ପୁରୀ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଯୁବପିଢ଼ି ଏବେ ଧଳା ଜହର ବ୍ରାଉନ୍ସୁଗାର ଦ୍ବାରା କବଳିତ। ଏହି ଦୁଇ ବ୍ଲକ୍ର ଗ୍ରାମାଞ୍ଚଳରେ ମାତ୍ରାଧିକ ନିଶା କାରବାର ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଯୁବପିଢି ଏହି ଧଳା ଜହର ବ୍ରାଉନସୁଗାର ନିଶାରେ ପଡିଛନ୍ତି। ଗାଁ ଗାଁରେ ବ୍ରାଉନସୁଗାର ବିକ୍ରି ହେବା ହେବା ଘଟଣା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଜଣେ ମହିଳା କିଭଳି ତାଙ୍କ ଘରେ ବ୍ରାଉନସୁଗାର ପୁଡିଆ ବିକ୍ରି କରୁଛନ୍ତି ତା'ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅସ୍ତରଙ୍ଗ ଅଞ୍ଚଳକୁ ନିଶା କିଭଳି ଗ୍ରାସ କରିଛି ତାର ପ୍ରମାଣ ମଧ୍ୟ ମିଳିଛି। ଏଭଳି ଅବାଧ କାରବାର ଅବକାରୀ ବିଭାଗ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ବ୍ରାଉନସୁଗାର ବିକ୍ରି କରୁଥିବା ମହିଳା ଯେତିକି ପରିମାଣରେ ଏଥି ପାଇଁ ଦାୟୀ ତା ଠୁ ଏହି ବ୍ୟବସାୟର କାୟା ବିସ୍ତାର କରୁଥିବା ମାଫିଆମାନେ ଅଧିକ ଦାୟୀ। ପୁଲିସ ବ୍ରାଉନ୍ସୁଗାର ବିକ୍ରି କରୁଥିବା ମହିଳାଙ୍କ ସମେତ ବ୍ରାଉନସୁଗାର କେଉଁଠୁ ଆସୁଛି, କିଏ ଏଠାରେ ପହଞ୍ଚାଉଛି ତା ଉପରେ ମଧ୍ୟ ନଜର ରଖିବାକୁ ଦାବି ହେଉଛି।
ଅବକାରୀ ବିଭାଗ ଓ ପୁଲିସ ଜାଣତରେ ଏହାର କାରବାର ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅସ୍ତରଙ୍ଗ, କାକଟପୁର ଅଞ୍ଚଳ ହୋଟେଲଗୁଡିକରେ ମଧ୍ୟ ଅବାଧ ମଦ ବିକ୍ରି ହେଉଛି। କଟକ, ଭୁବନେଶ୍ୱର, ପାରାଦୀପ,ବାଲେଶ୍ୱରରୁ ରାତି ଅଧରେ କାର ଯୋଗେ ନିଶା ଦ୍ରବ୍ୟ ଏଠାରେ ପହଞ୍ଚୁଛି। ଅଞ୍ଚଳର କିଛି ଜଣାଶୁଶା ତଥା ପ୍ରଭାବଶାଳୀ ଲୋକ ଏହି ନିଶା କାରବାରରେ ସଂପୃକ୍ତ ଥିବେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ କାକଟପୁରର ଏକ ଛକରୁ ପୁଲିସ୍ ବ୍ରାଉନ୍ ସୁଗାର ଜବତ କରିଥିଲା। ମାତ୍ର କୌଶଳ କରି ପୁଲିସ ଏହାକୁ ମଦ ବୋଲି ଦର୍ଶାଇ ଅର୍ଥ ଢୋକି ଦେଇଥିଲେ। ନଈଗୁଆଁ-ଖଣ୍ଡାସାହି ଛକ ଓ ପାଖ ଗାଁ ମାନଙ୍କରେ ବ୍ରାଉନ୍ ସୁଗାର ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି। ଏ ନେଇ ପୁଲିସ ନିରବ ରହିବା ପରେ ଗାଁ ଲୋକେ ବାଧ୍ୟ ହୋଇ ଲୋକ ପୁଲିସ ବିରୋଧରେ ଅଭିଯୋଗ ଆଣିଥିଲେ। ଅବଶ୍ୟ ଯୁବଗୋଷ୍ଠୀ ସତର୍କତା ପରେ ଏ ଅଞ୍ଚଳରେ ନିଶା କାରବାର କମିଯାଇଛି। ଅନ୍ୟ ପକ୍ଷରେ ନିଶାଦ୍ରବ୍ୟ ସହଜରେ ଉପଲବ୍ଧ ଯୋଗୁ ଏବେ ଅଭ୍ୟାସଗତ ନିଶାଡିଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏହାକୁ ନେଇ ସାମାଜିକ ଶୃଙ୍ଖଳା ମଧ୍ୟ ବିଗିଡିବାରେ ଲାଗିଛି। ନିଶା କାରବାର ବୃଦ୍ଧି ଯୋଗୁଁ ମହିଳାମାନେ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି।
କାକଟପୁର ଥାନା ଅନ୍ତର୍ଗତ ଡେ଼ଲ୍ଟା ଛକ, ଯୌବନ ମଶାଣି, ଅହ୍ମୁଣିଆ ପାଟଣା ଗଡଗଡି ଛକ, ଗେଲିଗୋହରୀ ଛକ ପ୍ରମୁଖ ସ୍ଥାନରେ ଧଳା ଜହର କାରବାର ହେଉଥିବା ଅଭିଯୋଗ ହୋଇଛି। କାକଟପୁର ବ୍ଲକ୍ ଛକରୁ ଅସ୍ତରଙ୍ଗ ଭିମାଛକ, କଣମଣ ବ୍ରିଜ, ନୂଆଗଡ, ନଗର, ଭଉଁରିଆ ସେତୁ, ଉକୁଲେଇ ଛକର ଗଡଜାତ ସାହି ଏବେ ନିଶା କାରବାରର କରିଡର ପାଲଟିଛି। ଅସ୍ତରଙ୍ଗର ଉକୁଲେଇ ଛକର ଅତି ନିକଟରେ ଜଣେ ମହିଳା ଅନ୍ଧାର ରାତିରେ ଏହି ନିଶା କାରବାର କରୁଥିବା ଭିଡିଓ ସୋସିଆଲ୍ ମେଡିଆରେ ଭାଇରାଲ୍ ହେବା ପରେ ପୁଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଧଳାପୁଡିଆ ଗୋଟାକୁ ୫୦ରୁ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଉକୁଲେଇ ଛକ, ମଲାମାଛ ଛକରୁ ଅସ୍ତରଙ୍ଗ କୁହୁଡି, ଖଣ୍ଡାସାହି ଛକ, କ୍ଳାସରୋଡର ଭସା ପୋଲ, ଭଉଁରିଆ ବ୍ରିଜ୍ ନିକଟ ରୋଡ୍, ପୀରଜାହାନିଆ ସାମୁଦ୍ରିକ ବେଳାଭୂମି ଅଞ୍ଚଳରେ ବ୍ରାଉନ୍ ସୁଗାର କାରବାର ହେଉଛି। ମେଡ଼ିସିନ୍ ଦୋକାନରେ ମଧ୍ୟ କୋରେକ୍ସ ଓ ନିଶା ବଟିକା ବିକ୍ରି ହେଉଥିବା ଅଭିଯୋଗ ହୋଇଛି।