ବେଆଇନ୍‌ ଇଟା ଫ୍ୟାକ୍ଟ୍ରି: କାର୍ଯ୍ୟାନୁଷ୍ଠାନ୍‌ ଶୂନ୍‌, ମାଲିକ ବେଫିକର୍‌

ବରଗଡ଼: ଅମ୍ବାପାଲିଠା‌ରେ ଥିବା ପାଉଁଶ ଗୁଣ୍ଡରେ ପ୍ରସ୍ତୁତ ହେଉଥିବା ଇଟା ଫ୍ୟାକ୍ଟ୍ରିର ଅବସ୍ଥିତି ସଂପୂର୍ଣ୍ଣ ବେଆଇନ୍‌‌ ବୋଲି ଅଭିଯୋଗ ଉଠିଛି। ଏହି ଫ୍ର୍ୟାକ୍ଟ୍ରିରେ ପରିବେଶ ମଂଜୁରୀର କୌଣସି ନୀତିନିୟମ ପାଳନ ହୋଇନାହିଁ। ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌କୁ ଫ୍ୟାକ୍ଟ୍ରି ମାଲିକ ଦଳିମଚକି ଦେଇଛନ୍ତି। ଗାଇଡ୍‌ଲାଇନ୍‌ ଅନୁସାରେ, ଏଭଳି ଫ୍ୟାକ୍ଟ୍ରିର ଚାରି ପାର୍ଶ୍ବରେ ଉଚ୍ଚ ପାଚେରୀ ରହିବା କଥା। ଯଦ୍ବାରା ପାଉଁଶ ଗୁଣ୍ଡ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିବ। ପାଉଁଶ ଗୁଣ୍ଡ ଯେଭଳି ଉଡ଼ିବନି, ନିୟମିତ ବ୍ୟବଧାନରେ ଏଥିରେ ପାଣି ସିଂଚନ ବ୍ୟବସ୍ଥା ରହିବା କଥା।

ସେହିପରି ଫ୍ୟାକ୍ଟ୍ରିକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଦୁଇଟି ରାସ୍ତା ରହିବା ଉଚିତ। ଏହି ରାସ୍ତାରେ ବି ପାଣି ସିଂଚନ ହେବା ନିୟମ ରହିଛି। କିନ୍ତୁ ଏହି ସାଧାରଣ ନିୟମକୁ ବି ଫ୍ୟାକ୍ଟ୍ରି ମାଲିକ ପାଳନ କରିନାହାନ୍ତି। ଫ୍ୟାକ୍ଟ୍ରିର ଦୁଇଟି ପାର୍ଶ୍ବରେ କେବଳ ପାଚେରୀ ରହିଛି। ଆଗ ଏବଂ ପଛପାଖ ହୁଗୁଳା ରହିଛି। ଫଳରେ ସିମେଣ୍ଟ ଗୁ୍ଣ୍ଡ ସମ୍ମୁଖ ଭାଗରୁ ରାଜପଥ ଉପରକୁ ମାଡ଼ି ଆସୁଛି। ପଛ ପାର୍ଶ୍ବରେ ସିଧା ଯାଇ ବଂଜାରୀ ନଦୀରେ ମିଶୁଛି। ପବନ ହେଲେ ପାର୍ଶ୍ବରେ ଥିବା ବିଲରେ ପାଉଁଶ ଗୁଣ୍ଡ ବିଛେଇ ହୋଇ ପଡ଼ୁଛି।

ଇଟା ଗଢ଼ିବା ପାଇଁ ଏଠାରେ ଗଦା ହେଉଥିବା ପାଉଁଶ ସେଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହୁଛି। ପ୍ରବେଶ ପଥ ଜାତୀୟ ରାଜପଥ ପଟେ ମେଲା ରହିଛି। ଫଳରେ ଗୁଣ୍ଡ ଯାତ୍ରୀମାନଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି। ଖୋଲାଖୋଲି ଫ୍ୟାକ୍ଟ୍ରି ମାଲିକ ନିୟମ ଭାଂଗୁଥିଲେ ହେଁ ପ୍ରଶାସନର ନଜର ପଡ଼ୁନଥିବା ଅାଶ୍ଚର୍ଯ୍ୟର କଥା। ସାମାଜିକକର୍ମୀମାନେ ଫ୍ୟାକ୍ଟ୍ରି ମାଲିକଙ୍କ ଏଭଳି ବେପରୁଆ କାରନାମା ସଂପର୍କରେ ସଂପୃକ୍ତ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ଟ୍ବିଟ୍‌ ମଧ୍ୟ କରିଛନ୍ତି। ହେଲେ କାହାରି ପକ୍ଷରୁ କିିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଚୁପ୍‌ ରହିଛି। ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ସ୍ଥାନୀୟ ଅଂଚଳବାସୀ ସ୍ବର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି।

ସମ୍ବନ୍ଧିତ ଖବର