ଇଲିସି ଗୋଟାକୁ ୭ ହଜାର ଟଙ୍କା

ଚାନ୍ଦବାଲି : କଥାରେ ଅଛି ମାଛ ଖାଇବୁ ଇଲିସି, ଚାକିରି କରିବୁ ପୁଲିସି। ଇଲିସି ନାମ ଶୁଣିଲେ ପାଟିରୁ ଲାଳ ବାହାରି ପଡ଼ୁଥିବା ବେଳେ ଇଲିସି ଦାମ୍‌ ଶୁଣିଲେ ହୋସ୍ ଉଡ଼ିଯାଉଛି। ବର୍ତ୍ତମାନ ୧ କେଜି ଇଲିସି ହାରାହାରି ୧୧ ଶହରୁ ୧୫ ଶହ ଟଙ୍କାରେ ବିକ୍ରି ହେଉଛି। ମାତ୍ର ବଙ୍ଗୋପସାଗର ଉପକୂଳ ଧାମରା ମୁହାଁଣରୁ ଆଜି ଏକ ବଡ଼ ଇଲିସି ଧରାଯାଇଛି। ଏହାର ଓଜନ ପାଖାପାଖି ଦୁଇ କିଗ୍ରା। ଧାମରାର ଜଣେ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଏହି ବଡ଼ ଇଲିସି ମାଛ ଧରାପଡ଼ିଛି। ପୂର୍ବରୁ ଏହିଭଳି ମାଛ ଧରାପଡ଼ିଛି ହେଲେ ଦର କେଜି ପ୍ରତି ୩ ହଜାର ୫ ଶହ ଟଙ୍କା ଆଗରୁ କେବେ ଶୁଣାନଥିଲା। ଏତେ ବଡ଼ ମାଛକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା। ପୂବାଳି ପବନ ବୋହୁଥିବାରୁ ଧାମରା ଦୋସିଙ୍ଗା ଅଂଚଳର ସୁଧୀର ସିଂ ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଗଭୀର ସମଦ୍ର ମଧ୍ୟରୁ ଧରିଥିବା ବେଳେ ଅପରାହ୍ନ ୫ଟା ସମୟରେ ବୋଟ୍ କୂଳରେ ଲାଗିଥିଲା। ପରେ ଏହି ମାଛକୁ ଚନ୍ଦନୀପାଳସ୍ଥିତ କଣ୍ଟାରେ ନିଲାମ କରାଯାଇଥିଲା। ମକରା ନାମକ ବେପାରୀ ଏହି ନିଲାମ ଧରି କେଜିପ୍ରତି ସାଢ଼େ ୩ ହଜାର ହିସାବରେ ୭ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ବାହାର ରାଜ୍ୟକୁ ଏହି ମାଛଟି ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର