ଚୋରା ମଦ କାରବାର ରୋକ

ମାଲକାନଗିରିରେ ଗୋଟିଏ ଲାଇସେନ୍ସରେ ୨୭ ମଦ ଦୋକାନ

ଭୁବନେଶ୍ବର : ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବଢ଼ୁଛି। ତାହାକୁ ପିଇ ଲୋକମାନେ ରୋଗରେ ପଡ଼ୁଛନ୍ତି। ଏହାକୁ ରୋକିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଜି ବିଧାନସଭାରେ ବହୁ ବିଧାୟକ ଏମିତି ଦାବି ଉଠାଇଥିଲେ।

ବିଧାନସଭାର ପ୍ରଶ୍ନକାଳରେ ଅରବିନ୍ଦ ଢାଲିଙ୍କ ମୂଳ ପ୍ରଶ୍ନ ଥିଲା, ମାଲକାନଗିରି ଜିଲ୍ଲାରେ ଗୋଟିଏ ଅବକାରୀ ଲାଇସେନ୍ସ ଜରିଆରେ ଅଧିକ ‌ମଦ ଦୋକାନ ଚାଲିଥିବାର ସରକାରଙ୍କ ଦୃଷ୍ଟିକୁ ଆସିଛି କି ? ଯଦି ଆସି ନ ଥାଏ, ତେବେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ? ଏମ୍‌ଆର୍‌ପି ଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ମଦ ବିକ୍ରି ଚାଲିଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ?

ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମାଲକାନଗିରି ଜିଲ୍ଲାରେ ଗୋଟିଏ ଲାଇସେନ୍ସରେ ଅଧିକ ମଦ ଦୋକାନ ଚାଲୁଥିବାର ଦୃଷ୍ଟାନ୍ତ ନାହିଁ। ଏପରି ନଜରରେ ଆସିଲେ ତଦନ୍ତ ପୂର୍ବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ ଚାଲୁଥିବା ମଦ ଦୋକାନଗୁଡ଼ିକରେ ଏମ୍‌ଆର୍‌ପି ଠାରୁ ଅଧିକ ମୂଲ୍ୟରେ ମଦ ‌ବିକ୍ରି ହେଉଥିବାର କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଅଦ୍ୟାବଧି ହସ୍ତଗତ ହୋଇ ନାହିଁ। କିନ୍ତୁ ଶ୍ରୀ ଢାଲି ମନ୍ତ୍ରୀଙ୍କ ଉତ୍ତରରେ ଏକମତ ହୋଇ ନ ଥିଲେ। କହିଥିଲେ, ମନ୍ତ୍ରୀଙ୍କ ଉତ୍ତରରେ ଯାହା ତଥ୍ୟ ଦିଆଯାଇଛି ବାସ୍ତବତା ତାହାର ଠିକ୍ ଓଲଟା। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଗୋଟିଏ ଲାଇସେନ୍ସ‌େର ୨୭ଟି ମଦ ଦୋକାନ ଖୋଲିଛନ୍ତି। ଜିଲ୍ଲାରେ ଚୋରା ମଦ ପିଇ ବହୁ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତୁରନ୍ତ ଏହାକୁ ରୋକାଯାଉ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ରାଜ୍ୟ ସ୍ତରରୁ ସ୍କ୍ବାର୍ଡ ପଠାଇ ଯାଞ୍ଚ୍ କରାଯିବ। ନିଶ୍ଚିତ ଭାବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଘୁନାଥ ଗମାଙ୍ଗୋ, ଲତିକା ପ୍ରଧାନ, ମହିଧର ରଣା ପ୍ରମୁଖ ନିଜ ନିଜ ଅଞ୍ଚଳରେ ଚୋରା ମଦ କାରବାର ବଢ଼ୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମହମ୍ମଦ ମୋକିମ୍ ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ଉଠାଇବା ନେଇ ଦାବି କରିି‌ଥିଲେ। ତାରା ପ୍ରସାଦ ବାହିନୀପତି ନିଜ ଅଞ୍ଚଳରେ ଚୋରା ମଦ କାରବାର ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ବିଲ୍‌ ଆଣିବାକୁ ଦାବି କରିଥି‌େଲ।

ସମ୍ବନ୍ଧିତ ଖବର