ଧର୍ମଶାଳାରେ ବେଆଇନ କଳାପଥର ଖନନ ମାମଲା, ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶାଳୟ କରିବେ ତଦନ୍ତ

୬୦ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଆଇନ ଭାବେ କଳା‌ପଥର ଖନନ ହେଉଥିବା ଅଭିଯୋଗର ତଦନ୍ତ କରିବେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶାଳୟ। ଆସନ୍ତା ୬୦ ଦିନ ଭିତରେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ମେ’ ୧୭ ତାରିଖରେ ହେବ। ଅଭିଯୋଗକାରୀ ସର୍ବେଶ୍ବର ବେହୁରାଙ୍କ ଅଭିଯୋଗ ଅନୁସାରେ, ଲିଜ୍‌ ପାଇଥିବା ବ୍ୟକ୍ତି ଧାର୍ଯ୍ୟ ଅଞ୍ଚଳ ବାହାରେ ଲକ୍ଷାଧିକ ଟନ୍‌ର କଳାପଥର ଖନନ କରି ରାଜ୍ୟ ସରକାରଙ୍କ ତହବିଲକୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଇଛନ୍ତି। ସ୍ଥାନୀୟ ତହସିଲଦାର ଓ ପୁଲିସର ସଲାସୁତରା ଯୋଗୁଁ କୋଟି କୋଟି ଟଙ୍କାର ମୂଲ୍ୟବାନ ପଥର ଲୁଟ୍ ହୋଇଛି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରିବା ସହିତ ଧର୍ମଶାଳା ତହସିଲଦାର, ଜିଲ୍ଲାପାଳ ଓ ଲିଜ୍ ପାଇଥିବା ବ୍ୟକ୍ତି ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏ ବାବଦରେ ୧୯ଲକ୍ଷ ୩୭ହଜାର ଟଙ୍କା ରୟାଲ୍‌ଟି ଓ ଜରିମାନା ଆଦାୟ କରାଯାଇଥିବା ବେଳେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ୧୦୩ଟି ଗାଡ଼ିକୁ ଜବତ କରାଯାଇଛି। ଏଭଳି ପରିସ୍ଥିତିରେ ଅଭିଯୋଗର ତଦନ୍ତ ଜରୁରୀ ହୋଇ ପଡ଼ିଥିବା ଲୋକାୟୁକ୍ତ ହୃଦୟଙ୍ଗମ କରିବା ସହିତ ପ୍ରାଥମିକ ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର