ମହାନଦୀରେ ବିସ୍ଫୋରଣ, କୁଡ଼ୋ ମାଛ ପ୍ରତି ବିପଦ

ସମ୍ବଲପୁର : ମହାନଦୀରେ ଚାଲିଛି ଅବାଧ ବିସ୍ଫୋରଣ। ମାଛ ମାରିବା ପାଇଁ ସହଜ ଉପାୟ ଅବଳମ୍ବନ କରାଯାଉଛି। ହୁମାର ପ୍ରସିଦ୍ଧ ବକ୍ର ମନ୍ଦିରଠାରୁ ଅଳ୍ପ ଦୂରରେ ଚାଲିଛି ବେଆଇନ କାମ। ହେଲେ ସମସ୍ତେ ନିରବଦ୍ରଷ୍ଟା। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁଏହା ମାଛ ବେପାରୀମାନଙ୍କୁ ପରୋକ୍ଷରେ ଉତ୍ସାହିତ କରୁଛି।

ପ୍ରାପ୍ତ ସୂଚନା ଅନୁସାରେ, ଚିପିଲିମାରୁ ହୁମା ମନ୍ଦିର ମଧ୍ୟରେ ମହାନଦୀରେ ଅନେକ ସ୍ଥାନରେ ବିସ୍ଫୋରଣ କରି ମାଛ ମରାଯାଉଛି। ଦେଶୀ ଉପାୟରେ ପ୍ରସ୍ତୁତ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏକ ବୋତଲରେ ବାରୁଦ, ୟୁରିଆ ସାର ଆଦି ଭର୍ତ୍ତି କରାଯାଉଛି। ଏହା ଉପ‌ରେ ନିଆଁ ଲଗାଇବା ପାଇଁ ଏକ ପିନ୍ ସଂଯୋଗ କରାଯାଉଛି। ଏଥିରେ ନିଆଁ ଲଗାଇବା ପରେ ମହାନଦୀର ଗଭୀର ପାଣି ମଧ୍ୟକୁ ଫିଙ୍ଗି ଦିଆଯାଉଛି। ବିସ୍ଫୋରଣ ଯୋଗୁଁ ପ୍ରଚଣ୍ଡ ଶବ୍ଦ ବି ହୋଇଥାଏ। କିଛି ସମୟ ମଧ୍ୟରେ ଶହ ଶହ ମାଛ ମରିଯାଇ ନଦୀ ପାଣିରେ ଭାସୁଥାନ୍ତି। ଭାସୁଥିବା ମୃତ ମାଛଗୁଡ଼ିକୁ ସଂଗ୍ରହ କରି ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଲୋକ ତାହା ବିକ୍ରି ପାଇଁ ସମ୍ବଲପୁର ଓ ଆଖପାଖ ଅଂଚଳର ବଜାରକୁ ପଠାଉଛନ୍ତି। ଏହା ଦ୍ବାରା ମହାନଦୀ ପାଣି ପ୍ରଦୂଷିତ ହେଉଛି। ମହାନଦୀର ମାଛ ମାରି ପେଟ ପୋଷୁଥିବା ଧୀବରମାନଙ୍କ ଜୀବିକା ବି ପ୍ରଭାବିତ ହେଉଛି।

ହୁମା ମନ୍ଦିରରଠାରୁ ଅଳ୍ପ ଦୂରରେ ଥିବା ଏଭଳି ବେଆଇନ ବିସ୍ଫୋରଣ କରାଯାଉଥିବାରୁ ଏଠାକାର ପ୍ରସିଦ୍ଧ ‘କ‌ଡ଼ୋ’ ମାଛମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଅଂଚଳର ସଚେତନ ନାଗରିକମାନେ ଏହାକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି। ଏହି ବେଆଇନ କାମ ଉପରେ ଅଂକୁଶ ଲଗାଇବା ପାଇଁ ସଚେତନ ନାଗରିକ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର