ବେଳାଭୂମି ଛାତିରେ ୬ ତାଲା କୋଠା ନିର୍ମାଣ : ୧୪୪ ଜାରି କଲା ପ୍ରଶାସନ, ଏତେ ବାଟ ଗଲା, ଜାଣିପାରିଲେନି…?

ପୁରୀ : କୌଣସି ପରିସ୍ଥିତିରେ ବି ସମୁଦ୍ର ବେଳାଭୂମିରେ ନିର୍ମାଣ କାର୍ଯ୍ୟ ହୋଇ ପାରିବନି। ଏଥି ପାଇଁ ରହିଛି ସିଆର୍‌ଜେଡ୍‌ ଭଳି କଡ଼ା ନିୟମ। ଏହି ନିୟମ ଭଙ୍ଗ କଲେ ଫୌଜଦାରୀ ମାମଲା ସାଙ୍ଗକୁ କଡ଼ା ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ହେଲେ ଭାରତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ପୁରୀରେ ଖାଲି ଏହି ନିୟମକୁ ଦଳିମକଚି ଦିଆଗଲାନି, ରାଜ୍ୟ ବାହାରର ଜଣେ ବିତ୍ତଶାଳୀ ବ୍ୟକ୍ତି ବେଳାଭୂମି ଛାତି ଚିରି ଏଠାରେ ୬ ମହଲା କୋଠା ନିର୍ମାଣ କରୁଥିଲେ ବି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥିଲା ପ୍ରଶାସନ। ତେବେ ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଚାପରେ ହେଉ ବା କାଠଗଡ଼ାକୁ ଟାଣି ହେବା ଭୟରେ ହେଉ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି। କୋଠା ନିର୍ମାଣ ଉପରେ ରୋକ୍‌ ଲଗାଇବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଯଥାଶୀଘ୍ର ଚିଠିର ଜବାବ ରଖିବା ସହିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ତେବେ ଏଠାରେ ପ୍ରଶ୍ନ ଉଠିଛି ପିକେଡିଏ (ପୁରୀ-କୋଣାର୍କ ଉନ୍ନୟନ କତୃର୍ପକ୍ଷ)ଙ୍କ ବିନା ଅନୁମତିରେ ବେଳାଭୂମିରେ ଏ ବିଶାଳ କୋଠା ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ? ୬ ତାଲା ବିଶିଷ୍ଟ ଏହି କୋଠାର ଇଣ୍ଟେରିୟର କାମ ହେବା ପରେ ପ୍ରଶାସନ ୧୪୪ ଧାରା ପାଇଁ ହଠାତ ବିଳିବିଳେଇଲା କାହିଁକି? ଦୀର୍ଘ ୪ ମାସ ଧରି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚୁପ୍ ରହିଥିଲା ତାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସିଆର୍‌ଜେଡ୍‌-୧ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ବେଳାଭୂମିରେ ଏହି ୬ ତାଲା କୋଠା ଛିଡ଼ା କରାଯାଇଛି। ଯାହାର ମାଲିକ ହେଉଛନ୍ତି ନୂଆଦିଲ୍ଲୀରେ ରହୁଥିବା ପଶ୍ଚିମବଙ୍ଗର ଜଣେ ପ୍ରଭାବଶାଳୀ ଧନାଢ୍ୟ ବ୍ୟକ୍ତି। ପୁରୀର ଜନୈକ ଠିକାଦାରଙ୍କ ଜରିଆରେ ପଶ୍ଚିମବଙ୍ଗର କିଛି ଠିକାଦାର ଏହାର ନିର୍ମାଣ ଚଳାଇଛନ୍ତି। ରାଜନେତା ଓ ଅମଲାତନ୍ତ୍ରକୁ କରାୟତ କରି ସଂପୃକ୍ତ ଠିକାଦାର ବେଳାଭୂମିରେ ରାତାରାତି ୬ ମହଲା କୋଠା ଛିଡ଼ା କରିବାରେ ସକ୍ଷମ ହୋଇଥିବା ବେଳେ ଅବଶିଷ୍ଟ କାମକୁ ତୁରନ୍ତ ଶେଷ କରିବାକୁ ଚଳାଇଥିଲେ ଆପ୍ରାଣ ଉଦ୍ୟମ। ଏଭଳି ବେଆଇନ୍ କାମ ସଂପର୍କରେ ‘ସମ୍ବାଦ’ ଲଗାତର ଫଟୋ ସମ୍ବଳିତ ଖବର ପ୍ରକାଶ କରିବାରୁ ଶେଷରେ ଜିଲ୍ଲା ପ୍ରଶାସନ ଏହି କୋଠା ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, କୋଠା ନିର୍ମାଣ ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ସଂପୃକ୍ତ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନିର୍ମାଣ ସଂପୂର୍ଣ୍ଣ ବେଆଇନ୍ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏହି ନିର୍ମାଣ ଚାଲିଛି, ତାର କାରଣ ଦର୍ଶାଇବାକୁ କୁହାଯାଇଛି। କୋଠା ମାଲିକ ଜବାବ ରଖିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର