ସଂକ୍ରମଣ ବଢ଼ାଉଛି ସୀମାନ୍ତର ବେଆଇନ କ୍ଲିନିକ୍

୫ ସିଲ୍, ଅନ୍ୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ରାଉରକେଲା: କରୋନା ଦ୍ବିତୀୟ ଲହର ବ୍ରେକ୍ ଲଗାଇବାକୁ ଜିଲ୍ଲା ପ୍ରଶାସନ ଜାରି ରଖିଛି ଅହରହ ଉଦ୍ୟମ। ମାତ୍ର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଉପାନ୍ତ ବ୍ଲକରେ କିଛି ବେଆଇନ କ୍ଲିନିକ୍ ସଂକ୍ରମଣ ବଢ଼ାଉଛି। ବିନା ପଞ୍ଜିକରଣ, ବିନା ଲାଇସେନ୍ସରେ ଦିନକୁ ଦିନ ଛତୁ ଫୁଟିଲା ପରି ଗଢ଼ି ଉଠୁଛି ଗୋଟିଏ ପରେ ଗୋଟିଏ ଏମିତି କ୍ଲିନିକ୍। ଓଡ଼ିଶା-ଝାଡ଼ଖଣ୍ଡରେ ସୀମାନ୍ତରେ ରହିଛି ଅଧିକାଂଶ କ୍ଲିନିକ୍। ଏସବୁ କ୍ଲିନିକ୍ ଗୁଡ଼ିକ ମନଇଚ୍ଛା ଉପାନ୍ତ ଗାଁର ଲୋକଙ୍କୁ ଲୁଟୁଛନ୍ତି। ରୋଗୀମାନଙ୍କୁ କେତେବେଳେ ଖଟ, ଖଟିଆ ତ ପୁଣି ଅନ୍ୟ କେତେବେଳେ ପଟା ଉପରେ ଶୁଆଇ ଚିକିତ୍ସା କରାଯାଉଛି।

ନୂଆଗାଁ ବ୍ଲକର ହାତୀବାରି, ପୁରୁଣାପାଣି, ସୋରଡା, ଚେତାପେଡି, ବିଶ୍ରା ବ୍ଲକର ଡରେଇକେଲା, ଜରେଇକେଲା, ଭାଲୁଲତା, ମହିପାଣି ଆଦି ସୀମାନ୍ତ ଅଞ୍ଚଳରେ ଏସବୁ ବେଆଇନ କ୍ଲିନିକ୍ ଚାଲିଛି ଏପରି ଚିକିତ୍ସା। ଯେଉଁଠି କେବଳ ସ୍ଥାନୀୟ ଲୋକ ନୁହେଁ ପଡୋଶୀ ଝାଡ଼ଖଣ୍ଡର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। କରୋନା ସଙ୍କଟ ସମୟରେ ଏସବୁ ବେଆଇନ କ୍ଲିନିକଗୁଡିକ ସାମାଜିକ ଦୂରତା କଟକଣାକୁ ଫୁଃ କରି ଦେଇଛନ୍ତି। ଖୋଲିବାର ଦୁଇ ଘଣ୍ଟା ଆଗରୁ କ୍ଲିନିକ୍ ଆଗରେ ଲାଗୁଛି ଲମ୍ବା ଲାଇନ୍। କାହାରି ମଧ୍ୟରେ ରହୁଛି ସାମାଜିକ ଦୂରତା। କୋଭିଡ୍ ନିୟମ ଅନୁଯାୟୀ ସଂକ୍ରମଣ ରୋକିବାକୁ ରୋଗୀଙ୍କୁ ବେଡରେ ଭର୍ତ୍ତି କରିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ବାଧ୍ୟତାମୂଳକ। ଏସବୁ କ୍ଲିନିକରେ ଏସବୁ କିଛି ନାହିଁ। କରୋନା ପଜିଟିଭ୍ ଅଛି ନାହିଁ ପରୀକ୍ଷା ନ କରି ଗୋଟିଏ ଗୋଟିଏ ଖଟିଆ ଦୁଇଜଣ ଲେଖାଏଁ ରୋଗୀଙ୍କୁ ଶୋଇ ଦିଆଯାଉଛି। ସେଇଠି ରୋଗୀଙ୍କୁ ସାଲାଇନ୍ ଲଗାଇ ଦିଆଯାଉଛି। ଏସବୁ କାରଣରୁ ସୀମାନ୍ତ ଗାଁ ଗୁଡ଼ିକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସବୁଠୁ ଆଶ୍ଚର୍ଯ୍ୟ କଥା ଯେଉଁମାନେ କରୋନା ପଜିଟିଭ୍ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କିଛି ମନଇଚ୍ଛା ସ୍ଥାନୀୟ ବଜାରରେ ବୁଲୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରୁଥିଲେ ହେଁ ସେମାନେ ଆଦୌ ଶୁଣୁ ନାହାନ୍ତି। ସେପଟେ ନୂଆଗାଁ ବ୍ଲକର ତିନିଟି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଲୋଆରାମ, ସୋରଡା, ନୂଆଗାଁରେ ରହିଛି। ହାତୀବାରିରେ ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ଡାକ୍ତର ନାହିଁ। ଏଠାରେ ଫାର୍ମାସିଷ୍ଟମାନେ ରୋଗୀସେବା କରୁଛନ୍ତି। ଏମାନେ ଅନ୍ୟାନ୍ୟ କାମରେ ବ୍ୟସ୍ତ ରହୁଥିବାରୁ ଅଧିକାଂଶ ରୋଗୀ ବେଆଇନ କ୍ଲିନିକ୍କୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ କ୍ଲିନିକ୍ରେ କାମ କରୁଥିବା ନକଲି ଡାକ୍ତର, ଫାର୍ମାସିଷ୍ଟ ଭାବେ ଚିକିତ୍ସା ନାଁରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।

ନିକଟରେ ବୀରମିତ୍ରପୁର ତହସିଲଦାର ନୂଆଗାଁ, ସୋରଡା ଓ ହାତୀବାରିରେ ବେଆଇନ ଭାବେ ଚାଲିଥିବା ୫ରୁ ଅଧିକ କ୍ଲିନିକକୁ ସିଲ୍ କରିଥିଲା। ଏସବୁ କ୍ଲିନିକଗୁଡ଼ିକ ଯୋଗୁଁ ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ଲୋକମାନେ ଭୟରେ ପରୀକ୍ଷା କରିବାକୁ ଆସୁ ନଥିବାରୁ ଗୋଷ୍ଠୀ ସଂକ୍ରମଣର ମଧ୍ୟ ସମ୍ଭାବନା ରହିଛି। ମାତ୍ର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ଅଞ୍ଚଳରେ ଚାଲିଥିବା ଏସବୁ କ୍ଲିନିକଗୁଡ଼ିକ ସିଲ୍ କରାନଗଲେ ଆଗାମୀ ଦିନରେ ରୋଗୀଙ୍କ ଜୀବନ ଯିବା ସହ ସଂକ୍ରମଣ ବଢ଼ିବାରେ ଆଶଙ୍କାକୁ ଏଡାଇ ଦିଆଯାଇ ନ ପରେ। ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପାନପୋଷ ଉପଜିଲ୍ଲାପାଳ ଓ ଦୁଇ ବ୍ଲକର ତହସିଲଦାର ବେଆଇନ ଭାବେ ଚାଲିଥିବା କ୍ଲିନିକଗୁଡ଼ିକୁ ସିଲ୍ କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର