ଇଲିସି ଦର ଆକାଶଛୁଆଁ, ପଶ୍ଚିମବଙ୍ଗ ରପ୍ତାନୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ମାଛ

ଚାନ୍ଦବାଲି: ଧାମରା ଅଂଚଳରେ ଇଲିସି ମାଛର ଆକାଶଛୁଆଁ ଦର। ଚନ୍ଦନୀପାଳ କଣ୍ଟା ହେଉ କିମ୍ବା ଧାମରା ମାଛଧରା  ଜେଟି ହେଉ ସବୁଠି ଇଲିସି ମାଛର ଚାହିଦା। ମାଛର ସାଇଜ ଯେତିକି ବଡ ଦର ବି ସେତିକି ଉଚ୍ଚା। ଇଲିସିର ଏମିତି ଆକାଶଛୁଆଁ ଦର ଶୁଣି ସାଧାରଣ ଖାଉଟି କେବଳ ଦେଖି ଦେଖି ମନକୁ ବୁଝାଇ ଦେଉଛି। କିଲେ ଅଧେ କିଣିବାକୁ ସାହସ ଜୁଟାଇ ପାରୁନି। ଚଳିତ ବର୍ଷ ଧାମରା ଜେଟି ଓ ଚନ୍ଦନୀପାଳ କଂଟାରେ ଇଲିସିର ଯେମିତି ଚାହିଦା ରହିଛି ଆକାଶଛୁଆଁ ଦର ଥିବାରୁ ଲଞ୍ଚ ମାଲିକମାନେ ବେଶ ଖୁସି। ୨ ବର୍ଷ ହେଲା ବଡ ସାଇଜର ଇଲିସି ଜାଲରେ ପଡୁ ନ ଥିବା ବେଳେ ଚଳିତ ବର୍ଷ ଜାଲରେ ଅଧିକ ମାଛ ପଡୁଛି। ଚଢା ଦର ଯୋଗୁ  ରୋଜଗାର ବି ଏଥର ଅଧିକ। ଚଳିତ ବର୍ଷ ୧ କେଜିରୁ ୨ କେଜି ପର୍ଯ୍ୟନ୍ତ ଇଲିସି ମାଛର ଦାମ ୨ହଜାରରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ୧ କେଜିରୁ ୮ଶହ ଗ୍ରାମ ପର୍ଯ୍ୟନ୍ତ ମାଛର ଦାମ ୧୫ଶହରୁ ୧୮ ଶହ ଆଉ ୪ଶହ ଗ୍ରାମରୁ ୭ଶହ ପର୍ଯ୍ୟନ୍ତ ମାଛର ଦାମ ୮ଶହ ଟଙ୍କାରୁ ୧୨ଶହ ପର୍ଯ୍ୟନ୍ତ  ଦର ରହିଛି। ଯାହା ଜଣେ ସାଧାରଣ ଖାଉଟି କିଣିବା ସମ୍ଭବ ନୁହେଁ। ଧାମରା ଅଂଚଳରେ  ଯାହା ବି ମାଛ ଆମଦାନୀ ହେଉଛି ତାହା ପଶ୍ଚିମବଙ୍ଗ ପାଇଁ ନିଅଣ୍ଟ। ପଶ୍ଚିମବଙ୍ଗରେ ଇଲିସି ସହିତ ବଡ ଇଲିସର ଚାହିଦା ଅଧିକ ଥିବାରୁ ମାଛ ଦର ଅଧିକ  ହେଲେ ବି ମାଛ ରପ୍ତାନୀ ତୁଳନାରେ ଆମଦାନୀ ହେଉନି ବୋଲି  କଂଟା ମାଲିକ ଶଙ୍କର ଦାଦା କୁହନ୍ତି।

ଆଷାଢ ମାସରେ ମିଠା ପାଣି ଉପରୁ ଗଡୁଥିବାରୁ ଇଲିସି ଗଭୀର ସମୁଦ୍ର ଛାଡି କୂଳମୁହାଁ ହୋଇଥାନ୍ତି। ୨ ବର୍ଷ ହେବ ପାଣିପାଗ ଠିକ ନ ଥିବାରୁ ମାଛ ଆମଦାନୀ କମିଥିଲା। ଚଳିତ ବର୍ଷ ଇଲିସି ମାଛ ପାଇଁ ପାଣିପାଗ ଠିକ ରହିଥିବାରୁ ବଡ଼ ବଡ଼ ଇଲିସି କୂଳମୁହାଁ ହୋଇଛନ୍ତି। ଚଳିତ ବର୍ଷ ଅଧିକ ଇଲିସି ଆମଦାନୀ ହେବ ବୋଲି  ମତ୍ସ୍ୟଜୀବୀ ଭାନୁ ମଣ୍ତଳ  କହିଛନ୍ତି। ଗତ କିଛିଦିନ ହେବ ଧାମରା ଓ ଚନ୍ଦନୀପାଳ ଜେଟିରେ ବହୁଳ ପରିମାଣରେ ଇଲିସି, କଂଟିଆ, ମୋତି, ଶାଆଁଳ, ଫିରିକା ଚାନ୍ଦି, ବାହାଲ ଆଦି ମାଛ  ଦେଖା ଯାଉଛନ୍ତି। ରାତି ୩ଟାରୁ ସମୁଦ୍ରକୁ ବୋଟ ନେଇ ଧାମରା, ଚନ୍ଦନୀପାଳ, କାଳନାଳୀ, ତାଳଚୁଆ ଆଦି ଅଂଚଳର ହଜାରେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ  ଦିନ ୧୦ଟାରୁ  ଅପରାହ୍‌ଣ ୨ଟା ମଧ୍ୟରେ ଫେରି ଆସୁଥିବା ବେଳେ ସାଙ୍ଗରେ କୁଇଣ୍ଟାଲ କୁଇଣ୍ଟାଲ ମାଛ ଆଣୁଥିବା ସୂଚନା ଦେଇଛନ୍ତି କଂଟା ମାଲିକମାନେ। ଖର୍ଚ୍ଚ କମ୍ ଓ ରୋଜଗାର ଅଧିକ ଥିବାରୁ ଉଭୟ ମତ୍ସ୍ୟଜୀବୀ ଓ ବୋଟମାଲିକମାନେ ବର୍ତ୍ତମାନ ଖୁସି ପ୍ରକଟ କରିଛନ୍ତି। ହେଲେ ଖାଉଟିଙ୍କ ପାଟିରେ ବାଜୁନି ଇଲିସି।

ସମ୍ବନ୍ଧିତ ଖବର