ବ୍ରାଉନସୁଗାର ବେପାରର ନୂଆ ତରିକା: ‘ଗଛରେ ପୁଡ଼ିଆ ଅଛି, ସେଠୁ ନେଇ ଯାଅ’

ଜଗତସିଂହପୁର ଟାଉନ୍,(ଶୁଭକାନ୍ତ ପଢ଼ିହାରୀ): ଜଗତସିଂହପୁର ଗାନ୍ଧିଛକ-ସୁଜଙ୍ଗ ରାସ୍ତାକଡ଼ରେ ସ୍କୁଲ ଆଗକୁ ବାମପଟେ ଥିବା ପ୍ରଥମ କୃଷ୍ଣଚୂଡା ଗଛରେ ଏକ ପଲିଥିନ୍ ଭିତରେ ପୁଡ଼ିଆ ଟଙ୍ଗା ହୋଇଛି। ବିଲ ପଟକୁ ପୁଡ଼ିଆ ରହିଛି। ସେଇଠୁ ନେଇଯାଅ। ବର୍ତ୍ତମାନ ଏ ପ୍ରକାର ସାଙ୍କେତିକ ଭାଷାରେ ବ୍ରାଉନସୁଗାର କାରବାର କରୁଛନ୍ତି ଅପରାଧୀ। ଜଗତସିଂହପୁର ଥାନା ପୁଲିସ ଶୁଦ୍ଧାନନ୍ଦ ସ୍କୁଲ ନିକଟରୁ ମାଣପୁର ଅଞ୍ଚଳର ବ୍ରାଉନସୁଗାର ବେପାରୀ ଅଜିତ ପରିଡ଼ାକୁ ଗିରଫ କରି ଜେରାବେଳେ ବ୍ରାଉନସୁଗାର କାରବାରର ନୂଆ ତରିକା ସଂପର୍କରେ ଏପରି ତଥ୍ୟ ସାମ୍‌ନାକୁ ଆସିଛି। କେବଳ ଜଗତସିଂହପୁର ନୁହେଁ, କଟକ, ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଏଭଳି ନୂଆ ନୂଆ ଢଙ୍ଗରେ ବ୍ରାଉନସୁଗାର କାରବାର ଚେର ଲମ୍ବାଇଲାଣି। ଯାହାଫଳରେ, ବ୍ରାଉନସୁଗାର ବେପାରୀଙ୍କୁ ଧରିବା ପୁଲିସ ପାଇଁ ବି ଏକ ଆହ୍ବାନ ହୋଇଛି।

ପୁଲିସ ଅଜିତ ନିକଟରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ଜେରା ବେଳେ ସେ ନୂଆ ତରିକା ସମ୍ପର୍କରେ ତଥ୍ୟ ଓଗାଳି କହିଥିଲା ରାସ୍ତା କଡ଼ରେ ଥିବା ଗଛର ପଛପଟେ କଣ୍ଟା ବାଡ଼େଇ ବ୍ରାଉନ୍‌ସୁଗାର ଟାଙ୍ଗି ଦିଆଯାଏ। ଗ୍ରାହକ ପ୍ରଥମେ ଟଙ୍କା ଦେବାପରେ ତାକୁ ଲୁଚାଇ ରଖିଥିବା ଅଞ୍ଚଳ ଓ ଗଛର ନାଁ କୁହାଯାଏ। ଏକାଧିକ ଗଛ ଥିଲେ କ୍ରମାନ୍ବୟରେ ଥିବା ସଂଖ୍ୟା କହି ତାକୁ ବତାଇ ଦିଆଯାଏ। ଅନ୍ୟ ଏକ ତରିକା ହେଉଛି ପୁଡ଼ିଆରେ ଅଠା ମାରି ଗଛରେ ଲଗାଇ ଦିଆଯାଏ। ଟଙ୍କା ପାଇଯିବା ପରେ ତାକୁ ନିର୍ଦ୍ଦିଷ୍ଟ କୋଡ୍‌ରେ ଜାଗା ବତାଇ ଦିଆଯାଏ। ଗଛ କୋରଡରେ ବି ବ୍ରାଉନସୁଗାର ଲୁଚାଇ ରଖି ନିର୍ଦ୍ଦିଷ୍ଟ ଢଙ୍ଗରେ ତାହାର ସୂଚନା ଦିଆଯାଏ। ବାଉଁଶ ଗଛରେ ବ୍ରାଉନସୁଗାର ଲୁଚାଇ ରଖିବା ଅଧିକ ସହଜ ହୁଏ। ବାଉଁଶ କଣିରେ ବ୍ରାଉନସୁଗାର ଲଗାଇ ଦିଆଯିବା ସହଜ ହୁଏ। ଜଗତସିଂହପୁରର ଗାନ୍ଧୀ ଛକ-ସୁଜଙ୍ଗ ରାସ୍ତାରେ ଅଧିକ ସଂଖ୍ୟାରେ ବାଉଁଶ ବୁଦା ଥିବାରୁ ବ୍ରାଉନସୁଗାର ବେପାରୀ ସେଠାରେ ଏହି କୌଶଳ ଉପଯୋଗ କରୁଛନ୍ତି।

ଅଜିତଙ୍କ କହିବା ଅନୁଯାୟୀ ଜଗତସିଂହପୁରରେ ଗୋଟିଏ ପୁଡ଼ିଆ (୨୦ ମିଲିଗ୍ରାମ) ୩୫୦ ଟଙ୍କାରୁ ୪ ଶହ ଟଙ୍କାରେ ବିକ୍ରି ହେଉଛି। ଜଙ୍ଗଲିଆ ଜାଗା, ବୁଦା, ଗଛ ଇତ୍ୟାଦିରେ ବ୍ରାଉନସୁଗାର ରଖି ଏବେ ବେପାର ଚାଲିଥିବାରୁ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀଙ୍କ ପାଇଁ ତାହା ଜବତ କରିବା ସହଜ ହେଉ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ବି ସ୍ବୀକାର କରିଛନ୍ତି। ରାଜ୍ୟରେ ଏବେ ସର୍ବାଧିକ ବ୍ରାଉନସୁଗାର କାରବାର ଜଗତସିଂହପୁରରେ ଚାଲିଥିବା ରେକର୍ଡ କହୁଛି। ଜଳେଶ୍ବରର ବେପାରୀ ଜଗତସିଂହପୁରକୁ ବ୍ରାଉନସୁଗାର ଯୋଗାଉ ଥିବା ବେଳେ ଧୀରେ ଧ‌ୀରେ ବହୁ ଛାତ୍ର, ଯୁବକୁ ବ୍ରାଉନସୁଗାର ନିଶା କବଳରେ ପଡ଼ି ବରବାଦ୍ ହେବାରେ ଲାଗିଛନ୍ତି। ଦୁଇ ଗୁଣ ଲାଭ ଏହି କାରବାରରେ ମିଳୁ ଥିବାରୁ ଅପରାଧରେ ପାଦ ଦେଇ ସାରିଥିବା ଯୁବକ ବିନା ଚିନ୍ତାରେ ଏହି କାରବାରରେ ସାମିଲ ହୋଇ ଯାଉଛନ୍ତି। ଅଳ୍ପ ପରିମାଣର ସାମଗ୍ରୀ ଅଧିକ ମୂଲ୍ୟବାନ ହୋଇଥିବାରୁ ଏହାକୁ ନେବା ଆଣିବା ସହଜ ହେଉଛି। ଜଗତସିଂହପୁର ପୁଲିସ ପାଇଁ ଏବେ ଏହା ଚିନ୍ତାର କାରଣ ହୋଇଥିବା ବେଳେ ଏଥିରେ ତୁରନ୍ତ ଅଙ୍କୁଶ ନ ଲାଗିଲେ ଆଗକୁ ଜିଲ୍ଲାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର