ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବେଆଇନ ପାଉଁଶ ଡମ୍ପିଂ ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତକାଲି ବେଦାନ୍ତ ବିରୋଧରେ ୭୧.୧୬ କୋଟି ଟଙ୍କାର ଜରିମାନା କଷିଛନ୍ତି। ଏଥିସହିତ ପାଉଁଶ ପୋଖରୀକୁ ନେଇ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ବେଆଇନ ପାଉଁଶ ଡମ୍ପିଂ ତାଲିକାରେ ଝାରସୁଗୁଡ଼ା ଜିଲ୍ଲାର ହାତଗଣତି ୩ଟି ଅଞ୍ଚଳ ରହିଛି। କିନ୍ତୁ ଏହାକୁ ଛାଡ଼ି ଜିଲ୍ଲାର ଆହୁରି ୩୦୦ରୁ ଅଧିକ ସ୍ଥାନ ରହିଛି, ଯେଉଁଠି ଗତ ୧୫ ବର୍ଷ ଧରି ବେଦାନ୍ତ ଟନ୍‌ ଟନ୍‌ ଓଜନର ପାଉଁଶ ଗଦା କରିସାରିଛି। ଏପରିକି ଖୋଦ୍‌ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖ ଅଞ୍ଚଳ ମଧ୍ୟ ବାଦ୍ ପଡ଼ିନାହିଁ। ସ୍ଥାନୀୟ ଲୋକେ ଏଥିରେ ଅଣନିଶ୍ବାସୀ ହୋଇପଡ଼ିଥିଲେ ବି ଏ ସଂକ୍ରାନ୍ତରେ
ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଏଯାଏ ନିଆଯାଇ ନାହିଁ।

Advertisment

୨୦୧୬-୧୭ ମସିହାରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାର୍ଶ୍ବରେ ରହିଥିବା ୯ ନଂ ୱାର୍ଡ ଫଟାମାଲ୍‌ ଅଞ୍ଚଳର ୫୨ ଏକର ଗୋଚର ଜମିରେ ବେଦାନ୍ତ ପାଉଁଶ ପକାଇବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଉକ୍ତ ଜମିକୁ ବେଦାନ୍ତ କିଣିବା ପରେ ସେଠାରେ ଥିବା ମୋରମ୍‌ ପାହାଡ଼ ଖୋଳି ତାକୁ ରେଳବାଇ ଠିକାଦାରଙ୍କୁ ବିକ୍ରି କରାଯାଇଥିଲା। ପରେ ଉକ୍ତ ଜମିରେ ୪୦ ଫୁଟ୍‌ ଗହୀର ମାଟି ଖୋଳିବା ପରେ ଲୋ ଲ୍ୟାଣ୍ଡ ଫିଲିଂ ନାମରେ ପାଉଁଶ ପୋତାଯିବା ଆରମ୍ଭ ହୋଇଥିଲା। ସେଠାରେ ଖାଲ ଭିତରେ ଗୋରୁଗାଈ ପଡ଼ି ଯାଉଥିବା ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଏକ ଅଭିଯୋଗପତ୍ର କରାଯିବା ପରେ ତା’ର ସମାଧାନ ପାଇଁ ପୁଣି ପାଉଁଶ ଫିଲିଂ ରାସ୍ତା ବାହାରିଥିଲା। ନିୟମାନୁସାରେ, ୧୦ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ପାଉଁଶ ଫିଲିଂ ପାଇଁ ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ ଅନୁମତି ଦେବାର ନିୟମ ନଥିବା ବେଳେ ଏଠାରେ କିନ୍ତୁ ୩ଟି ପର୍ଯ୍ୟାୟରେ ବେଦାନ୍ତକୁ ଅନୁମତି ପ୍ରଦାନ କରାଯାଇଥିଲା। ଏହାପରେ ପାଉଁଶ ଡମ୍ପିଂ କରାଯାଇ ପ୍ରାୟ ଶହେ ଫୁଟ୍‌ ଉଚ୍ଚର ପାହାଡ଼ ତିଆରି କରି ଦିଆଯାଇଥିଲା। ଏହା ଏନ୍‌ଜିଟିର ବିଚାରାଧୀନ ରହିଛି। ବେଆଇନ ପାଉଁଶ ଡମ୍ପିଂ ନେଇ ଯେତେବେଳେ ବି ଅଭିଯୋଗ ଆସେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛରେ ଥିବା ଏହି ପାଉଁଶ ପାହାଡ଼ ନଜରକୁ ଆସେ।

ତେଣୁ ଏହାକୁ ଲୁଚାଇବା ପାଇଁ ଏହି ସ୍ଥାନରେ ଜଙ୍ଗଲ ସୃଷ୍ଟି କରାଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ଗତ ମାସରେ ବେଦାନ୍ତ ସିଓଓ ସୁନୀଲ ଗୁପ୍ତା ଏହି ପାହାଡ଼ ଉପରେ ବୃକ୍ଷରୋପଣ ଲାଗି ଉଦ୍ୟମ କରିଛନ୍ତି। ସେତେବେଳେ ଏହି ସ୍ଥାନରେ ୧ ଲକ୍ଷ ଗଛ ଲଗାଯିବ ବୋଲି ଖୋଦ୍‌ ସିଓଓ ଶ୍ରୀ ଗୁପ୍ତା ଘୋଷଣା କରିଥିଲେ ଓ ୩ ବର୍ଷ ପାଇଁ ଏହାର ପରିଚାଳନା କରାଯିବ ବୋଲି କହିଥିଲେ। କିନ୍ତୁ ଘଟଣାସ୍ଥଳରେ ଏବେ ସର୍ବାଧିକ ୫ ହଜାର ଗଛ ଲଗାଯାଇଥିବା ବେଳେ ଶହ ଶହ ଚାରାଗଛକୁ ଫିଙ୍ଗି ଦିଆଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।