ରାଉରକେଲା : ସ୍ମାର୍ଟସିଟିକୁ ଗ୍ରାସ କରୁଛି ଧଳା ଜହର। ବାଇଆ ହୋଇଯାଇଛନ୍ତି ନିଶାଡ଼ି। ଇଞ୍ଜିନିୟରିଂ ଛାତ୍ରଛାତ୍ରୀ, ଯୁବପିଢ଼ୀ ଓ ଅନ୍ୟମାନେ। ମାଲାମାଲ୍‌ ହେଉଛନ୍ତି ବେପାରୀ। ତରିକା ବଦଳାଇ ଚାଲୁଛି ବେପାର। ଟେର୍‌ ପାଉ ନାହାନ୍ତି ସ୍ଥାନୀୟ ପୁଲିସ। ରାଉରକେଲା ସହରର ନୂଆ ବସ୍‌ଷ୍ଟାଣ୍ଡ, ଷ୍ଟେସନ ଏରିଆ, ଡେଲିମାର୍କେଟ, ସିଭିଲଟାଉନସିପ୍‌ ଏରିଆ, ପାନପୋଷ ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଚୋରାରେ ଏସବୁ ନିଶା ସାମଗ୍ରୀ ବେଧଡକ ବିକ୍ରି‌ ‌ଚାଲିଛି। କେଉଁଠି ଛୋଟ ଛୋଟ ପୁଡିଆ କରି ତ ଅନ୍ୟ କେଉଁଠି ସିଗାରେଟ୍‌ ଭିତରେ ଭର୍ତ୍ତି କରି ବିକୁଛନ୍ତି। ଗୋଟିଏ ଗ୍ରାମ୍‌ ବ୍ରାଉନ୍‌ ସୁଗାରକୁ ୧୦ରୁ ଅଧିକ ପ୍ୟାକେଟ୍‌ କରାଯାଉଛି। ପ୍ରତ୍ୟେକ ପ୍ୟାକେଟ୍‌ ପିଛା ୩୦୦ ଟଙ୍କାରେ ବିକୁଛନ୍ତି। ଅନୁରୂପ ଭାବେ ବ୍ରାଉନ୍‌ସାଗର ସିଗାରେଟ୍‌ ଗୋଟା ସେମିତି ୩୦୦ରୁ ୪୦୦ ଟଙ୍କା ବିକ୍ରିହେଉଛି। ଉପଲବ୍ଧ ହେଉଛି ଜନଗହଳିପୂର୍ଣ୍ଣ ‌ସ୍ଥାନରେ ଥିବା ଛୋଟ ଛୋଟ ପାନ ଦୋକାନ, ହୋଟେଲ, ଜଳଖିଆ ଓ ଚା’ ଦୋକାନରେ। ଧରାନ ପଡିବାକୁ ବଡିଭୋର କିମ୍ବା ଖରାବେଳେ ହେଉଛି ନିଶାକାରବାର।

Advertisment

publive-image sambadenglish.com

ଅବଶ୍ୟ ପ୍ଲାଣ୍ଟସାଇଟ୍‌ ପୁଲିସ କିଛି ବେପାରିକୁ ଧରି ଜେଲ ହାଜତକୁ ପଠାଇଛି। ଅନ୍ୟ ଥାନାର ପୁଲିସ ଏମାନଙ୍କୁ ଠାବ କରିବା ତ ଦୂରର କଥା ଟେର୍‌ ମଧ୍ୟ ପାଉ ନାହାନ୍ତି। ଗତ ତିନି ମାସ ମଧ୍ୟରେ ପ୍ଲାଣ୍ଟସାଇଟ୍‌ ପୁଲିସ ବ୍ରାଉନ୍‌ସୁଗାର ବେପାରୀ ଗ୍ୟାଙ୍ଗର ୭ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏମାନଙ୍କ ନିକଟରୁ ମୋଟ ୧୦୧.୪୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଅନ୍ୟମାନେ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ କରି ଧଳା ଜହର ବିକୁଛନ୍ତି। ବ୍ରାଉନଗର ସୁଗାରର କାରବାର ଚେର ଲମ୍ବିଛି ରାଉରକେଲାରୁ କୋଲକାତା ଓ ମୁମ୍ବାଇ। ଯେଉଁଠୁ ବେପାରୀମାନେ ବ୍ରାଉନ୍‌ସୁଗାର କିଣି ବସ୍‌, ଟ୍ରେନ୍‌ ଯୋଗେ ପହଁଚି ଯାଉଛନ୍ତି ରାଉରକେଲାରେ। ପରେ ସେଗୁଡ଼ିକୁ ଦାମ୍‌ ଅନୁଯାୟୀ ଛୋଟ ଛୋଟ ପ୍ୟାକେଟ୍‌ କରାଯାଉଛି। ପରେ ସେସବୁ ପ୍ୟାକେଟ୍‌କୁ ଛୋଟ ଛୋଟ ପାନ ଦୋକାନରେ ପହଞ୍ଚାଇ ଦିଆଯାଉଛି। ଠିକଣା ଜାଣିଥିବା ନିଶାଡ଼ିମାନେ ଏସବୁ ସ୍ଥାନରେ ପହଞ୍ଚି ଯାଉଛନ୍ତି। ଏମିତି ଚାଲିଛି ଧଳା ଜହର କାରବାର।

publive-image

ଗତ ଜୁଲାଇ ୮ରେ ପୁଲିସ ତିନି ଜଣ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ୧୮.୩୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଗିରଫ ବେପାରୀମାନେ ହେଲେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ମହମ୍ମଦ ଅଲ୍ଲୀ ହସନ୍‌, ମହମ୍ମଦ ଅଫ୍‌ସର ଓ କୁନାଲ ସରକାର। ଦୁଇ ଗଞ୍ଜେଇ ବେପାରୀ ହେଲେ ଛେଣ୍ଡ କଲୋନି ଇ-୧୬୯ର ବିବେକ ମହାନ୍ତି ଓରଫ କାହ୍ନା (୩୧), ଏମ୍‌ଆଇସିଆର୍‌ -୩୨ର ମହେଶ ମହାପାତ୍ର ଓରଫ ମହିଆ (୨୦)। ଗତ ଅଗଷ୍ଟ ୯ରେ ପ୍ଲାଣ୍ଟସାଇଟ୍‌ ପୁଲିସ ସମାନଧରଣ ଚଢ଼ଉ କରିଥିଲା। ମହତାବରୋଡ ମୀନାପଡା ରିଂରୋଡ ନିକଟରୁ ଦୁଇ ବ୍ରାଉନ୍‌ ସୁଗାର ବେପାରୀକୁ ଗିରଫ କରିଥିଲା। ଏମାନେ ନାଲାରୋଡ ଆର୍‌ଡିଏ ବିଲ୍‌ଡିଂ ମାଟି ରୋଡ ସାରଳା ମାର୍କେଟର ସନାଉଲ୍ଲା ଖାନ୍‌ ଓରଫ ଜଗୁ (୩୭), ରଘୁନାଥପାଲୀ ଥାନା ଅନ୍ତର୍ଗତ ପାନପୋଷ କୋଏଲ ବ୍ୟାଙ୍କ ବସ୍ତିର ନଦୀମ ଖାନ୍‌ (୩୩)। ଏମାନଙ୍କ ନିକଟରୁ ପୁଲିସ ୩୨.୪୧ ଗ୍ରାମ ଓଜନ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଥିଲା। ସେମିତି ଗତ ୧୦ରେ ଦୁଇ ବେପାରୀ ବ୍ରାଉନ୍‌ସୁଗାର ପ୍ୟାକେଟ୍‌ ଧରି ପାୱାର ହାଉସ୍‌ ନିକଟ ରିଂରୋଡରେ ବୁଲାବୁଲି କରୁଥିବାବେଳେ ପ୍ଲାଣ୍ଟସାଇଟ୍‌ ପୁଲିସ ପଞ୍ଝା‌ରେ ପଡିଥିଲେ। ଏମାନଙ୍କ ନିକଟରୁ ୫୦.୭୩ ଗ୍ରାମ୍‌ ଓଜର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଯାହାର ବଜାର ମୂଲ୍ୟ ଥିଲା ସାଢ଼େ ୩ ଲକ୍ଷ ଟଙ୍କାରୁ ଅଧିକ। ଏଥିସହ ସେମାନେ ବ୍ୟବହାର କରୁଥିବା ମୋଟରବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଥିଲା। ଗିରଫ ବେପାରୀମାନେ ହେଲେ ଭୁବନେଶ୍ବର ପୋଖରୀପୁଟର ଦୀପକ କୁମାର ଦାସ ଓରଫ ଲିପନ୍‌ (୨୪)। ସମ୍ପତି ସେ ଜଗଦାରେ ରହୁଛନ୍ତି। ଅନ୍ୟ ଜଣେ ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଆର୍‌ଡିଏ ବିଲ୍‌ଡିଂ ନିକଟ ବସ୍ତିର ତାରିକ୍‌ ଅନୱାର (୨୯)।

ଗତ କିଛି ମାସ ଧରି ସହରର ଷ୍ଟେସନ ଏରିଆ, ନୂଆ ବସଷ୍ଟାଣ୍ଡ, ଡେଲିମାର୍କେଟ, ରାଉରକେଲା ମୁଖ୍ୟ ମାର୍କେଟ ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ଧଳ ଜହର ବିକୁଥିଲେ। ଧଳା ଜହର କାରବାର ମାଷ୍ଟରମାଇଣ୍ଡ ଯେ ପର୍ଯ୍ୟନ୍ତ ପୁଲିସ ପଞ୍ଝାରେ ନ ପଡିଛି, ସେ ପର୍ଯ୍ୟନ୍ତ ନିଶା କାରବାରୁ ରୋକିବା କଷ୍ଟକର। ଦିଗଭ୍ରଷ୍ଟ ହେଉଥିବେ ଯୁବପିଢ଼ୀ ଓ ଇଞ୍ଜିନିୟରିଂ ଛାତ୍ର। ଜିଲ୍ଲା ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଏମାନଙ୍କ ଉପରେ କଡା ନଜର ରଖିଲେ ସ୍ମାର୍ଟ ସିଟିରେ ଦିନକୁ ଦିନ ବଢ଼ି ଚାଲିଥିବା ଧଳା ଜହର କାରବାକୁ ରୋକାଯାଇପାରିବ।