଛି ସମ ପରିମାଣରେ ତୃଣମୂଳ ସ୍ଥରରେ ରାଜସ୍ବ ସଂଗ୍ରହ ଆଇନକୁ ଜଳାଞ୍ଜଳି ଦିଆଯାଯାଉଥିବା ଅଭିଯୋଗ ହେଉଛି। ବେଆଇନ କାରବାରକୁ ରୋକିବା ସହ ରାଜସ୍ବ ସଂଗ୍ରହକୁ ଗୁରୁତ୍ୱ ଦିଆଯିବା ସହ ଜଳ ଜମି ଜଙ୍ଗଲ ଗ୍ରାମ ପରିବେଶ ସୁରକ୍ଷାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବେତନଟୀ ତହସିଲ ଅଞ୍ଚଳରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବେତନଟୀ ତହସିଲ ଅଧୀନ ପାଟୁଳିପୁରା ପଞ୍ଚାୟତରେ ସଠିକ ପରିବେଶ ମଞ୍ଜୁରୀ ନ ଥାଇ ମଧ୍ୟ ଏକାଧିକ ବେଆଇନ ଇଟାଭାଟି ଗଢ଼ି ଉଠିଥିଲା ବେଳେ ରାଜସ୍ବ ବିଭାଗ କିଂକର୍ତ୍ତ୍ୟବ୍ୟବିମୁଢ଼ ଅବସ୍ଥା ରେ ଥିବା ପ୍ରତୀୟମାନ ହେଉଛି। ବେଆଇନ ଇଟାଭାଟି ମାଲିକଙ୍କ ଦବଦବା ସମ୍ମୁଖରେ ତହସିଲ ପ୍ରଶାସନ ନତମସ୍ତକ ହୋଇ ରହିବା ଅଞ୍ଚଳବାସୀଙ୍କୁ ଚକିତ କରିଛି। ସରକାରଙ୍କ ରାଜସ୍ବ ଆଇନ ମୁତାବକ ଉପରଇଟାଭାଟି ସମ୍ପୂର୍ଣ ବେଆଇନ ହୋଇଥିବା ବେଳେ ଚିମିନିଭାଟି ପାଇଁ ପ୍ରଦୂଷଣନିୟନ୍ତ୍ରଣ ବୋର୍ଡ ଶ୍ରମବିଭାଗର ମଞ୍ଜୁରୀ ପରିବେଶ ପ୍ରମାଣପତ୍ର ମାଇନିଂପ୍ଲାନ ପ୍ରମାଣପତ୍ର ଏବଂ ଜାନଵସତି ମଠ ମନ୍ଦିର ବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ନିର୍ଦ୍ଧାରିତ ଦୂରରେ ଇଟାଭାଟି ପାଇଁ ନିୟମ ଥିଲା ବେଳେ ସେସବୁକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।

ସେହିଭଳି ନଦୀ କୂଳରେ ଇଟାଭାଟି ପାଇଁ ନିର୍ଦ୍ଦେଶ ନ ଥିଲେ ମଧ୍ୟ ପ୍ରାୟ ଇଟାଭାଟି ନଦୀ କୂଳରେ ଚାଲିଛି । ଉକ୍ତ ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀକୁଳିଆ ଗ୍ରାମ ପାଟୁଳିପୁରା ଓ କାଠପାଳ ଅଞ୍ଚଳର ରାସ୍ତା ପାର୍ଶ୍ୱରେ ବେଆଇନଭାବେ ଚିମିନି ଇଟାଭାଟିରେ ବେଆଇନ ଇଟା ପୋଡ଼ା ଚାଲିଛି। ତେବେ ପଡୋଶୀ ବାଲେଶ୍ୱର ଜିଲ୍ଲାରେ ଗଢି ଉଠିଥିବା ଏକାଧିକ ଇଟାଭାଟିକୁ ବେଆଇନ ଦର୍ଶାଇ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଏତେ ସଂଖ୍ୟକ ଇଟାଭାଟି କେଉଁ ଆଇନ ବଳରେ ଚାଲିଛି ଓ ତହସିଲ ପ୍ରଶାସନ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି।

ତେବେ ଏହି ଅଞ୍ଚଳରେ ଗଢ଼ି ଉଠିଥିବା ଚିମିନିଭାଟି ଗୁଡ଼ିକ ବେଆଇନଭାବେ ସବୁ ଗାଇଡ଼ଲାଇନକୁ ଉଲ୍ଲଂଘନ କରି ଚାଲିଛନ୍ତି। ସୂଚନା ଅନୁଯାଇ ବେତନଟୀ ତହସିଲ ଅଧୀନ ଉକ୍ତ ଅଞ୍ଚଳରେ ଜଳ ବାୟୁ ପରିବେଶ ସମେତ ଆବଶ୍ୟକୀୟ ପଞ୍ଜୀକରଣ ପ୍ରମାଣ ନଥାଇ ଚିମିନିଭାଟି ଚାଲିଥିବା ବେଳେ ସେଥିପ୍ରତି ମଧ୍ୟ ଅଙ୍କୁଶ ନାହିଁ। ବେଆଇନ ଇଟାଭାଟି ଗୁଡ଼ିକରୁ ରୟାଲିଟି ଜରିମାନା ଜଳଭୂମିକର ଇଟାପ୍ରତି ଥିବା ଟ୍ୟାକ୍ସ ଅତି ସ୍ୱଳ୍ପ ପରିମାଣରେ ଓ ତାହା ଇଟାଭାଟି ମାଲିକଙ୍କ ଦୟାରେ ନିର୍ଭର କରୁଛି। ଗୋଟିଏ ପଟେ ପରିବେଶ ପ୍ରଦୂଷଣ ସହ ଏତେ ମାତ୍ରାରେ ବେଆଇନ ଇଟାଭାଟି ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି କରୁଥିବା ବେଳେ ଇଟାଭାଟିର ଧୂଆଁରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛନ୍ତି। ଅନ୍ୟପଟେ ତହସିଲ ପ୍ରଶାସନର ଉଦାସୀନତା ଯୋଗୁଁ ବେଧଡ଼କ ଇଟାପୋଡ଼ା ଯୋଗୁଁ ବିପୁଳ ରାଜସ୍ବହାନୀ ସହ ଲଘୁଖଣିଜ ଦ୍ରବ୍ୟ ଆଇନ ସହ ରାଜସ୍ବଆଇନ ଖୋଲାଖୋଲି ଉଲ୍ଲଂଘନ ହେବାରେ ଲାଗିଛି।

ଉକ୍ତ ଅଞ୍ଚଳର କୌଣସି ଇଟାଭାଟିର ପ୍ରଦୂଷଣ ବୋର୍ଡର ମଞ୍ଜୁରୀ ନାହିଁ ବୋଲି କହିଛନ୍ତି ବାଲେଶ୍ୱର ପ୍ରଦୂଷଣ ବୋର୍ଡର କାର୍ଯ୍ୟରତ ଅଧିକାରୀ। ସେହିଭଳି ଏ ସମ୍ପର୍କରେ ମୟୂରଭଞ୍ଜ ଉପଜିଲ୍ଲାପାଳ ଈଶ୍ୱର ନାୟକଙ୍କୁ ପଚାରିବାରୁ ସେ କହିଥିଲେ କି ପୂର୍ବରୁ ତ ତାଙ୍କ ନିକଟରେ ଇଟାଭାଟି ଚାଲୁଥିବା ନେଇ ସୂଚନା ନଥିଲା ଓ ଏବେ ସମ୍ବାଦ ପ୍ରତିନିଧିଙ୍କ ଠାରୁ ଖବର ପାଇ ସ୍ଥାନୀୟ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ପଠାଇ ଅନୁସନ୍ଧାନ କରାଉଛି। ପରେ ଆଜି ସୋମବାର ପୂର୍ବାହ୍ନରେ ଉପ ଜିଲ୍ଲାପାଳଙ୍କ ନିର୍ଦେଶ ପାଇ ତୁରନ୍ତ ବେତନଟୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ ଘଟଣାସ୍ଥଳରେ ପହଁଚି ସମସ୍ତ ଇଟାଭାଟି ମାଲିକଙ୍କୁ ସଠିକ କାଗଜପତ୍ର ନେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦେଶ ଦେଇଥିବାର ସୂଚନା ମିଳିଛି। ତେବେ ରାଜସ୍ବବିଭାଗ ପରିବେଶମନ୍ତ୍ରଣାଳୟ ଓଡ଼ିଶା ଖଣି ବିଭାଗ ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ବେତନଟୀ ତହସିଲ ଅଞ୍ଚଳର ପରିବେଶ ଧ୍ବଂସ ହେବା ସହ ତତଲା କଡେଇରେ ଜନଜୀବନ ହନ୍ତସନ୍ତ ହେବା ସୁନିଶ୍ଚିତ।