କଣ୍ଟିଲୋରେ ବଢୁଛି ବେଆଇନ ମଦ କାରବାର : ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସ ସାଜିଛି ନିରବଦ୍ରଷ୍ଟା, ବୃଦ୍ଧି ପାଉଛି ମଦ୍ୟପଙ୍କ ପ୍ରାଦୁର୍ଭାବ

କଣ୍ଟିଲୋ : କଣ୍ଟିଲୋ ତଥା ଏହାର ଆଖପାଖ ଗ୍ରାମଗୁଡ଼ିକରେ ବେଆଇନ ମଦ କାରବାର ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି। କଣ୍ଟିଲୋ ବଜାର ନିକଟରେ ଏକମାତ୍ର ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ଥିଲେ ମଧ୍ୟ କଣ୍ଟିଲୋ ଗ୍ରାମ ସମେତ ଆଖପାଖ ଗ୍ରାମଗୁଡ଼ିକରେ ସହଜରେ ମଦ ଉପଲବ୍ଧ ହେଉଛି। ବିଭିନ୍ନ ମଦ ଦୋକାନରୁ ଆଖପାଖ ଗ୍ରାମମାନଙ୍କୁ ମଦ ଯୋଗାଇବା ସହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ଏହା ଫଳରେ ଗ୍ରାମଗୁଡ଼ିକରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ହାତପାଆନ୍ତାରେ ଉପଲବ୍ଧ ହେବା ଫଳରେ ଏଥିପ୍ରତି ଯୁବଗୋଷ୍ଠୀ ଆକୃଷ୍ଟ ହେଉଛନ୍ତି। ଗ୍ରାମର ଛକବଜାରଗୁଡ଼ିକରେ ଚାଲୁଛି ମଦ୍ୟପଙ୍କ ରାଜୁତି। ଏଥିଯୋଗୁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଦୁର୍ଘଟଣାମାନ ଘଟୁଥିବା ନଜରକୁ ଆସୁଛି।

thehealthsite.com

କଣ୍ଟିଲୋସ୍ଥ ବିଦେଶୀ ମଦ ଦୋକାନ ନିକଟରେ ଥିବା ଖାଲି ସ୍ଥାନରେ ଅସ୍ଥାୟୀ ଚାଖଣା ଦୋକାନଗୁଡ଼ିଏ ଥିବାରୁ ସଞ୍ଜ ନଇଁଲେ ଉକ୍ତ ସ୍ଥାନରେ ମଦ୍ୟପଙ୍କ ଭିଡ଼ ଜମିବା ସହ ଗଣ୍ଡଗୋଳ ଘଟଣାମାନ ଘଟୁଛି। ରାତ୍ରି ସମୟରେ ଉକ୍ତ ସ୍ଥାନ ଦେଇ ଯା’ଆସ କରିବାକୁ ସ୍ଥାନୀୟ ଲୋକେ ସୁରକ୍ଷିତ ମଣୁନାହାନ୍ତି। ଏଥି ସହ ଅଧିକାଂଶ ସମୟରେ ବଜାର ମଧ୍ୟରେ ଗଣ୍ଡଗୋଳ ଘଟି ମାଡ଼ପିଟା ଘଟଣାମାନ ଘଟୁଛି। ଗ୍ରାମାଞ୍ଚଳରେ ସହଜରେ ମଦ ଉପଲବ୍ଧ ହେବା ଫଳରେ ଅନେକ ସମୟରେ ଦେଖାଯାଉଛି ଯେ ଶ୍ରମଜୀବୀ, କୃଷକ ଶ୍ରେଣୀର ଲୋକେ ନିଜ ଆୟର ସିଂହଭାଗ ନିଶାପାଣିରେ ଖର୍ଚ୍ଚ କରୁଥିବାରୁ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ପ୍ରତି ଗ୍ରାମରେ ମଦର ପ୍ରସାର ବଢ଼ି ଚାଲିଥିବା ବେଳେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା ସାଜିଛି। ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ନୀଳମାଧବ କ୍ଷେତ୍ର କଣ୍ଟିଲୋରେ ମଦର ବେଆଇନ ପ୍ରସାର ରୋକିବା ଦିଗରେ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର