ଆଳୁ ଖୋଳୁଖୋଳୁ ମହାଦେବ! : ବଡ଼ଭାଇ ବାଂଲାଦେଶୀ, ସାନ ଭାରତୀୟ

ବାଂଲାଦେଶୀ ଚିହ୍ନଟ ତାଲିକାରେ ବିଭ୍ରାଟ

ରାଜନଗର/ମହାକାଳପଡା : ଜଣେ ବ୍ୟକ୍ତିଙ୍କ ୩ ପୁଅଙ୍କ ଭିତରୁ ବଡ଼ପୁଅ ବାଂଲାଦେଶର ନାଗରିକ କିନ୍ତୁ ସାନ ଦୁଇ ପୁଅ ହେଉଛନ୍ତି ଭାରତୀୟ ନାଗରିକ। କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତାଲିକାରୁ ଏଭଳି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ଗୋଟିଏ ଭାଇ ବାଂଲାଦେଶୀ ହୋଇଥିବା ବେଳେ ୨ ଭାଇ କିପରି ଭାରତୀୟ ହେଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଉଳକଣୀ ଗାଁର ଲୁଣାଘେରି ଗାଁ। ଏହି ଗାଁର ଅଜିତ ବୈଦ୍ୟଙ୍କ ସମେତ ତାଙ୍କ ପୁଅ ଗୌରାଙ୍ଗ ବୈଦ୍ୟ ଓ ନିତ୍ୟାନନ୍ଦ ବୈଦ୍ୟଙ୍କୁ ୨୦୦୪ ଡିସେମ୍ବର ୨୮ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୩୦ ଦିନ ମଧ୍ୟରେ ଭାରତ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଥିଲା। ଦେଶାନ୍ତର ନୋଟିସ ପାଇବାର ୧୫ବର୍ଷ ପରେ ବି ସେମାନେ ଭାରତୀୟ ଭାବେ ସମସ୍ତ ସୁବିଧା ସୁଯୋଗ ଭୋଗ କରୁଛନ୍ତି। ଏଥିସହ ଗୌରାଙ୍ଗ ୨୦୦୭ରୁ ସରକାରୀ ଚାକିରି କରିଆସୁଛନ୍ତି। ବାଂଲା ନାଗରିକଙ୍କୁ ସରକାରୀ ଚାକିରି ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଉ ଏକ ବଡଖବର ସାମ୍ନାକୁ ଆସିଛି। ଲୁଣାଘେରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ ବୈଦ୍ୟ କହିଛନ୍ତି ଯେ, ସେ ଯଦି ବାଂଲାଦେଶୀ ହେଲେ ତାଙ୍କର ଦୁଇ ଦାଦା ଭାରତୀୟ ହେଲେ କିପରି? ଗୌରାଙ୍ଗଙ୍କ ସୂଚନା ମୁତାବକ, ତାଙ୍କ ଜେଜେଙ୍କ ନାଁ ହରିପଦ ବୈଦ୍ୟ। ହରିପଦଙ୍କ ୩ପୁଅ ଅଜିତ, ପ୍ୟାରିଲାଲ ଓ ରବିନ୍ଦ୍ର। ୨୦୦୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଂଲା ଅନୁପ୍ରବେଶକାରୀ ଚିହ୍ନଟ କରାଯାଇଥିଲା। ସେତେବେଳେ ତାଙ୍କ ବାପା ଅଜିତ ବୈଦ୍ୟ ଓ ଦୁଇଭାଇଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ କରାଯିବା ସହ ଦେଶ ଛାଡିବାକୁ ନୋଟିସ ଦିଆଯାଇଥିଲା। ସେମାନେ ଦୁଇଭାଇ ଓ ବାପା ଯଦି ବାଂଲାଦେଶୀ ହେଲୁ, ତେବେ ଦାଦା ପ୍ୟାରିଲାଲ, ରବିନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟ କିପରି ଭାରତୀୟ ହେଲେ। ଯଦି ଭାରତରେ ଭାରତୀୟ ନାଗରିକ ଭାବେ ରହିବେ, ସେମାନେ କାହିଁକି ଦେଶଛାଡି ଯିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

୨୦୦୩ରେ ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ବେଳେ ଜିଲ୍ଲାର ମହାକାଳପଡା ବ୍ଲକରେ ୧୫୫୧ଜଣ, ପଟ୍ଟାମୁଣ୍ତାଇରେ ୯୬ଜଣ ଓ ରାଜନଗର ବ୍ଲକରେ ୩୦ଜଣ ଅନୁପ୍ରବେଶକାରୀଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରାଯାଇଥିଲା। ରାଜନଗର ଓ ମହାକାଳପଡା ବ୍ଲକ୍‌ରେ ପ୍ରାୟ ୩୦ହଜାରରୁ ଅଧିକ ବାଂଲାଦେଶୀ ଥିବା ବେଳେ ସରକାରୀ ସ୍ତରରେ ଏହି ସଂଖ୍ୟା କିପରି ଏତିକିରେ ସୀମିତ ରହିଲା ସେ ନେଇ ସବୁ ମହଲରେ ପ୍ରଶ୍ନ ଉଠିଥିଲା। ଏବେ ଜଣେ ବ୍ୟକ୍ତିଙ୍କ ଗୋଟିଏ ପୁଅ ବାଂଲାଦେଶୀ ଭାବେ ଦେଶାନ୍ତର ନୋଟିସ ପାଇବା ଓ ଦୁଇପୁଅ ଭାରତୀୟ ଭାବେ ରହିବାକୁ ସ୍ବୀକୃତି ପାଇବା ଘଟଣା ଚିହ୍ନଟ ପ୍ରକ୍ରିୟା ସମୟରେ ହୋଇଥିବା ଗୁରୁତର ତ୍ରୁଟିକୁ ସାମ୍ନାକୁ ଆଣିଛି। ନ୍ୟାସନାଲ ରେଜିଷ୍ଟ୍ରାର ଅଫ ଇଣ୍ତିଆନ ସିଟିଜେନ (ଏନଆରସି) ସର୍ଭେ କରାଯାଇ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି ବିତାଡିତ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର