ଆସାମରୁ ଆସୁଛନ୍ତି ବାଂଲା ଅନୁପ୍ରବେଶକାରୀ!

ବାଂଲା ଅନୁପ୍ରବେଶକାରୀଙ୍କ କବ୍‌ଜାରେ କେନ୍ଦ୍ରାପଡ଼ା, ୨୦୦୪ରୁ ଦେଶାନ୍ତର ନୋଟିସ୍‌ ଦେଇ ସରକାର ଚୁପ୍

ରାଜନଗର : ଆସାମରେ ନ୍ୟାସନାଲ ରେଜିଷ୍ଟାର ଅଫ୍ ସିଟିଜେନ ତାଲିକା ପ୍ରସ୍ତୁତ ପରେ ସେଠାକାର ବାଂଲାଦେଶୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ତେବେ, ସୁଯୋଗ ଉଣ୍ଡି ଏବେ ସେମାନେ ଓଡ଼ିଶା ମୁହାଁ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଦେଶାନ୍ତର ନୋଟିସ୍‌ ଦେଇ ସରକାର ଚୁପ୍‌ ବସିଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।

୨୦୦୩ ମସିହାରୁ କେନ୍ଦ୍ରସରକାରଙ୍କ ତାଗିଦା ପରେ ଓଡିଶାରେ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଚିହ୍ନଟ ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମହାକାଳପଡାରେ ୧୫୫୧, ପଟ୍ଟାମୁଣ୍ତାଇରେ ୯୬ଜଣ ଓ ରାଜନଗରରେ ମାତ୍ର ୩୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ସରକାରୀ ସ୍ତରରେ ଚିହ୍ନଟ କରାଯାଇଥିଲା। ୨୦୦୪ ଡିସେମ୍ବର ମାସରେ ଏହି ଅନୁପ୍ରବେଶକାରୀଙ୍କୁ ଦେଶ ଛାଡିବା ପାଇଁ ୩୦ ଦିନିଆ ନୋଟିସ୍‌ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଗୃହବିଭାଗ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଥିଲା। ମାତ୍ର ନୋଟିସ୍‌ ଦେଇ ଦେଇ ସରକାର ଆଜି ଯାଏଁ ଚୁପ୍ ବସିଛନ୍ତି। ଯାହାର ସୁଯୋଗରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟାରେ ବଢ଼ିବ‌ାରେ ଲାଗିଛି। ଯେଉଁମାନେ ବି ରହିଛନ୍ତି, ସେମାନେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ନିଜର ପରିଚୟ ପତ୍ର ଯୋଗାଡ଼ କରିଛନ୍ତି।

ଯେମିତିକି, ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ଚାରିଘରିଆରେ ରହୁଥିବା ତାରାପଦ ରପ୍ତାନି। ଏହା ତାଙ୍କ ସ୍ଥାୟୀ ଠିକଣା। ତାରାପଦଙ୍କ ଘର ବାଂଲାଦେଶ। ତାଙ୍କ ପାଖରେ ଫଟୋ ପରିଚୟପତ୍ର ସାଙ୍ଗକୁ ଆଧାରକାର୍ଡ ଓ ରାସନକାର୍ଡ ଅଛି। ଯାହାକି ଭାରତୀୟ ନାଗରିକତ୍ବର ବଳିଷ୍ଠ ପ୍ରମାଣ। ତାରାପଦଙ୍କ କହିବା କଥା ହେଲା, ବାଲାଂଦେଶରୁ ଆସି କଲିକତାରେ ପରିବାର ସହ ରହୁଥିଲେ। ୮ବର୍ଷ ତଳେ ଆସି ପାରାଦୀପରେ ତାଙ୍କର ଜଣେ ଭାଇ ପାଖରେ ରହି କାମ ଆରମ୍ଭ କଲେ। ଏବେ ୩ ବର୍ଷ ହେବ ଆସି ରାଜନଗର ବ୍ଲକର ଚାରିଘରିଆରେ ରହୁଛନ୍ତି। ଏଠାରେ ତାଙ୍କର ଦୁଇ ଭାଇ ହରିପଦ ଓ ନଳିନୀ ପୂର୍ବରୁ ଆସି ରହୁଥିଲେ। ପ୍ରଥମେ ଆସି ସେ ଭାଇମାନଙ୍କ ପାଖରେ ରହିଥିଲେ। ପରେ ଘରଭଡ଼ା ନେଇ ଚାରିଘରିଆରେ ରହୁଥିବାବେଳେ ଏବେ ଘର କରି ରହୁଛନ୍ତି। ସ୍ଥାନୀୟ ଲୋକେ କହିଛନ୍ତି, ତାରାପଦ ଏହି ଗାଁର ଲୋକ ନୁହଁନ୍ତି। ଏହି ଗାଁରେ ରହୁଥିବା ହରିପଦ ଓ ନଳିନୀ ରପ୍ତାନୀଙ୍କ ଭାଇ ବୋଲି ସେ କହୁଛନ୍ତି । ସେ ଧରାଧରି କରି ଫଟୋ ପରିଚୟପତ୍ର ଓ ଆଧାରକାର୍ଡ କରାଇ ନେଇଥିବା ଗାଁ ଲୋକେ କହିଛନ୍ତି। ଏମିତି ଅନେକ ବାଂଲା ଅନୁପ୍ରବେଶକାରୀ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ କିଭଳି ହଟାଯିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନ୍ୟାସ୍‌ନାଲ୍ ରେଜିଷ୍ଟାର ଅଫ୍ ସିଟିଜେନ (ଏନ୍‌ଆରଆଇସି) ପ୍ରସ୍ତୁତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ଲୋଡ଼ିଛନ୍ତି। ହାଇକୋର୍ଟ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ଏ ନେଇ ଜବାବ ଲୋଡିବା ପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଅନୁମତି ଲୋଡାଯାଇଛି।

ହାଇକୋର୍ଟରେ ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲ ଦାଖଲ କରିଥିବା ରିପୋର୍ଟ ମୁତାବକ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଭିତରକନିକା ଆର୍ଦ୍ରଭୂମି ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କବ୍‌ଜାରେ ରହିଛି। ଏହି ଅନୁପ୍ରବେଶକାରୀମାନେ ଏଠାରେ ଚିଙ୍ଗୁଡି ଘେରି କରିବା ସହିତ ଲୁଣାଜଙ୍ଗଲ କାଟି ପରିବେଶ ଧ୍ବଂସ କରୁଛନ୍ତି। ତେଣୁ ବାଂଲାଦେଶୀଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ବେଆଇନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭାଳେଣି ସୃଷ୍ଟି ହୋଇଛି। କିନ୍ତୁ, ବାଂଲା ଅନୁପ୍ରବେଶକରୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କିଭଳି ବାସ୍ତବ ରୂପ ନେଉଛି- ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର