ମୁଁ ପୁଣି ଫେରିବି!

ଡକ୍ଟର ଦେବୀଲାଲ ମିଶ୍ର

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମତିଥି। ଅଟଳଜୀ କେବଳ ଏକ ରାଜନେତା ନ ଥିଲେ, ସେ ଥିଲେ ଭାରତୀୟ ରାଷ୍ଟ୍ରନୀତି ଓ ରାଷ୍ଟ୍ରଚେତନାର ପକ୍ଷଧର। ଜଣେ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶକୁ ଦେଇଥିବା ନେତୃତ୍ବ ତାଙ୍କୁ ସର୍ବମାନ୍ୟ ରାଷ୍ଟ୍ର ପୁରୁଷ ଭା‌ବେ ଗୌରାବାନ୍ବିତ କରେ। ଅଟଳଜୀ ଏକ ନୂତନ ଭାରତର ଗଠନ ଉପରେ ଗୁରୁତ୍ବ ଦେଇଥିଲେ, ଯାହା ପ୍ରତ୍ୟେକ ଦେଶବାସୀଙ୍କର ସ୍ବପ୍ନର ପ୍ରତିଫଳନ ଥିଲା। ତାଙ୍କ ଭାଷାରେ ନୂଆ ଭାରତରେ ନୂଆ ବିଶ୍ବାସ, ନୂଆ ଉଲ୍ଲାସ ଏବଂ ଏକ ନୂଆ ଚମକ ଦେଖାଯିବା ଦରକାର। ଏହି ଚମକ ଖୁସି, ସମୃଦ୍ଧି ଏବଂ ନିରନ୍ତର ବିକାଶର ଚମକ। ପରସ୍ପର ମଧ୍ୟରେ ପ୍ରେମ ଓ ସଦ୍‌ଭାବନା; ରାଷ୍ଟ୍ର ଉଦ୍ଦେଶ୍ୟରେ ସଂକଳ୍ପ ଏବଂ ସମର୍ପଣ ନୂଆ ଭାରତର ଆଧାର। ସେ କହିଥିଲେ ଯେ ଶାସକର ଚରିତ୍ର ରାଜଧର୍ମ ଉପରେ ପ୍ରତିଷ୍ଠିତ ହେବା ଅପରିହାର୍ଯ୍ୟ।

