ସିମୁଳିଆ/ଜଳେଶ୍ବର/ଭଦ୍ରକ/ଧାମନଗର: ପାର୍ବଣ ଋତୁରେ ବିଭିନ୍ନ ସ୍ଥାନରେ ବେଆଇନ ବାଣ ତିଆରି ଓ ବିକ୍ରି ବଢ଼ିବାରେ ଲାଗିଛି। ପୁଲିସ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୧୫ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମର ସେକ୍ ଓକିଲ ଓ ତାଙ୍କ ପୁଅ ସେକ୍ କାଦିର ବେଆଇନ ବାଣ ତିଆରି କରୁଥିବା ଖବର ପାଇ ଆଜି ଭୋର୍ ୩ଟା ବେଳେ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସଦଳବଳ ଚଢ଼ଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରିଛନ୍ତି। ସେକ୍ କାଦିରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବାପା ସେକ୍ ଓକିଲ କୌଶଳକ୍ରମେ ଖସିଯାଇଥିଲେ। ଚଢ଼ଉରେ ଥାନାଧିକାରୀ ଶ୍ରୀ ମହାରଣାଙ୍କ ସହ ଏଏସ୍ଆଇ ବିଶ୍ୱଜିତ ସେଠୀ, ସନ୍ତୋଷ କୁମାର ବିଶ୍ୱାଳ, କ୍ଷୀରୋଦ କୁମାର ସାହୁ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
ସେହିପରି ଜଳେଶ୍ୱର ଥାନା ଏଏସ୍ଆଇ ଭଗବାନ ଦାସଙ୍କ ନେତୃତ୍ବରେ ଏକ ଟିମ୍ ଆଜି ପୂର୍ବାହ୍ଣରେ ପଶ୍ଚିମବାଡ଼ ୟୁପି ସ୍କୁଲ୍ ନିକଟସ୍ଥ ‘ମା’ କାଳୀ’ ନାମକ ଏକ ବେଆଇନ ବାଣ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କାର ବାଣ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ଦୋକାନ ମାଲିକ ଖଗେନ୍ଦ୍ର ସାହୁଙ୍କୁ ପୁଲିସ ଗିରଫ କରିଛି। ଜଳେଶ୍ୱର ପୁଲିସ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଚଢ଼ଉ କରି ଏକ ଘରୁ ୨୦ ହଜାର ଟଙ୍କାର ବାଣ ଓ ଅନ୍ୟ ସାମଗ୍ରୀ ଜବତ ସହ ବ୍ୟବସାୟୀ ସଞ୍ଜୟ କୁମାର ଖଟୁଆଙ୍କୁ ଗିରଫ କରିଛି। ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡ଼ା ଗ୍ରାମର ଶୁକଦେବ ନାଥ ନିଜ ଘରେ ବାଣ ବିକ୍ରି କରୁଥିବା ବେଳେ ଆଜି ମଧ୍ୟାହ୍ନରେ ସୋର ପୁଲିସ ଚଢ଼ଉ କରିଥିଲା। ଏଠାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରି ପୁଲିସ ଟିମ୍ ଶୁକଦେବଙ୍କୁ ଥାନା ନେଇଯାଇଥିଲା। ସେହିପରି ବସ୍ତା ଥାନା ଅଧୀନ ମଛଡ଼ିହା ଗ୍ରାମରେ ଏକ ଘରେ ବେଆଇନ ଭାବେ ବାଣ ତିଆରି ବେଳେ ପୁଲିସ ପହଞ୍ଚି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିଲା। ଏହି ଘଟଣାରେ ପୁଲିସ ସୁଶାନ୍ତ ଧଳକୁ ଗିରଫ କରିଛି।
ଅନ୍ୟପଟେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁରରେ ଗତକାଲି ଅପରାହ୍ଣରେ ଚଢ଼ଉ କରାଯାଇଥିଲା। ଗ୍ରାମର ମଦନମୋହନ ରଣା, ମନୋରଞ୍ଜନ ରଣା ଓ ଗୌରାଙ୍ଗ ଚନ୍ଦ୍ର ରଣା ବେଆଇନ ବାଣ ତିଆରି କରୁଥିବା ଖବର ପାଇ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଟିମ୍ ଚଢ଼ଉ କରିଥିଲା। ସେଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ସହ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ମଦନମୋହନ, ମନୋରଞ୍ଜନ ଓ ଗୌରାଙ୍ଗଙ୍କୁ ଗିରଫ କରାଯାଇଛି। ଏହି ଚଢ଼ଉରେ ଏସ୍ଆଇ ରଶ୍ମିତା ମଲ୍ଲିକ, ପ୍ରଦୀପ ନାୟକ, ଏଏସ୍ଆଇ ଲରେନ୍ସ ଖୁଜୁର, ସୁଜିତ ରାଉତ ଓ ନରେନ୍ଦ୍ର ରାଉତ ସାମିଲ ଥିଲେ।