ଅଟଳଜୀଙ୍କ ବ୍ୟକ୍ତିତ୍ବର ଆଦର୍ଶ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆକର୍ଷିତ କରିପାରିଥିଲା। କାରଣ ତାଙ୍କ ଚରିତ୍ର କେବେ ସଂକୀର୍ଣ୍ଣତା ନ ଥିଲା। ସେ ଏକଦା କହିଥିଲେ, ଗଣତନ୍ତ୍ରରେ ବିରୋଧୀ ରହିବା ଭଲ, କିନ୍ତୁ ଏଠି ଶତ୍ରୁତାର କୌଣସି ସ୍ଥାନ ନାହିଁ। ଭାରତକୁ ଏକ ବିଶ୍ବ ମହାଶକ୍ତି ଭାବେ ପ୍ରସ୍ତୁତ କରିବା ତାଙ୍କର ସ୍ବପ୍ନ ଓ ସଙ୍କଳ୍ପ ଥିଲା। ସେଥିପାଇଁ ସେ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ସଂଚାର, ଗମନାଗମନ ଏବଂ ସୁଶାସନ ଉପରେ ଗୁରୁତ୍ବ ଦେଇଥିଲେ। ତାଙ୍କ ଚେତନାରେ ଏକ ରାଷ୍ଟ୍ରନୀତିଜ୍ଞଙ୍କର ଦୃଷ୍ଟିଭଙ୍ଗୀ ଥିବାବେଳେ ତାଙ୍କ ହୃଦୟରେ ଏକ କବିର ମାନବୀୟ ସମ୍ବେଦନା ସ୍ପଷ୍ଟ ବାରି ହୋଇପଡ଼େ। ଏକ ଉନ୍ନତ ମାନବୀୟ ଚରିତ୍ରର ଉତ୍‌ଥାନ ଥିଲା ତାଙ୍କ କବିତାର ମୁଖ୍ୟ ଦିଗ। ସେଥିପାଇଁ ସେ କହିଥିଲ : ‌‘ଛୋଟ ମନ ନେଇ କେହି କେବେ ବଡ଼ ହୋଇପାରେନା।’ ସଫଳତାର ମୂଳରେ ଏକ ସକାରାତ୍ମକ ଚରିତ୍ରର ଗୁରୁତ୍ବକୁ ସେ ଅନୁଭବ କରିଥିଲେ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିଜର ଅଟଳ ସଂକଳ୍ପ, ସମର୍ପଣ ଓ ପ୍ରୟାସ ଦ୍ବାରା ସଫଳତା ସମ୍ଭବ। ବିଜୟ-ପରାଜୟର ଭୟ ଓ ମୋହରୁ ଊର୍ଦ୍ଧ୍ବକୁ ଉଠି ଲକ୍ଷ୍ୟପଥରେ ନିରନ୍ତର ଅଗ୍ରସର ହେବାକୁ ସେ ଆହ୍ବାନ ଦେଇଥିଲେ। ରାଷ୍ଟ୍ରସ୍ବାର୍ଥ ପାଇଁ କ୍ଷୁଦ୍ରସ୍ବାର୍ଥକୁ ଭୁଲି ନିଜକୁ ରାଷ୍ଟ୍ର-ଉପଯୋଗୀ କରି ଗଢ଼ିବାକୁ ସେ ପ୍ରାଥମିକତା ଦେଇଥିଲେ।

କୌଣସି ପରିସ୍ଥିତିରେ ମଣିଷ ଇଚ୍ଛାଶକ୍ତିଠାରୁ ବଡ଼ ନୁହେଁ। ସେ କହିଥିଲେ, ‘ମୁଁ କେବେ ପରାଜୟ ସ୍ବୀକାର କରିବି ନାହିଁ। ନୂତନ ସଂକଳ୍ପ ସହ ସର୍ବଦା ଆଗକୁ ବଢ଼ିବି। ଏହାକୁ କାଳର କପାଳରେ ଲେଖି ଓ ଲିଭେଇ ମୁଁ ସବୁ ପରିସ୍ଥିତିରେ ନୂତନ ଗୀତ ଗାଇବି।’ କର୍ମ ପଥରେ ମୃତ୍ୟୁର ଭୟ ମଧ୍ୟ ତାଙ୍କୁ ଗ୍ରାସ କରିପାରି ନଥିଲା। ସେ ଥିଲେ ଅଟଳ କର୍ମଯୋଗୀ। ତାଙ୍କର ଏକ କବିତାରେ ସେ କହିଥିଲେ-
‘ମୁଁ ପ୍ରାଣଭରି ବଞ୍ଚିଲି
ନିଜ ଇଚ୍ଛାରେ ମରିବି,
ଯାତ୍ରା ପାଇଁ ଡର ନାହିଁ
ମୁଁ ଆଉ ଥରେ ଫେରିବି।’
ବୋଧହୁଏ ଏହା ହିଁ ତାଙ୍କ ଅନନ୍ୟ ବ୍ୟକ୍ତିତ୍ବର ଅଟଳ ମର୍ମ। ଫେରିଆସ ଅଟଳ। ପ୍ରଣାମ! ଆପଣଙ୍କ ସୁଚରିତ୍ର ସର୍ବଦା ସୁଶାସନର ପ୍ରତିବିମ୍ବ ସାଜି ଦେଶବାସୀଙ୍କୁ ପ୍ରେରିତ ଓ ଅନୁପ୍ରାଣିତ କରିଚାଲୁ।

-ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର